ଭୁବନେଶ୍ୱର ,୨୨/୦୭/୨୦୧୯(ଓଡ଼ିଶା ସମାଚାର)-ଆଜି ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୁର ମହାସଂଘ ଏବଂ ଅଖିଳ ଭାରତୀୟ ବିଦ୍ୟୁତ୍ ମଜଦୁର ମହାସଂଘର ଏକ ପ୍ରତିନିଧି ମଣ୍ଡଳୀ ଓପିଟିସିଏଲ୍ ମାନବ ସମ୍ବଳ ନିର୍ଦ୍ଦେଶକଙ୍କ ସହ ସାକ୍ଷାତ୍ କରି ବିଦ୍ୟୁତ୍ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଅଖିଳ ଭାରତୀୟ ବିଦ୍ୟୁତ୍ ମଜଦୁର ମହାସଂଘ ତରଫରୁ କାର୍ଯ୍ୟକାରୀ ସଭାପତି ଶ୍ରୀ ଏଲ୍.ପି. କଟକୱାର, ସାଧାରଣ ସମ୍ପାଦକ ଶ୍ରୀ ଅମରସିଂ ଶାଙ୍ଖଲା, ରାଜସ୍ଥାନ ବିଦ୍ୟୁତ୍ ଶ୍ରମିକ ନେତା ଶ୍ରୀ ଗଜେନ୍ଦ୍ର ସିଂ ରଣାୱାତ ଏବଂ ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୁର ମହାସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ଜ୍ଞାନରଞ୍ଜନ ଭୋଇ, ସାଧାରଣ ସମ୍ପାଦକ ଶ୍ରୀ ସତ୍ୟବ୍ରତ ପରିଡ଼ା ପ୍ରମୁଖ ଭାଗ ନେଇଥିଲେ । ଏହି ଆଲୋଚନାରେ ନିମ୍ନ ବିନ୍ଦୁ ଉପରେ ସହମତି ହୋଇଛି । ଏଥିରେ ଆଇଟିଆଇ କର୍ମଚାରୀମାନଙ୍କୁ ୩ ବର୍ଷରେ କୁଶଳୀ ଶ୍ରେଣୀ, ବିନା ସାକ୍ଷାତକାରରେ କାର୍ଯ୍ୟରତ ବିଦ୍ୟୁତ୍ କର୍ମଚାରୀମାନଙ୍କୁ ପଦୋନ୍ନତି, ମୃତ ଶ୍ରମିକମାନଙ୍କ ପରିବାରରୁ ଜଣକୁ ନିଯୁକ୍ତି ଦେବା ପାଇଁ ବିଚାର କରିବା, ଦୁର୍ଘଟଣାଜନିତ ବୀମାରାଶିରେ ବୃଦ୍ଧି, ନୂତନ ପେନ୍ସନ ନୀତିରେ ସୁଧାର ପ୍ରମୁଖ ସାମିଲ୍ ଥିଲା । ଓଡ଼ିଶା ସମାଚାର
