Thursday , September 28 2023
Home / ତାଜା ଖବର / ବାଲେଶ୍ୱରରେ ନକଲି ମୋବିଲ୍ କାରଖାନା ଠାବ

ବାଲେଶ୍ୱରରେ ନକଲି ମୋବିଲ୍ କାରଖାନା ଠାବ

୧୦ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ମୂଲ୍ୟର ମୋବିଲ୍ ଜବତ – ବ୍ରାଣ୍ଡେଡ୍ କମ୍ପାନୀର ଲେବୁଲ୍, ଜାର୍କିନ୍ ଓ ଖୋଳ ଜବତ – ଅଭିଯୁକ୍ତ ୨ ଭାଇ ଗିରଫ – ମାଷ୍ଟରମାଇଣ୍ଡ ଫେରାର

ବାଲେଶ୍ୱର, ୨୦/୦୭/୨୦୧୯ (ଓଡ଼ିଶା ସମାଚାର)-ବାଲେଶ୍ୱର ଜିଲ୍ଲା ସହଦେବଖୁଂଟା ଥାନା ଅଧୀନ ଅରଡ଼ ବଜାରରେ ପୁଲିସ ଏକ ନକଲି ମୋବିଲ୍ କାରଖାନା ଠାବ କରିଛି । ଶୁକ୍ରବାର ସହଦେବଖୁଂଟା ପୁଲିସ ଏହା ଉପରେ ଚଢ଼ଉ କରି ୧୦ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ମୂଲ୍ୟର ନକଲି ମୋବିଲ ସହ ବିଭିନ୍ନ ବ୍ରାଣ୍ଡ୍ର ମୋବିଲ୍ ଖୋଳ, ଲେବୁଲ୍, ପୋଡ଼ା ମୋବିଲ୍, ଠିପି, ମୋବିଲ୍ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ରଙ୍ଗ ଜବତ କରିବା ସହ ଦୁଇଭାଇଙ୍କୁ ଗିରଫ କରିଛି ବୋଲି ଥାନାଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତିମାନେ ହେଲେ ଆରଡ଼ ବଜାର ଗଳାପୋଲ ଅଂଚଳର ଇଦ୍ରିଶ ଖାନ୍ଙ୍କ ବଡ଼ପୁଅ ୟୁସୁଫ୍ ଖାନ୍ (୩୦) ଏବଂ ସାନ ପୁଅ ଇରସାଦ୍ ଖାନ୍(୧୮) । ଏନେଇ ପୁଲିସ ଥାନାରେ ଏକ ମାମଲା (ନଂ.୧୯୮/୧୯) ରୁଜୁକରି ଅଧିକ ତଦନ୍ତ ଚଳାଇଛି । ସୂଚନା ଅନୁସାରେ, ଅରଡ଼ ବଜାର ଅଂଚଳର ଶେକ୍ ଅବଦୁଲ୍ ମଜିଜ୍ (୬୦)ଙ୍କ ଘରେ ଦୀର୍ଘ ୨୫ ବର୍ଷ ଧରି ଗଳାପୋଲ ଅଂଚଳର ଇଦ୍ରିସ୍ ଖାନ୍କୁ ଭଡ଼ାରେ ରହୁଥିଲେ । ଏହା ମଧ୍ୟରେ ଇଦ୍ରିସ୍ଙ୍କ ଦୁଇ ପୁଅ ୟୁସୁଫ୍ ଓ ଇରସାଦ୍ ଘରେ ନକଲି ମୋବିଲ୍ ତିଆରି କରିବା ଆରମ୍ଭ କରିଥିଲେ । ସେମାନେ ଏହି ନକଲି ମୋବିଲ୍ ବିଭିନ୍ନ ବ୍ରାଣ୍ଡ୍ ଯଥା କ୍ୟାଷ୍ଟ୍ରଲ୍, ସେରଭୋ, ପ୍ରାଇଡ୍, ଗଲ୍ଫ ଆଦିର ଖୋଳରେ ଏହାକୁ ଭରି ବାଲେଶ୍ୱର ଜିଲ୍ଲାର ବିଭିନ୍ନ କାଉଂଟର ସହ ବାଲେଶ୍ୱର ଜିଲ୍ଲା ବାହାରକୁ ପଠାଉଥିଲେ । ଏପରିକି ଓଡ଼ିଶା ବାହାରକୁ ମଧ୍ୟ ଏହି ନକଲି ମୋବିଲ୍ ପଠାଉଥିଲେ । ତେବେ ଗଲ୍ଫ କମ୍ପାନୀ ସହ ଅନୁବନ୍ଧିତ ଥିବା ଏସ୍ବିଆଇପିଆର୍ (ସେଲ୍ଡ ବିଜନେସ୍ ଅଫ୍ ଇନ୍ଟେଲ୍କୁଚ୍ୟୁଆଲ୍ ପ୍ରପୋର୍ଟି ରାଇଟର୍ସ) ନାମକ ଏକ ସଂସ୍ଥା ରହିଛି । ଏହି ସଂସ୍ଥା କେବଳ ଗଲ୍ଫ କମ୍ପାନୀର ମୋବିଲ୍ ବିକ୍ରି କରୁଥିବା ଡିଲର୍ମାନଙ୍କ ଉପରେ ନଜର କରିଥାଆନ୍ତି । ବଜାରରେ କମ୍ପାନୀର ମୋବିଲ୍ ବିକ୍ରି ଧୀରେ ଧୀରେ କମିବା ଏବଂ କମ୍ ଦାମ୍ରେ ବିକ୍ରି ହେଉଥିବା ଗଲ୍ଫ କମ୍ପାନୀର ଅଧିକାରୀମାନେ ଜାଣିବା ପରେ କମ୍ପାନୀର ସିନିୟର୍ ତଦନ୍ତକାରୀ ଏକ୍ଜିକ୍ୟୁଟିଭ୍ ସନ୍ତୋଷ ଯାଦବ ବାଲେଶ୍ୱର ଆସି ବିଭିନ୍ନ କାଉଂଟରରେ ସର୍ଭେ କରିବା ପରେ ଏହି ନକଲି ମୋବିଲ୍ ବିଭିନ୍ନ କାଉଂଟରରେ ବିକ୍ରି ହେଉଥିବା ଜାଣିବାକୁ ପାଇଥିଲେ । ଏହାପରେ ସେ ୟୁସୁଫ୍ ଓ ଇର୍ସାଦ୍ଙ୍କ ଉପରେ ୩ ମାସ ଧରି ନଜର ରଖିଥିଲେ । ଗୋଟିଏ କ୍ୟାନ୍ ନକଲି ମୋବିଲ୍ ପ୍ରସ୍ତୁତ ପାଇଁ ସେମାନେ ୭୦ରୁ ୮୦ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହାକୁ ବିଭିନ୍ନ କାଉଂଟରରେ ୧୫୦ରୁ ୧୮୦ ଟଙ୍କାରେ ବିକ୍ରି କରୁଥିଲେ ଏବଂ ଡିଲର୍ ତାହାକୁ ୨୭୦ରୁ ୨୮୦ ଟଙ୍କା ମଧ୍ୟରେ ଗ୍ରାହକଙ୍କୁ ଦେଉଥିଲେ । ଏ ସମ୍ପର୍କରେ ଶ୍ରୀ ଯାଦବ ସହଦେବଖୁଂଟା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଓ ଗଲ୍ଫ୍ କମ୍ପାନୀ ତଦନ୍ତକାରୀ ଟିମ୍ ଶୁକ୍ରବାର ଅପରାହ୍ଣ ୧ଟାବେଳେ ଅରଡ଼ ବଜାରସ୍ଥିତ ମସ୍ଜିଦ୍ ଗଳିରେ ଚାଲିଥିବା ଏହି ନକଲି କାରଖାନା ଉପରେ ଅତର୍କିତ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ନକଲି ମୋବିଲ୍ ପ୍ରସ୍ତୁତକାରୀ ଦୁଇଭାଇଙ୍କୁ ଗିରଫ କରିଥିଲେ । ଏହି ଚଢ଼ଉ ବେଳେ ସମ୍ପୃକ୍ତ ଘରୁ ୬ଟି ବ୍ୟାରେଲ୍ରେ ୧୨ଶହ ଲିଟର ନକଲି ମୋବିଲ୍, ବହୁ ପରିମାଣର ପୋଡ଼ା ମୋବିଲ୍, ବିଭିନ୍ନ ବ୍ରାଣ୍ଡ୍ର ମୋବିଲ୍ କ୍ୟାନ୍, ମୋବିଲ୍ ପ୍ରସ୍ତୁତ ପାଇଁ ବ୍ୟବହୃତ ରଙ୍ଗ, ବିଭିନ୍ନ ଲୋଗୋ, ଠିପି, ଜାର୍ ଆଦି ସହ ଅନ୍ୟ ବିଭିନ୍ନ ସାମଗ୍ରୀ ଜବତ ହୋଇଥିଲା । ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ । ତେବେ ମାଷ୍ଟର୍ମାଇଣ୍ଡ୍ ଇଦ୍ରିଶ୍ ଖାନ୍ ଫେରାର୍ ହୋଇଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *