Friday , October 22 2021
Home / ବିଶେଷ / ବଟଶ୍ରୀକ୍ଷେତ୍ର’ରେ ମହାପ୍ରଭୁଙ୍କର ବାହୁଡାଯାତ୍ରା

ବଟଶ୍ରୀକ୍ଷେତ୍ର’ରେ ମହାପ୍ରଭୁଙ୍କର ବାହୁଡାଯାତ୍ରା

ଜଗତସିଂହପୁର, ୧୩/୦୭/୨୦୧୯ (ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ଜିଲ୍ଲା ସଦର ମହାକୁମାଠାରୁ ଅନତି ଦୂର ପାଟେଣୀଗାଁ ‘ବଟଶ୍ରୀକ୍ଷେତ୍ର’ରେ ମହାପ୍ରଭୁଙ୍କର ବାହୁଡାଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ସମସ୍ତ ନୀତିକାନ୍ତି ସରିଲା ପରେ ଅପରାହ୍ଣ ୨ଟାରେ ମହାପ୍ରଭୁଙ୍କର ମଙ୍ଗଳାରୋପଣ ଓ ଆଳତୀ କାର୍ଯ୍ୟ ସମାପ୍ତ ହୋଇଥିଲା । ଗୋଟି ପହଣ୍ଡିରେ ବାହାରି କାଳିଆ ସାଆନ୍ତେ ଭାଇଭାଉଣୀ ସହ ରଥାରୁଢ଼ ହେଲା ପରେ ଠାକୁର ରାଜା ଛେରାପହଁରା କାର୍ଯ୍ୟ ବଢ଼ାଇଥିଲେ । ଏହାପରେ ଚାରମାଳ ଖୋଲାଯାଇ ରଥରେ ଘୋଡା ଯୋଚା ଗଲା ଓ ଶେଷରେ ସାରଥିଙ୍କୁ ବିଜେ କରାଯାଇଥିଲା । ଭକ୍ତଗଣ ଆନନ୍ଦ ଉଲ୍ଲାସରେ ରଥ ଟାଣି ଥିଲେ । ହରିବୋଲ ହୁଳହୁଳି ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା । ଭଜନ କୀର୍ତନ ସାଙ୍ଗକୁ ଘଂଟୁଆ ଓ ଢ଼ୋଲିଆଙ୍କର ବାଦ୍ୟନାଦ ଏଠାରେ ଶ୍ରୀକ୍ଷେତ୍ର ଭ୍ରମ ସୃଷ୍ଟି କରୁଥିଲା । ବାଟରେ ମହାପ୍ରଭୁଙ୍କୁ ପୋଡପିଠା ଭୋଗ ଲାଗି ହେବା ସହ ଠାଆକୁ ଠାଆ ନାନା ପ୍ରକାର ଭୋଗ ଲାଗି କରାଯାଇଥିଲା । ଡଃ ଅଭୟ କୁମାର ନାୟକ, ରବୀନ୍ଦ୍ର ନାଥ ମିଶ୍ର, ଡଃ ଜ୍ୟୋତିର୍ମୟୀ ମହାନ୍ତି ଓ ରବୀନ୍ଦ୍ର ନାଥ ନାୟକ ରଥଯାତ୍ରାର ଧାରାବିବରଣୀ ପ୍ରଦାନ କରୁଥିଲେ । ବଟଶ୍ରୀକ୍ଷେତ୍ରରେ ରଥ ଲାଗିଲା ପରେ ଭକ୍ତମାନେ ସମସ୍ତେ ମହାପ୍ରସାଦ ସେବା କରିଥିଲେ । ବିଗତ ୮ ଦିନ ଧରି ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରରେ ସତ୍ୟନାରାୟଣ ମଣ୍ଡପରେ ଭଜନ ସମାରୋହ, ନୃତ୍ୟଗୀତର ଆସର ଓ ପ୍ରବଚନ ଆଦି କାର୍ଯ୍ୟକ୍ରମ ହେବା ସହ ମହାପ୍ରସାଦ ବିତରଣ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ‘ଗଡ୍ମେକର’ ଡ୍ୟାନ୍ସ ଗ୍ରୁପ୍ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡା ଗତ ୧୦ ତାରିଖରେ ଓ ମୀରାମର୍ଚ୍ଛନା, ଭୁବନେଶ୍ୱର ୧୧ ତାରିଖ ସନ୍ଧ୍ୟାରେ ଯଥାକ୍ରମେ ନୃତ୍ୟ ଓ ଗୀତ ଗାଇ ଭକ୍ତମାନଙ୍କର ମନକୁ କିଣି ନେଇଥିଲେ । ଶନିବାର ସନ୍ଧ୍ୟାରେ ମହାପ୍ରଭୁ ରଥରେ ସୁନାବେଶରେ ଦର୍ଶନ ଦେବେ । ରବିବାର ସନ୍ଧ୍ୟାରେ ଅଧରପଣା ଭୋଗ ଓ ନୀଳାଦି୍ର ବିଜେ ଉତ୍ସବ ଅନୁଷ୍ଠିତ ହେବ ବୋଲି କର୍ମକର୍ତାମାନେ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *