ନିଶ୍ଚିନ୍ତକୋଇଲି, ୧୪/୦୭/୨୦୧୯ (ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ପରିସର ତଥା ଆତ୍ମା କାର୍ଯ୍ୟାଳୟ ସମ୍ମୁଖରେ ଏକ ବଡ଼ ପୋଖରୀ ରହଛି । ଦୀର୍ଘବର୍ଷ ହେବ ଏହି ପୋଖରୀଟି ଅପରିତ୍ୟକ୍ତ ଅବସ୍ଥାରେ ରହିଛି । ପୋଖରୀଭିତରେ ଥିବା ବିଭିନ୍ନ ଦଳ ଓ ଅନାବନା ଗଛ ବର୍ଷାପାଣିରେ ପଚିସଢି ଦୁର୍ଗନ୍ଧ ବାହାରି ପରିବେଶକୁ ଦୂଷିତ କରୁଥିଲେ ମଧ୍ୟ ବ୍ଲକ ପ୍ରଶାସନପକ୍ଷରୁ ଏହାକୁ ସଫେଇ ପାଇଁ ପଦକ୍ଷେପ ନିଆଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏହି ପୋଖରୀରେ କାରବାର ପାଇଁ ନିର୍ମିତ ହୋଇଥିବା ପାହାଚଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଳେ ଏହା ଭିତରେ ଦଳ, ଅନାବନା ଗଛ, ଘାସ ଭର୍ତି ହୋଇଛି । ବର୍ଷାଦିନେ ଏହା ଭିତରକୁ ବିଭିନ୍ନ ଅଳିଆ ଆବର୍ଜନା ପାଣି ପଶୁଥିବା ଦେଖାଦେଇଛି । ଖରାଦିନେ ଏହି ପୋଖରୀ କାରବାର ହେଉ ନଥିବା ବେଳେ ବର୍ଷାଦିନ ହେଲେ ବିଭିନ୍ନ ଦଳ ଓ ଘାସ, କୁଟା ପଚିସଢିଯିବାରୁ ଏହାର ଜଳ ଦୂଷିତମୟ ହୋଇଯାଏ । ଏହି ପଚାପାଣିରୁ ବାହାରୁଥିବା ଦୁର୍ଗନ୍ଧ ଅଂଚଳର ପରିବେଶକୁ ଦୂଷିତ କରିଦେଇଛି । ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକ ଏବଂ ବ୍ଲକ କଲୋନୀରେ ରହୁଥିବା କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ଏହି ପଚାପାଣି ଗନ୍ଧ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି । ପୋଖରୀରେ ଦୁର୍ଗନ୍ଧମୟ ପରିସ୍ଥିତି ଯୋଗୁ ବହୁ ମଶା ଓ ମାଛି ସୃଷ୍ଟି ହୋଇ ମେଲେରିଆ, ହଇଜା ଭଳି ମାରାତ୍ମକ ରୋଗ ସୃଷ୍ଟି କରିବା ଆଶଙ୍କା ଦେଖାଦେଇଛି । ବ୍ଲକ କାର୍ଯ୍ୟାଳୟ ନିର୍ମାଣବେଳେ ଲୋକଙ୍କ ସୁବିଧା ପାଇଁ ଏହାର ପରିସରରେ ଏକ ବଡ଼ପୋଖରୀ ଖୋଳାଯିବା ସହ ପକ୍କା ପାହାଚ କରାଯାଇଥିଲା । ବ୍ଲକକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକ, ସ୍ଥାନୀୟ ବାସିନ୍ଦା ଏବଂ ବ୍ଲକ କଲୋନୀରେ ବାସ କରୁଥିବା କର୍ମଚାରୀମାନେ ଏହି ପୋଖରୀରେ ଗାଧୁଆ ପାଧୁଆଠାରୁ ଆରମ୍ଭ କରି ଏହାର ପାଣିକୁ ନିତ୍ୟ ବ୍ୟବହାର୍ଯ୍ୟ କାରବାରରେ ଲଗାଇଥାନ୍ତି । ଏଥିରେ ରହୁଥିବା ମାଛଗୁଡ଼ିକୁ ମଧ୍ୟ ବ୍ଲକର ବିଭିନ୍ନ ଭୋଜି ଉସôବରେ କର୍ମଚାରୀମାନେ ବ୍ୟବହାର କରିଥାନ୍ତି । ୧୦ ବର୍ଷରୁ ଊଦ୍ଧ୍ୱର୍ ହେବ ଏହାର ପାହାଚ ଭାଙ୍ଗିରୁଜି ଯିବା ଏବଂ ପୋଖରୀର ଅପରିଷ୍କାର ଜଳ ଯୋଗୁ ଲୋକମାନଙ୍କର କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ପଂଚାୟତ ଅଧିନରେ ଥିବା ବଡ଼ ବଡ଼ ପୋଖରୀକୁ ପୁନରୁଦ୍ଧାର କରିବା, ପୋତିଯାଇଥିବା ପୋଖରୀକୁ ଖୋଳିବା, ଦଳଭର୍ତି ହୋଇ ଅପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ପୋଖରୀରୁ ଦଳ ସଫେଇ କରିବା ନିମନ୍ତେ ସରକାରଙ୍କପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଉଛି ଏବଂ ପଂଚାୟତ ମାଧ୍ୟମରେ ଏହି ଅନୁଦାନ ଖର୍ଚ୍ଚ କରାଯାଇ ପୋଖରୀଗୁଡ଼ିକୁ ପୁନରୁଦ୍ଧାର କରାଯାଉଛି । କାର୍ଯ୍ୟାଳୟ ପରିସରରେ ଥିବା ଏହି ପୋଖରୀଟି ନିଶ୍ଚିନ୍ତକୋଇଲି ପଂଚାୟତ ଅଧିନରେ ରହିଥିବାରୁ ନିୟମ ଅନୁସାରେ ଏହି ପୋଖରୀକୁ ପଂଚାୟତପକ୍ଷରୁ ପୁନରୁଦ୍ଧାର କରାଯିବା କଥା ହେଲେ ପୋଖରୀ ବାଟ ଦେଇ ବିଡ଼ିଓଙ୍କଠାରୁ ଆରମ୍ଭ କରି ସହକାରୀଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏବଂ ସମସ୍ତ ଅଧିକାରୀ ଯାତାୟତ କରୁଥିଲେ ମଧ୍ୟ ଏଥିପ୍ରତି କେହି ଧ୍ୟାନ ଦେଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଓଡ଼ିଶା ସମାଚାର