ପାରାଦ୍ୱୀପ ୧୮/୦୭/୨୦୧୯ (ଓଡ଼ିଶା ସମାଚାର)- ୧୦୬ ବାଟାଲିୟନ୍ ରାପିଡ୍ ଆକ୍ସନ ଫୋର୍ସ (ଆରଏଏଫ୍) ଜାମସେଦପୁର ଟାଟାରୁ ୫୦ଜଣ ଜବାନ ବୁଧବାର ଦିନ ବନ୍ଦର ସହର ପାରାଦ୍ୱୀପରେ ଏକ ଫ୍ଲାଗମାର୍ଚ୍ଚ କରି ସହର ପରିକ୍ରମା କରି ଜନସାଧାରଣ ମାନଙ୍କୁ ଆଇନ ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହିତ ଲୋକମାନଙ୍କ ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ । ଏହାଛଡା ସର୍ବସାଧାରଣଙ୍କୁ କୌଣସି ସମୟରେ ସେଭଳି କିଛି ଅପରାଧିକ କାର୍ଯ୍ୟ କିମ୍ବା ଗଣ୍ଡଗୋଳ ରେ ସାମିଲ ନ ହେବା ପାଇଁ ପରାମର୍ଶ ଦେଇଥିଲେ । ଯଦି କିଛି ସେପରି ପରିସ୍ଥିତି ଆସେ ତେବେ ସୁରକ୍ଷା ନିମନ୍ତେ ଆର୍.ଏ.ଏଫ୍ ସର୍ବଦା ସଜାଗ ବୋଲି ଏହି ଫ୍ଲାଗମାର୍ଚ୍ଚର ନେତୃତ୍ୱ ନେଇଥିବା ଆର୍.ଏ.ଏଫ୍ ଡେପୁଟି କମାଣ୍ଡାଂଟ ପର୍ଶୁରାମ କୁଣ୍ଡୁ ପ୍ରକାଶ କରିଥିଲେ । ତେବେ ବୁଧବାର ସକାଳେ ୫୦ ସଦସ୍ୟ ବିଶିଷ୍ଟ ଏହି ଫ୍ଲାଗମାର୍ଚ୍ଚ ପାରାଦ୍ୱୀପ ଆଦର୍ଶ ଥାନାରୁ ବାହାରି ବଡପଡିଆ ମାର୍କେଟ ସହର ପରିକ୍ରମା କରି ବଡପଡିଆ ମୁଖ୍ୟରାସ୍ତା, ଜୟଦେବ ସଦନ ଛକ, ପୋର୍ଟକ୍ଳବ ଛକ, ବସଷ୍ଟାଣ୍ଡ ଛକ ଦେଇ ପୁନର୍ବାର ଥାନା ପରିସର ନିକଟରେ ସମାପ୍ତ ହୋଇଥିଲା । ଏହି ଫ୍ଲାଗମାର୍ଚ୍ଚରେ ପାରାଦ୍ୱୀପ ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ସାମଲ, ଏସ୍ଆଇ ଆର୍.କେ ଭୋଳ, ଆର୍.ଏନ୍. ବେହେରା ଓ ଅନ୍ୟାନ୍ୟ ଥାନା କର୍ମଚାରୀ ସହଯୋଗ କରିଥିଲେ । ଏହାପରେ ଅପରାହ୍ନରେ ପାରାଦ୍ୱୀପ ଆଇଓସିିଏଲ ରିଫାଇନାରୀ ଅଂଚଳରେ ଏହି ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର