Tuesday , October 26 2021
Breaking News
Home / ତାଜା ଖବର / ଧରାପଡ଼ିଲେ ହାଇପ୍ରୋଫାଇଲ୍ ଲୁଟେରା – ବନ୍ଧୁକ, ଅଳଙ୍କାର, ୨ କାର୍, ୪ ବାଇକ୍ ଜବତ, ୪ ଗିରଫ

ଧରାପଡ଼ିଲେ ହାଇପ୍ରୋଫାଇଲ୍ ଲୁଟେରା – ବନ୍ଧୁକ, ଅଳଙ୍କାର, ୨ କାର୍, ୪ ବାଇକ୍ ଜବତ, ୪ ଗିରଫ

ଭୁବନେଶ୍ୱର, ୧୭/୦୭/୨୦୧୯ (ଓଡ଼ିଶା ସମାଚାର)- ରାଜଧାନୀରେ ହଇଚଇ ସୃଷ୍ଟି କରିଥିବା ଏକ ଲୁଟେରା ଗ୍ୟାଙ୍ଗ୍ର ୪ ଜଣଙ୍କୁ ଖଣ୍ଡଗିରି ଥାନା ପୁଲିସ ମଙ୍ଗଳବାର ଗିରଫ କରିଛି । ପୁଲିସ୍ ସେମାନଙ୍କ ନିକଟରୁ ୨ଟି କାର୍, ଗୋଟିଏ ବନ୍ଧୁକ, ୪ଟି ବାଇକ୍, ୧୫୦ ଗ୍ରାମ୍ର ସୁନା ଅଳଙ୍କାର, ଲ୍ୟାପଟ୍ପ, ଟିଭି ସମେତ ସାଉଣ୍ଡ ବକ୍ସ ଜବତ କରିଛି । ଅଭିଯୁକ୍ତମାନେ ହେଲେ ସହିଦନଗର ଅଂଚଳରେ ଥିବା ଆଖଣ୍ଡଳମଣୀ ବସ୍ତିର ଗଣେଶ ପୂର୍ତି(୨୬), କ୍ୟାପିଟାଲ ଥାନା ଅନ୍ତର୍ଗତ ଝରଣା ବସ୍ତିରେ ରହୁଥିବା ଏସ୍କେ. ସଦାମ୍ ହୁସେନ(୨୬), ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଶାସନରେ ରହୁଥିବା ବଳରାମ ନାୟକ(୨୨) ଓରଫ ବଳିଆ ଓ ସାଲିଆସାହିରେ ରହୁଥିବା ପ୍ରଦୀପ କୁମାର ସାହୁ(୩୮) । ଏହି ଲୁଟେରାମାନେ ସହରର ବିଭିନ୍ନ ସ୍ଥାନରୁ ଛୋଟବଡ଼ ଲୁଟ୍ପାଟ୍ କରିବା ସହିତ ଲୁଟ୍ ଜିନିଷକୁ ବିକ୍ରି କରି ସେହି ଟଙ୍କାରେ ମଉଜ କରୁଥିଲେ । ସେମାନଙ୍କ ଠାରୁ ମିଳିଥିବା ସମସ୍ତ ଜିନିଷ କିଛି ଦିନ ତଳେ ରାଜଧାନୀର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ନେଇ ପୁଲିସ ପାଖରେ ମାମଲା ରୁଜୁ ହୋଇଛି । ଏ ନେଇ ପୁଲିସ କେସ୍ ନଂ ୧୫/୧୯ରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି । ଏହି ଗ୍ୟାଙ୍ଗ୍ରେ ୧୨ରୁ ଅଧିକ ଲୁଟେରା ସମ୍ପୃକ୍ତ ଥିବା ପୁଲିସ ଅନୁମାନ କରିଛି । ତେଣୁ ଏହି ଗ୍ୟାଙ୍ଗର ଅନ୍ୟ ଲୁଟେରା ମାନଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଚଳାଇଛି । ଗିରଫ ହୋଇଥିବା ଲୁଟେରାଙ୍କ ମଧ୍ୟରୁ ଅଭିଯୁକ୍ତ ଗଣେଶ ପୂର୍ତି ନାମରେ କମିଶନରେଟ୍ ପୁଲିସ ଅଧୀନରେ ଥିବା ବିଭିନ୍ନ ଥାନାରେ ପୂର୍ବରୁ ଅନେକ ମାମଲା ରୁଜୁ ହୋଇଛି । ସେହିପରି ଏସ୍କେ. ସଦମ୍ ହୁସେନ ନାମରେ ଭୁବନେଶ୍ୱର ସମେତ ପୁରୀର କେତେକ ଥାନାରେ ଅପରାଧିକ ମାମଲା ରୁଜୁ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁଯାୟୀ, ଲୁଟେରାମାନେ ରାଜଧାନୀର ଖଣ୍ଡଗିରି, ଏୟାରପୋର୍ଟ ଓ ଏୟାରଫିଲ୍ଡ ଥାନା ଅଧୀନରେ ଥିବା ଅଂଚଳରେ ଅଧିକ ଲୁଟ୍ପାଟ୍ କରୁଥିଲେ । ରାସ୍ତାରେ ଯାଉଥିବା ଲୋକଙ୍କ ସମେତ ଘର ଭିତରେ ପଶି ବନ୍ଧୁକ ଦେଖାଇ ସାଧାରଣ ଲୋକଙ୍କଠାରୁ ସର୍ବସ୍ୱ ଲୁଟି ନେଉଥିଲେ । ଦାମୀ କାର୍ ସମେତ ସୁନା ଗହଣା ଉପରେ ଏମାନଙ୍କର ଅଧିକ ନଜର ରହୁଥିଲା । ଏହି ଦାମୀ ଜିନିଷ ଲୁଟିବା ପରେ ସେଗୁଡ଼ିକୁ ବିକ୍ରିକରି ଲୁଟେରାମାନେ ମଉଜ କରୁଥିଲେ । ଏ ବାବଦରେ ଖବର ପାଇବା ପରେ ସେମାନଙ୍କୁ ଧରିବା ପାଇଁ ପୁଲିସ ଦୀର୍ଘ ଦିନ ହେବ ଉଦ୍ୟମ ଚଳାଇଥିଲା । ମଙ୍ଗଳବାର ଲୁଟେରାମାନେ ଏକ ୪୦ଲକ୍ଷ ଟଙ୍କାର ଦାମୀ କାର୍କୁ ବିକ୍ରି କରିବା ପାଇଁ ଯୋଜନା କରୁଥିବା ପୁଲିସ ଏକ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା । ଏହାପରେ ଖଣ୍ଡଗିରି ଥାନା ପୁଲିସର ଜଣେ ଅଧିକାରୀ ନିଜେ ଗ୍ରାହକ ସାଜି କାର୍ କିଣିବା ପାଇଁ ଲୁଟେରା ଗଣେଶ ପୂର୍ତିି ପାଖରେ ପହଂଚିଥିଲେ । ସେଠାରେ ପହଂଚିବା ପରେ ୪୦ଲକ୍ଷ ଟଙ୍କାର କାର୍ ଦେଢ଼ଲକ୍ଷ ଟଙ୍କାରେ କିଣିବା ନେଇ ପୁଲିସ ଓ ଲୁଟେରା ମଧ୍ୟରେ କଥା ଛିଡ଼ିଥିଲା । ସେହି ସମୟରେ ଗ୍ୟାଙ୍ଗ୍ର ଅନ୍ୟ ସଦସ୍ୟ ମାନେ ସେଠି ପହଂଚିଯିବାରୁ ପୁଲିସ ସମସ୍ତଙ୍କୁ କାବୁକରି ନେଇଥିଲା । ଏହାସହ ସେମାନଙ୍କ ନିକଟରୁ ସମସ୍ତ ଚୋରି ଜିନିଷ ଜବତ କରିଥିଲା । ଲୁଟେରାମାନଙ୍କୁ ଗିରଫ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଲୁଟେରାଙ୍କୁ ଧରିବା ପାଇଁ ଗିରଫ ଅଭିଯୁକ୍ତମାନଙ୍କୁ ଜେରା କରାଯିବ ବୋଲି ପୁଲିସ ସୂଚନା ଦେଇଛି । ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *