ଭୁବନେଶ୍ୱର, ୧୭/୦୭/୨୦୧୯ (ଓଡ଼ିଶା ସମାଚାର)- ମଦ ଦୋକନୀ ମାନଙ୍କୁ ପୁରଷ୍କାର ଦେବା ବାବଦରେ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ପକ୍ଷରୁ ପ୍ରସ୍ତାବ ଆସିବା ପରେ ଏହାକୁ ବିରୋଧ କରି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଅବକାରୀ ମନ୍ତ୍ରୀଙ୍କ ଘର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରାଯାଇଛି । ତେବେ ମୋନାର ଏକ ପ୍ରତିନିଧି ମଣ୍ଡଳ ସହ ସାକ୍ଷାତ ଆଲୋଚନା କରି ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଏହି ପ୍ରସ୍ତାବକୁ ଆଦୌ ଲାଗୁ କରାଯିବ ନାହିଁ ଏବଂ ଏହା ସହ ସରକାର କୌଣସି ନୂଆ ମଦ ଦୋକାନ ଖୋଲିବାକୁ ଅନୁମତି ଦେବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏ ସଂପର୍କରେ ସୂଚନା ଦେଇ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ଶ୍ରୀଯୁକ୍ତ ସତ୍ୟବ୍ରତ ପୃଷ୍ଟି କହିଛନ୍ତି ଯେ, “ଅବକାରୀ ମନ୍ତ୍ରୀଙ୍କ ସହ ଆଲୋଚନା ଅତ୍ୟନ୍ତ ସକରାତ୍ମକ ରହିଛି । ମନ୍ତ୍ରୀ ଶ୍ରୀ ପୂଜାରୀ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଦ୍ୱାରା ମଦ ଦୋକାନୀ ମାନଙ୍କୁ ପୁରଷ୍କାର ଦିଆଯିବା ପ୍ରସ୍ତାବ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲେ ।” ଏହା ସହ ସେ ତାଙ୍କ କାର୍ଯ୍ୟକାଳରେ କୌଣସି ନୂତନ ମଦ ଦୋକାନ ପାଇଁ ଲାଇସେନ୍ସ ନଦେବାକୁ ପ୍ରତିଶ୍ରୃତି ଦେଇଥିଲେ । ଏହା ପୂର୍ବରୁ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ପକ୍ଷରୁ ବିଧାନସଭାରେ ମଦ ଦୋକାନୀ ମାନଙ୍କୁ ପୁରଷ୍କାର ପ୍ରଦାନ କରିବା ପ୍ରସ୍ତାବ ବିରୋଧରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ଅବକାରୀ ମନ୍ତ୍ରୀଙ୍କ ଘର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିଥିଲେ । ଏଥିରେ ସଙ୍ଗଠନର ୫୦ ଉଦ୍ଧ୍ୱର୍ କାର୍ଯ୍ୟକର୍ତା ଯୋଗ ଦେଇଥିଲେ । ଏହି ଗଣଧାରାଣାରେ ଶ୍ରୀମତୀ ଇନ୍ଦୁମତୀ ସାହୁ, ପ୍ରତୀ ନାୟକ, କାଂଚନବାଳା ଜତି, ବାଣୀ ଦାସ, ବନ୍ଦିତା ଦାସ, ମଳୟ କୁମାର ତ୍ରିପାଠୀ, ରମାକାନ୍ତ ମଣ୍ଡଳ, କାହ୍ମୁଚରଣ ବେଉରା, ସତ୍ୟବ୍ରତ ପୃଷ୍ଟି, ଖଗେଶ୍ୱର ବଳ, ଅର୍ଜୁନ ସାମନ୍ତରାୟ, ବିଜୟ ସ୍ୱାଇଁ ଇତ୍ୟାଦି ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର