ପାଟକୁରା ୨୦/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ପାଟକୁରାରେ ଆଜି ନିର୍ବାଚନ ପରେ ପରେ କେତେକ ସ୍ଥାନରେ ନିର୍ବାଚନୀ ହିଂସା ସୃଷ୍ଟି ହୋଇଛି । ଏଥିରେ ୪ ଜଣ ଆହତ ହୋଇ ପାଟକୁରା ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ,ଗୁରୁତର ଦୁଇ ଜଣଙ୍କୁ କେନ୍ଦ୍ରାପଡା ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି । ମିଳିଥିବା ସୂଚନାରୁ ପ୍ରକାଶ ଯେ,ପାଟକୁରା ଥାନା ଅନ୍ତର୍ଗତ ତିକନପୁର ଗ୍ରାମର ଧନୁର୍ଦ୍ଧର ମଲିକ୍(୪୦) ଭୋଟ ଗ୍ରହଣ କେନ୍ଦ୍ରରୁ ଭୋଟ ଦେଇ ସାରି ନିଜ ତ୍ସ୍ରୀ,ପିଲାଙ୍କୁ ନେଇ ଘରକୁ ଫେରୁଥିବା ବାଟରେ ତିକନପୁର ଛକ ନିକଟରେ ଅପରପକ୍ଷରୁ ହଠାତ୍ କେତେକ ଯୁବକମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ଧନୁର୍ଦ୍ଧରଙ୍କର ମୁଣ୍ଡ ଓ ହାତରେ ଆଘାତ ଲାଗିଛି । ସେଠାରେ ପୁଲିସ ପହଂଚିବାରୁ ଅପରାଧିମାନେ ସେଠାରୁ ଛାଡି ପଳାଇଥିଲେ ବୋଲି ଧନୁର୍ଦ୍ଧର ପାଟକୁରା ମେଡିକାଲରେ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ସେହିପରି ତଳକୁସୁମା ପଂଚାୟତ ଅନ୍ତର୍ଗତ ବଙ୍ଗାରୀ ଗ୍ରାମରେ ଆଜି ସନ୍ଧ୍ୟାରେ ଏକ କୁକୁଡା ଫାର୍ମ ମଧ୍ୟରେ ଦୁବୃର୍ତମାନେ ମରଣାନ୍ତକ ଆକ୍ରମଣ କରି ତିନି ଜଣଙ୍କୁ ଆହତ କରିଥିବାର ଜଣାଯାଇଛି । ପ୍ରକାଶ ଯେ ବଙ୍ଗାରୀ ଗ୍ରାମର ଅବସରପ୍ରାପ୍ତ ସୈନିକ ଗଣେଶ୍ୱର ନାୟକ(୫୪)ଙ୍କର ଗ୍ରାମରେ ଏକ କୁକୁଡା ଫାର୍ମ ଅଛି । ସେଠାରେ ଆଜି ଗଣେଶ୍ୱରଙ୍କର ପୁଅ ବିଳାସ (୨୭) ଓ ଗଣେଶ୍ୱରଙ୍କର ଶଳା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବଉଳାଙ୍ଗ ଗ୍ରାମର ଦୁଷ୍ମନ୍ତ ପଟନାୟକ(୩୦) ଫାର୍ମରେ ରହି କାର୍ଯ୍ୟ କରୁଥିବାବେଳେ, ସେଠାରେ ତଳକୁସୁମା ଗ୍ରାମର କାହ୍ନା ଓ ତାଙ୍କର୧୦ରୁ ୧୨ଜଣ ସମର୍ଥକମାନେ ସେଠାରେ ପହଂଚି ଭୁଜାଲି ଓ ଲୁହାରଡରେ ମରଣାନ୍ତକ ଆକ୍ରମଣ କରିଥିଲେ । ବିଳାସ ଓ ଦୁଷ୍ମନ୍ତଙ୍କୁ ଆକ୍ରମଣ କରୁଥିବାର ଦେଖି ଗଣେଶ୍ୱର ସେଠାରେ ପହଂଚିବାରୁ ତାଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିଛନ୍ତି ।
ଗଣେଶ୍ୱରଙ୍କର ମୁଣ୍ଡ,ଆଖି ଓ ପିଠିରେ ଆଘାତ ଲାଗିଥିବାବେଳେ, ବିଳାସଙ୍କର ମୁଣ୍ଡ,ମୁହଁ,ପିଠି ଓ ଗୋଡରେ ଗଭୀର ଆଘାତ ଲାଗିଛି । ଅପରାଧିମାନଙ୍କର ବ୍ୟବହୃତ ଏକ ବାଇକ୍ ମଧ୍ୟ କୁକଡା ଫାର୍ମରେ ରହିଥିବାର ଗଣେଶ୍ୱର ମେଡିକାଲରେ ଚିକିତ୍ସା ହେଉଥଇବା ଅବସ୍ଥାରେ ପ୍ରକାଶ କରିଛନ୍ତି । ଖବର ଲେଖାହେବା ବେଳକୁ ଥାନାରେ ଲିଖିତ ଅଭିଯୋଗ କରାଯାଇ ନ ଥିବାର ଜଣାଯାଇଛି । ପୁଲିସ ଏହି ଘଟଣାରେ ତଳକୁସୁମା ଗ୍ରାମର କାହ୍ନାକୁ ଥାନାରେ ଅଟକ ରଖିଥିବାର ଜଣାଯାଇଛି ।
କାହ୍ନା ବିଳାସକୁ ୨୦ ହଜାର ଟଙ୍କା ମାଗିଥିଲା,ବିଳାସ ମନା କରିବାରୁ ଓ ପୂର୍ବ ରାଜନୈତିକ ଶତୃତାକୁ କେନ୍ଦ୍ରକରି ଏପରି କାଣ୍ଡ ଭିଆଇଥିବାର ଗଣେଶ୍ୱର ପ୍ରକାଶ କରିଛନ୍ତି । ବିଳାସ ଓ ଦୁଷ୍ମନ୍ତଙ୍କୁ ଅଧିକ ଚିକିତ୍ସା ପାଇଁ କେନ୍ଦ୍ରାପଡା ମେଡିକାଲକୁ ନିଆଯିବାର ବ୍ୟବସ୍ଥା କରାଯାଉଥିବାର ଦେଖାଯାଇଛି । ଓଡ଼ିଶା ସମାଚାର