ହାଣ୍ଡିଶାଳକୁ ମହଙ୍ଗାମାଡ଼
ସାଲେପୁର,୧୫/୦୭/୨୦୧୯ ଓଡ଼ିଶା ସମାଚାର /ଅଭୟ ଜେନା) : ସାମୁଦ୍ରିକ ଝଡ଼ ଫନିର ପ୍ରଭାବରେ ପରିବା ଫସଲର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅଧୁନା ଜନସାଧାରଣଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । କଂଚା ପନିପରିବାର ଦାମ୍ ଅହେତୁକ ମୂଲ୍ୟବୃଦ୍ଧି ହୋଇଥିବାରୁ ଖାଉଟିମାନେ ପରିବା କିଣିବାକୁ ସକ୍ଷମ ହୋଇପାରୁନାହାନ୍ତି । ବର୍ଷା ଦିନେ ପନିପରିବା ଶସ୍ତା ହୋଇଥାଏ । ମାତ୍ର ଚଳିତ ବର୍ଷ ଏହାର ବିପରୀତ ଅବସ୍ଥା ଉପୁଜିଛି । କୈାଣସି କଂଚା ପରିବା କି.ଗ୍ରା, ୫୦ଟଙ୍କାରୁ କମ୍ ନାହିଁ । ସାଲେପୁର ସାପ୍ତାହୀକ ହାଟରେ କଲରା କିଲୋ ୭୦, ଭେଣ୍ଡି ୫୦, ପୋଟଲ ୬୦, ଜହ୍ନି ୫୦, ବାଇଗଣ ୫୦, ବିଲାତି ୫୦, ଝୁଡ଼ଙ୍ଗ ଛୁଇଁ ୭୦ଟଙ୍କା, କୋବି ଗୋଟିକୁ ୬୦ ରୁ ୭୦ ଟଙ୍କାରେ ବିକ୍ରୀ ହୋଉଥିବା ବେଳେ ବିନ୍ ଛୁଇଁ କିଲୋ ୧୨୦ଟଙ୍କା କଂଚା ଲଙ୍କା କିଗ୍ରା.୨୦୦ଟଙ୍କା, ଅଦା କିଲୋ ୨୨୦ଟଙ୍କାରେ ବିକ୍ରୀ ହେଉଥିବା ଜଣାପଡ଼ିଛି । କଂଚା ପରିବା ଦର ଆଶାତିତ ଭାବେ ମୂଲ୍ୟବୃଦ୍ଧି ଘଟିଥିବାରୁ ଶ୍ରମିକ ଶ୍ରେଣୀ , ଖଟିଖିଆ ନିମ୍ନମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କ ପକ୍ଷେ କଂଚା ପରିବା କିଣି ଖାଇବା ଅସମ୍ଭବ ହୋଇପଡ଼ିଛି । ଶ୍ରମିକ ଶ୍ରେଣୀର ଲୋକମାନେ ପଖାଳ କଂସା ପାଖରେ କଂଚା ଲଙ୍କାକୁ ପରିବା ତରକାରୀ ଭାବେ ଗ୍ରହଣ କରିଥାନ୍ତି । ମାତ୍ର କଂଚାଲଙ୍କା କେଜି ୨୦୦ଟଙ୍କା ହୋଇଥିବାରୁ କିପରି ସଂସାର ଚଳାଇବେ ତାହା ସେମାନଙ୍କର ଚିନ୍ତାର କାରଣ ହୋଇଛି । କଂଚା ପରିବା ସହିତ ତାଳ ଦେଇ ଖାଇବା ତେଲର ମୂଲ୍ୟବୃଦ୍ଧି ଘଟିଛି । ଫଳରେ ସମସ୍ତଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି । ଓଡ଼ିଶା ସମାଚାର