ରଘୁନାଥପୁର, ୧୬/୦୭/୨୦୧୯ (ଓଡ଼ିଶା ସମାଚାର)- ପୁରୁଣାବସନ୍ତ ଦେଉଳିସାହିସ୍ଥିତ ଅନ୍ତୋଦୟ ହାଇସ୍କୁଲ ର ଏକ ପିଣ୍ଡି କାର୍ଯ୍ୟ ଫାଇଲକୁ ନେଇ ଗତକାଲି ବ୍ଲକ୍ ମୁଖ୍ୟ ଫାଟକରେ ତାଲା ପକାଇ ଅଧ୍ୟକ୍ଷାଙ୍କୁ ଅଟକା ଯିବା ଘଟଣାରେ ବ୍ଲକ୍ ପରିସରରେ ଛକା ପନଝା ଲାଗି ରହିଛି । ବିଡ଼ିଓ ବ୍ଲକ୍ ପରିସରରେ ଥାଇ ନୀରବ ଦ୍ରଷ୍ଟା ସାଜିଥିବା ଘଟଣାକୁ ବିରୋଧ କରି ଅଧ୍ୟକ୍ଷା ସ୍ୱପ୍ନା ସରିତା ବଳଙ୍କ ସମର୍ଥକମାନେ ନ୍ୟାୟ ପ୍ରଦାନ ଦାବି କରି ଆଜି ବ୍ଲକ୍ ପରିସରରେ ହୋ ହଲା କରିବା ସହ ବ୍ଲକ୍ କର୍ମଚାରୀମାନଙ୍କୁ ଅଫିସ ରୁ ବାହାରିଯିବାକୁ ନିଦେ୍ର୍ଦଶ ଦେଇଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ କର୍ମଚାରୀମାନେ ପ୍ରାୟ ୧୨ ଟା ୪୫ ରେ ଅଫିସ ଛାଡ଼ି ଚାଲିଯାଇଥିଲେ । ଫଳରେ ଏକ ପ୍ରକାର ବ୍ଲକ୍ ବନ୍ଦ ହୋଇ ଯାଇଥିଲା । ଅନ୍ୟ ପକ୍ଷରେ ଗତକାଲି ଘଟିଯାଇଥିବା ଘଟଣା ପାଇଁ ଅଧ୍ୟକ୍ଷା ବଳ ବିଡ଼ିଓ ପଂଚାନନ ପଟାୟତଙ୍କୁ ଦାୟୀ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ପ୍ରଶାସନିକ ଅଧିକାରୀଭାବେ ବିଡ଼ିଓ ମୁଖ୍ୟ ଅଟନ୍ତି । ଜଣେ ମହିଳାଙ୍କୁ ବ୍ଲକ୍ ପରିସରରେ ହଟହଟା ହେବାକୁ ପଡ଼ୁଥିବାବେଳେ ବିଡ଼ିଓ ଅନ୍ୟାୟାସାରେ ଯିବା ଆସିବା କରିବା ଏବଂ ତାଙ୍କୁ ସସମାନେ ଗେଟ କୁ ତାଲା ଫିଟାଇ ପୁଣି ତାଲା ପକାଯାଇଥିଲା । ଏ ସମ୍ପର୍କରେ ଆଇଆଇସି ବବିତା ଦଳେଇ ପ୍ରକାଶ କରିଛନ୍ତି କି ବ୍ଲକ୍ ଭିତରେ ଘଟୁଥିବା ଘଟଣା ସମ୍ପର୍କରେ ବିଡ଼ିଓ ଫୋନଟିଏ ମଧ୍ୟ କରିନଥିଲେ । ଅଧ୍ୟକ୍ଷାଙ୍କ ପକ୍ଷରୁ ୩ ଜଣ ବ୍ୟକ୍ତିଙ୍କ ନାମରେ ଅଭିଯୋଗ ହେବା ପରେ ପୋଲିସ୍ କେଶ ନଂ ୫୪/୨୦୧୯ ଦଫା ୩୪୧, ୨୯୪, ୩୫୪, ୩୪୨, ୫୦୬, ୨୫ ଓ ୨୭ ଆର୍ମ ଆକ୍ଟ ୩୪ ଆଇପିସି ଧାରାରେ ତଦନ୍ତ ଚଳାଇଥିବାବେଳେ ଅଭିଯୋଗକାରୀ ସରୋଜ କୁମାର ସାହୁଙ୍କ ପକ୍ଷରୁ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ କେଶ ନଂ ୫୫/୧୯ ଦଫା ୩୪୧,୫୦୬, ୩୪ ଆଇପିସି ଅନୁସାରେ ତଦନ୍ତ ଚାଲିଛି । ଆଇଓ ଲିଜାରାଣୀ ବିଶ୍ୱାଳ ଆଜି ବ୍ଲକ୍ କାର୍ଯ୍ୟାଳୟକୁ ଆସି ତଦନ୍ତ ଆରମ୍ଭ କରିଥିବାବେଳେ ବିଡ଼ିଓ ପଂଚାନନ ପଟାୟତ ଅନୁପସ୍ଥିତ ଥିଲେ । ଏଥିରେ ଜିଲାପାଳ ହସ୍ତକ୍ଷେପ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୁଦ୍ଧିଜିବୀଙ୍କ ପକ୍ଷରୁ ଆଲୋଚନା ହେଉଛି । ଓଡ଼ିଶା ସମାଚାର