କେନ୍ଦ୍ରାପଡା ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )- ବାରିମୂଳ ପଂଚାୟତ ପଡିଆରେ ଏସପି ନୀତି ଶେଖରଙ୍କ ଦ୍ୱାରା ଏକ ବୈଦୁତିକ ଗଣମାଧ୍ୟମର ପ୍ରତିନିଧି ଅଜେଶ କୁମାର ମଲ୍ଲିକଙ୍କୁ ଗାଳିଗୁଲଜ କରିବା ମାଡ ମାରିବା ଓ ଧମକ ଦେବା ଘଟଣାକୁ ନେଇ କେବଳ କେନ୍ଦ୍ରାପଡା ଜିଲ୍ଲାରେ ନୁହେଁ ସାରା ରାଜ୍ୟରେ ପ୍ରତିବାଦର ସ୍ୱର ଦେଖିବାକୁ ମିଳିଛି । ଏସପି ଶ୍ରୀ ଶେଖରଙ୍କ ସଂପୃକ୍ତ ସାମ୍ବାଦିକଙ୍କ ପ୍ରତି ଏଭଳି ବ୍ୟବହାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ବିଭିନ୍ନ ମହଲରେ ଏଥି ନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଗଣମାଧ୍ୟମର କଣ୍ଠରୋଧ କରିବା ଉଦେଶ୍ୟରେ ଏସପିଙ୍କ ଏଭଳି ବ୍ୟବହାରକୁ ସବୁ ମହଲରେ ନିନ୍ଦା କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କଳା ବ୍ୟାଚ ପିନ୍ଧି ସାମ୍ବାଦିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହିତ ଜିଲ୍ଲା ପ୍ରଶାସନକୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ରରେ ଦର୍ଶାଯାଇଛି ଯେ କେନ୍ଦ୍ରାପଡା ପ୍ରବାଦ ପୁରୁଷ ବିଜୁବାବୁଙ୍କ କର୍ମଭୂମି । ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ କେନ୍ଦ୍ରାପଡାର ବିକାଶ ଦାୟିତ୍ୱ ନେଇଥିବା ଘୋଷଣା କରିଥିଲେ । ହେଲେ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିଭିନ୍ନ ସମୟରେ ସଙ୍ଗୀନ ହୋଇ ରହିଥିବା ବେଳେ ପୋଲିସ ପ୍ରଶାସନ ତା’ର ଉତରଦାୟିତ୍ୱ ସମ୍ପାଦନ କରିବାରେ ବିଫଳ ହୋଇଛି । ପୋଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗରୀବ ଲୋକଙ୍କୁ ଶୋଷଣ ଓ ଅତ୍ୟାଚାର କରିବାର ଅନେକ ନଜିର ରହିଛି । କେନ୍ଦ୍ରାପଡା ପୋଲିସର ବିଭିନ୍ନ ଅଧିକାରୀଙ୍କ କାର୍ଯ୍ୟଶୈଳି ଓ ଦକ୍ଷତାକୁ ନେଇ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ ନିଜ ଦାୟିତ୍ୱକୁ ସଠିକ ଭାବରେ ସମ୍ପାଦନ ନକରି ଜଣେ କର୍ତବ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଜିଲ୍ଲାରେ ଆଇନଶୃଙ୍ଖଲା ପରିସ୍ଥିତି ଗୁରୁତର ହେଉଥିବାରୁ ଏକ ଉଚ୍ଚ କ୍ଷମତା ସଂପନ୍ନ ଟିମ ଜରିଆରେ ତଦନ୍ତ କରାଯିବା ସହିତ ଜିଲ୍ଲାରେ ଥିବା ଅପାରଗ ପୋଲିସ ଅଧିକାରୀଙ୍କୁ ଜିଲ୍ଲାରୁ ବଦଳି କରାଯିବା ଆବଶ୍ୟକ । ଏଥିସହିତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବା ଏସପିଙ୍କୁ ମଧ୍ୟ କେନ୍ଦ୍ରାପଡାରୁ ବଦଳି କରାଯିବା ସହିତ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ନଚେତ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ପ୍ରତିବାଦ ସହ ପ୍ରଶାସନକୁ ଅସହଯୋଗ କରାଯିବ ବୋଲି ସଙ୍ଘ ପକ୍ଷରୁ ବରିଷ୍ଠ ସଦସ୍ୟ ଚିତରଞ୍ଜନ ଦାସ ଚେତାବନୀ ଦେଇଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଶର୍ମିଷ୍ଠା ମାହାଳିଙ୍କୁ ସାମ୍ବାଦିକ ସଙ୍ଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଓଡ଼଼ିଶା ସମାଚାର