ପାରାଦ୍ୱୀପ ୧୮/୦୭/୨୦୧୯ (ଓଡ଼ିଶା ସମାଚାର)- ବୁଧବାର ଦିନ ପାରାଦ୍ୱୀପ ଠାରେ ଥିବା ଭାରତ ପେଟ୍ରୋଲିୟମ କରର୍ପୋରେସନ ଲିମିଟେଡ ତରଫରୁ ତୈଳ ଷ୍ଟୋରେଜ ଟାଙ୍କିର ସଂପ୍ରସାରଣ ନିମନ୍ତେ ହେଉଥିବା ଜନ ଶୁଣାଣୀ କୁ ବିରୋଧ କଲେ ସ୍ଥାନୀୟ ଜନସାଧାରଣ । କମ୍ପାନୀ ପକ୍ଷରୁ ଇେଇନାଲ୍, ବାୟୋଡିଜେଲ ଓ ଏଚ.ଏସ.ଡି ର ଭଣ୍ଡାର ପାଇଁ ୧୯ କୋଟି ଟଙ୍କା ବିନିଯୋଗରେ ଏହି ଭଣ୍ଡାର ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏକ ଜନଶୁଣାଣୀ ର ଆୟୋଜନ କରାଯାଇଥିଲା । ଏହି ଶୁଣାଣୀରେ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧୀର, ଆଞ୍ଚଳିକ ପ୍ରଦୁଷଣ ବୋର୍ଡର ଅଧିକାରୀ ଓ ଅତିରିକ୍ତ ଏସ୍.ପି ଉପସ୍ଥିତ ଥିଲେ । ତେବେ ଯେଉଁଜନଶୁଣାଣୀ ହେଉଥିଲା ସେ ବିଷୟରେ କମ୍ପାନୀ ପକ୍ଷରୁ କାହାରିକୁ ସୂଚନା ଦିଆଯାଇନଥିଲା, ନାଁ ସ୍ଥାନୀୟ ଲୋକମାନଙ୍କୁ ଅବଗତ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି । କେବଳ କିଛି ନିଜର ବ୍ୟବସାୟିକ ବ୍ୟକ୍ତି ବିଶେଷଙ୍କୁ ଏହି ଜନଶୁଣାଣୀ ରେ ଭାଗ ଦେଇ କମ୍ପାନୀ ଏକ ପ୍ରକାର ମନମାନି ଚଳାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଂଚଳର ଲୋକମାନେ । ପୂର୍ବର ୬୦ ହଜାର କେ.ଏଲ୍ ତୈଳ ରହିବାର କ୍ଷମତା ଥିବା ବେଳେ ରାଜ୍ୟର ଆବଶ୍ୟକତା ଦୃଷ୍ଟିରୁ ଏହାକୁ କମ୍ପନୀ ଆହୁରି ୧୩ ହଜାର କେ.ଏଲ୍ ତୈଳ ରହିବା କ୍ଷମତା ବିଶିଷ୍ଟ ତୈଳ ଟାଙ୍କି ନିର୍ମାଣ କରାଯିବ । ତେବେ କମ୍ପାନୀର ଏହି ସଂପ୍ରସାରଣ ନିମନ୍ତେ ହେଉଥିବା ଜନଶୁଣାଣୀକୁ ନେଇ ସ୍ଥାନୀୟ ଅଂଚଳର ଲୋକମାନେ ତୀବ୍ର ବିରୋଧ କରିବା ସହିିତ ପ୍ରଥମେ ସ୍ଥାନୀୟ ଅଂଚଳର ଲୋକମାନଙ୍କ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି । ତେବେ କମ୍ପାନୀ ଯେଉଁ ଭଳି ଜନବସତି ନିକଟରେ ଗଢି ଉଠିଛି ତାହାକୁ ନେଇ ଅଂଚଳ ବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । କାରଣ ବିଗତ ଦିନରେ ଅନେକ ଥର ତେଲ ପାଇପ ଲିକେଜ ହୋଇ ନଦୀରେ ମିଶିବା ଓ ତା ସହିତ କମ୍ପାନୀ ନିକଟରେ ଗ୍ୟାସ ଟର୍ମିନାଲ ନିର୍ମାଣ ହେବା ଯାହା ଆଗାମୀ ଦିନରେ ଏ ଅଂଚଳ ପାଇଁ ବିଷ୍ପୋରକ ପରିସ୍ଥିତି ସୃଷ୍ଟି କରିବ ବୋଲି ଅଭିଯୋଗ ହେଉଛି । ଅନ୍ୟପଟେ ପ୍ରଶାସନ ଲୋକମାନଙ୍କ ଦାବିକୁ ଯତାର୍ଥ ବୋଲି କହିବା ସହ ଅତିରିକ୍ତ ଜିଲ୍ଲାପାଳ ଏହି ସବୁ ସମସ୍ୟାର ସମାଧାନ କରି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କମ୍ପାନୀ ପକ୍ଷରୁ ସାଧାରଣ ଲୋକଙ୍କୁ ନଜଣାଇ କେବଳ ବ୍ୟବସାୟରେ ସଂପୃକ୍ତ ଥିବା ବ୍ୟକ୍ତି ଓ ନିଜ କର୍ମଚାରୀଙ୍କୁ ନେଇ ଜନଶୁଣାଣୀ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଓଡ଼ିଶା ସମାଚାର