ସାଲେପୁର, ୧୯/୦୭/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା) – ସୁଦ୍ଧଖଣ୍ଡ ଗ୍ରାମପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଆବଂଟନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଶତାଧିକ ପଂଚାୟତବାସୀ ବ୍ଲକ୍ ସମ୍ମୁଖରେ ଧାରଣାରେ ବସିଥିଲେ । ସାଲେପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଧାରଣାକାରୀଙ୍କ ନିକଟରେ ପହଂଚି ଏହି ପଂଚାୟତରେ ହୋଇଥିବା ଅନିୟମିତତାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଲାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ପ୍ରକାଶ ଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ ସୁଦ୍ଧଖଣ୍ଡ ଗ୍ରାମପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ବଂଟନରେ ବ୍ୟାପକ ଅନିୟମିତତା ହୋଇଅଛି । ଅଧିକାଂଶ ହିତାଧିକାରୀମାନେ ସରକାରଙ୍କର ଇନ୍ଦିରାଆବାସ ଯୋଜନା, ବିଜୁ ପକାଘର ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକାଘର ପାଇଥିଲେ ମଧ୍ୟ ଏବେ ସେମାନଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନ କରଯିବାପାଇଁ କେତେକ କୁଜି ନେତା ଅସାଧୁ କର୍ମଚାରୀଙ୍କୁ ଧରି ମସୁଧା ଚଳାଇଛନ୍ତି । ସେହିପରି ଏହି ପଂଚାୟତରେ କେତେକ ବ୍ୟକ୍ତିଙ୍କର ବଡ଼ ବଡ଼ କୋଠାଘର ଥାଇ ମଧ୍ୟ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକାଘର ଦେବାପାଇଁ ବ୍ଲକ୍ କର୍ମଚାରୀଙ୍କ ଉପରେ ଚାପ ପକାଯାଉଛି । ଅପର ପକ୍ଷରେ ଏହି ପଂଚାୟତର କିଛି କୁଜିନେତା ପୂର୍ବରୁ ଯୋଗ୍ୟ ତାଲିକାଭୁକ୍ତ ଥିବା ପ୍ରାୟ ୧୫ଜଣ ହିତାଧିକାରୀଙ୍କ ନାମକୁ କାଟି ଦିଆଯାଇଥିବା ଅଭିଯୋଗ କରି ଏହି ପଂଚାୟତର ସରପଂଚ ସ୍ୱପ୍ନାମଞ୍ଜରୀ ସାମଲ, ସମିତିସଭ୍ୟ ବାବାଜୀ ଚରଣ ନାୟକ, ନିରଞ୍ଜନ ସ୍ୱାଇଁଙ୍କ ସମେତ ବହୁ ପଂଚାୟତବାସୀ ଏହି ଧାରଣାରେ ସାମିଲ ହେବା ସହ ବିଡ଼ିଓ କିଶୋର କୁମାର ପଣ୍ଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର