ବାଲେଶ୍ୱର, ୧୭/୦୭/୨୦୧୯ (ଓଡ଼ିଶା ସମାଚାର)- ବେଆଇନ ଭାବେ କୋଲକାତାରୁ ଭଦ୍ରକ ଚୋରାଚାଲାଣ କରାଯାଉଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ଜିଞ୍ଜର ସିରପ୍ ସହ ଏକ ପିକ୍ଅପ୍ ଭ୍ୟାନ୍କୁ ବାଲେଶ୍ୱର ଜିଲ୍ଲା ମୋବାଇଲ ସ୍କ୍ୱାଡ୍ ମଙ୍ଗଳବାର ଶିଳ୍ପାଂଚଳ ଥାନା ନିକଟସ୍ଥ ବାମପଦା ଛକଠାରେ ଜବତ କରିଛି । ଏହା ସହ ଗାଡ଼ିର ମାଲିକ ତଥା ଡ୍ରାଇଭର ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ କୁମାରପୁର ଅଂଚଳର ପଦ୍ମଲୋଚନ ପଣ୍ଡାଙ୍କ ପୁଅ ପ୍ରଶାନ୍ତ କୁମାର ପଣ୍ଡା (୨୮)ଙ୍କୁ ଗିରଫ କରିଛି । ଏନେଇ ଅବକାରୀ ବିଭାଗ ଏକ ମାମଲା (ନଂ.୬୭/୧୯-୨୦) ରୁଜୁକରି ଅଧିକ ତଦନ୍ତ ଚଳାଇଛି । ସୂଚନା ଅନୁସାରେ, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ ଓ ଜିଲ୍ଲା ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶକ୍ରମେ ବାମପଦା ଛକଠାରେ ଏହି ଚଢ଼ଉ କରାଯାଇଥିଲା । ମୋବାଇଲ ସ୍କ୍ୱାଡ୍ ଅଧିକାରୀ ଉଦେଲାଲ ନାୟକଙ୍କ ସୂଚନା ଅନୁସାରେ, ଓଡି୦୧ୟୁ୪୨୨୨ନମ୍ବର ବିଶିଷ୍ଟ ଏକ ପିକ୍ଅପ୍ ଭ୍ୟାନ୍ ଯୋଗେ କୋଲ୍କାତାରୁ ଭଦ୍ରକ ଅଭିମୁଖେ ଜିଞ୍ଜର ସିରପ୍ ଆସୁଥିବା ଖବର ପାଇ ମୋବାଇଲ ସ୍କ୍ୱାଡ୍ ବାମପଦା ଛକଠାରେ ସକାଳ ୧୧ଟା ୩୦ମିନିଟ ସମୟରେ ଗାଡ଼ିଟିକୁ ଅଟକାଇଥିଲା । ଗାଡ଼ି ମଧ୍ୟରୁ ୨୫ଟି ପେଟିରେ ଜିଞ୍ଜର ସିରପ୍ ଥିବା ଜାଣିବାକୁ ପାଇଥିଲା । ଉକ୍ତ ପେଟିରେ ୧୨୫୦ଟି ବୋତଲ ଅର୍ଥାତ ୫୬୨ଲିଟର ଜିଞ୍ଜର ଥିଲା ଏବଂ ତାହାର ମୂଲ୍ୟ ପ୍ରାୟ ଦେଢ଼ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି । ଏହି ଜିଞ୍ଜର ଝାଡ଼ଖଣ୍ଡର ଦେଓଘର ଜିଲ୍ଲାରେ ପ୍ରସ୍ତୁତି ହୋଇ ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ କରାଯାଇଥାଏ ବୋଲି ଅବକାରୀ ଅଧୀକ୍ଷକ ସୂଚନା ଦେଇଛନ୍ତି । ଏନେଇ ଅବକାରୀ ବିଭାଗ ପକ୍ଷରୁ ଉକ୍ତ ଗାଡ଼ି ସହ ଜିଞ୍ଜର୍କୁ ଜବତ କରିବା ସହ ଗାଡ଼ି ଡ୍ରାଇଭର ପ୍ରଶାନ୍ତଙ୍କୁ ଗିରଫ କରାଯାଇଛି । ଏଠାରେ ସୂଚନାଯୋଗ୍ୟ, ଗତ ଜାନୁଆରୀ ମାସରେ ମଧ୍ୟ ଅବକାରୀ ମୋବାଇଲ୍ ସ୍କ୍ୱାଡ୍ ଏକଶହ ପେଟି ଜିଞ୍ଜର ଜବତ କରିଥିଲା । ଏହି ଚଢ଼ଉରେ ମୋବାଇଲ ସ୍କ୍ୱାଡ୍ ଅଧିକାରୀ ଶ୍ରୀ ନାୟକଙ୍କ ସହ ଚନ୍ଦ୍ରମୋହନ ସେଠୀ, ପ୍ରହଲ୍ଲାଦ ବିଶ୍ୱାଳ, ସେକ୍ କଲିମ୍, ଅଞ୍ଜନ କୁମାର ଜେନା, ବାପି ରାଉତ ପ୍ରମୁଖଙ୍କ ସହ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ । ଓଡ଼ିଶା ସମାଚାର