ତାରପୁର, ୧୪/୦୭/୨୦୧୯ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲା କୃଷକ ସଂଗଠନ ପକ୍ଷରୁ ରଘୁନାଥପୁର ବ୍ଲକ୍ ବିରାଡ଼ି କଟକ ଠାରୁ ନାଲିବର ପର୍ଯ୍ୟନ୍ତ ହଂସୁଆ ନଦୀର ଉଭୟ ପାଶ୍ୱର୍ରେ ବନିକରଣ ଯୋଜନାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏହି ଅବସରରେ ରବିବାର ଗୋଠିଣାସ୍ଥିତ ନାରାୟଣୀ ମନ୍ଦିର ପରିସରରେ ସଂଗଠନର ସଭାପତି ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହାପରେ ନିକଟସ୍ଥ ହଂସୁଆ ବନ୍ଧରେ ସଂଗଠନର ଉପଦେଷ୍ଟା ଅଜୟ କୁମାର ନାୟକ , କୈଳାଶ ଚନ୍ଦ୍ର ମଲିକ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ସ୍ୱାଇଁ ଓ କର୍ମକର୍ତା ସିଦ୍ଧାର୍ଥ ତ୍ରିପାଠୀ ପ୍ରମୁଖ ଚାରା ରୋପଣ କରିଥିଲେ । ବାତ୍ୟା ଫନିରେ କ୍ଷତି ହୋଇଥିବା ଗଛକୁ ଦୃଷ୍ଟିରେ ରଖି ହଂସୁଆ ନଦୀର ଉଭୟ ପାଶ୍ୱର୍ ବନ୍ଧ ୧୫ କିମି ପର୍ଯ୍ୟନ୍ତ ଚାରା ରୋପଣ ପାଇଁ ନିଷ୍ପତି ନେଇଥିବାର ସଂଗଠନର ସମ୍ପାଦକ ଇଂ ବାବାଜୀ ଚରଣ ଜେନା ପ୍ରକାଶ କରିଛନ୍ତି । ବନ ବିଭାଗ ପକ୍ଷରୁ ଚାରା ଯୋଗାଇ ଦିଆଯିବା ପାଇଁ ପ୍ରତିଶୃତି ମିଳିଥିବା ଜଣାପଡ଼ିଛି । ପାରମ୍ପରିକ ଗଛ ଆମ୍ବ , ପଣସ, ଚାକୁଣ୍ଡା ଇତ୍ୟାଦି ଲଗାଯିବାର ସ୍ଥିର କରାଯାଇଛି । ତେବେ ଏହି ଗଛର ଅଭାବ ରହିଥିବାରୁ ବିଭିନ୍ନ ସାଧାରଣ ଲୋକଙ୍କ ବାଡ଼ିରେ ଉଠିଥିବା ଦୀର୍ଘସ୍ଥାୟୀ ଗଛ ଗୁଡ଼ିକୁ ସଂଗ୍ରହ କରିବା ପାଇଁ ଉପଦେଷ୍ଟା ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି । ଫୁଲରା ଗ୍ରାମର ନୀଳାଚଳ ତ୍ରିପାଠୀ ବସ, ଟ୍ରକ ତଥା ଚାରିଚକିଆ ଯାନରେ ପ୍ରଦୁଷଣ ମାତ୍ରା ବଢ଼ୁଥିବାରୁ ଏହାର ମାଲିକ ମାନେ ସ୍ୱତସ୍ପୁର୍ତଭାବେ ଏହି କାର୍ଯ୍ୟ କରିବା ପାଇଁ ଅତି କମ ରେ ୧୦ ଟି ଲେଖା ବୃକ୍ଷ ଲଗାଇବା ପାଇଁ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି ଯାହାକି ପରିବେଶ ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ । ଆଗାମୀ ଦିନରେ ଚାରା ରୋପଣକୁ ପ୍ରାଧାନ୍ୟ ଦିଆଯାଇ ବିଭିନ୍ନ ସ୍ଥାନରେ ଚାଷୀମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଗଠନ ପକ୍ଷରୁ ଶରତ ବାରିକ, ଅରୁଣ ସ୍ୱାଇଁ,ସଚିତ୍ର ସ୍ୱାଇଁ ପ୍ରମୁଖ ସହଯୋଗର ହାତ ବଢ଼ାଇଛନ୍ତି । ଓଡ଼ିଶା ସମାଚାର