ପାଟକୁରା, ୧୩/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)-ଯୋଗ୍ୟ ଓ ଅଭିଜ୍ଞ ପ୍ରାର୍ଥୀଙ୍କୁ ପ୍ରତିନିଧି କରି ପଠାଇଲେ,ଗୃହରେ ଅଂଚଳର ସମସ୍ୟା କଥା ଉତ୍ଥାପନ କରିବା ସହିତ ସମସ୍ୟାର ସମାଧାନ କରିବା ପାଇଁ ବାଟ ବାହାର କରି ପାରିବେ ବୋଲି ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଢଙ୍ଗି ପ୍ରକାଶ କରିଛନ୍ତି । ଶନିବାର ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଦ୍ମପୁର ପଂଚାୟତର ବିଚଣା ଦୂର୍ଗା ମଣ୍ଡପ ଠାରେ ବିଜେପି ପକ୍ଷରୁ ଆୟୋଜିତ ପଥପ୍ରାନ୍ତ ସଭାରେ ଯୋଗ ଦେଇ ଶ୍ରୀମତୀ ଷଢଙ୍ଗି ଆହୁରି ମଧ୍ୟ କହିଛନ୍ତି ଯେ,ଚଳିତ କେନ୍ଦ୍ର ବଜେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକ ପାଇଁ ଏକ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନର ବ୍ୟବସ୍ଥା କରିଥିବାବେଳେ, ପ୍ରତ୍ୟେକ ସଦସ୍ୟାମାନଙ୍କ ଆକାଉଂଟକୁ ପାଂଚ ହଜାର ଟଙ୍କା ଲେଖାଁଏ ଯିବ । ଅଂଚଳରରେ ରୋଜଗାରର ପନ୍ଥା ବାହାରିବା ଦରକାର ଏବଂ ମୋଦି ସରକାରରେ ସମସ୍ତଙ୍କ ପାଇଁ ବିକାଶ କରିବାର ଲକ୍ଷ୍ୟ ରଖାଯାଇ କାର୍ଯ୍ୟ କରାଯାଉଛି ବୋଲି ଶ୍ରୀମତୀ ଷଢଙ୍ଗି କହିଥିଲେ । ଆଗାମୀ ଦିନରେ ମୁଁ ମଧ୍ୟ ବିଜୟ ବାବୁଙ୍କ ସହିତ ଏହି ଅଂଚଳକୁ ଆସି ବାକାଶ କାର୍ଯ୍ୟରେ ସାମିଲ ହେବି । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର କହିଲେ ଯେ ମୋ ପ୍ରତି ସ୍ନେହ,ଶ୍ରଦ୍ଧା ଓ ଅନୁକମ୍ପା ଥିବା ଲୋକମାନେ ସାରା ଓଡିଶାରୁ ଆସି ପାଟକୁରା ଅଂଚଳରେ ବୁଲୁଛନ୍ତି । ଅପରପକ୍ଷରେ ଯେଉଁମାନଙ୍କ ବାପା ମାନେ ମୋ ପାଇଁ ଏଠାକୁ ଆସି ମୋତେ ଜିତାଇବା ପାଇର୍ କାମ କରୁଥିଲେ,ଆଜି ସେମାନଙ୍କ ପିଲାମାନେ ଏଠାକୁ ଆସି ମୋ ବିପକ୍ଷରେ ପ୍ରଚାର କାର୍ଯ୍ୟ କରୁଛନ୍ତି । ଯଦି ଏତେ ଭୟ ରହିଛି ,ତେବେ ଗୋଟିଏ ମଂଚରେ ବସିବା ଓ ବିତର୍କ କରିବା ଯାହା ଦ୍ୱାରା କି ମହାଭାରତ ଶେଷ ହୋଇଯିବ ବୋଲି ପରୋକ୍ଷ ଭାବରେ ଇଙ୍ଗିତ ଦେଇ ନବୀନ ପଟ୍ଟନାୟକଙ୍କୁ ଆହ୍ନାନ ଦେଇ ଏହା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଯୋଗ ଦେଇ ବିଜୟ ମହାପାତ୍ରଙ୍କ ସମୟରେ ପାଟକୁରାରେ ଜଳସେଚନ ପାଇଁ କରାଯାଇଥିବା ବିବିଧ କାର୍ଯ୍ୟ ଓ ରାଜ୍ୟରେ କରାଯାଇଥିବା ଅନେକ କାର୍ଯ୍ୟ ସମ୍ପର୍କରେ କହିବା ସହିତ ଏଠାରେ ପାଟକୁରାର ସ୍ୱାଭିମାନ ଲଢୁଥିବାବେଳେ ,ବେଇମାନ ନେତାଙ୍କୁ ଉଚିତ୍ ଜବାବ ଦେଇ ବିଜୟ ମହାପାତ୍ରଙ୍କୁ ବିଜୟୀ କରିବା ପାଇଁ କହିଥିଲେ । ଦେଓଗଡର ପୂର୍ବତନ ସାଂସଦ ରବି ପାଣି ଯୋଗ ଦେଇ ନବୀନ ପଟ୍ଟନାୟକ ବିଜ୍ଞ ଲୋକମାନଙ୍କୁ ତଡି ଦେଇ ଖଣି,ପାଣି ଡାଲି ଭଳି ଦୁର୍ନୀନିରେ ଲିପ୍ତ ଥିବା ଅନଭିଜ୍ଞ ଲୋକମାନଙ୍କୁ ନେଇ ଏବେ ଶାସନ କରୁଛନ୍ତି । ବିଗତ ଦିନରେ ସ୍ୱାଭିମାନ ରଖିଥିବା ପାଟକୁରାବାସୀ ସ୍ୱାଭିମାନକୁ ବଜାୟ ରଖି ବିଜୟ ମାପାତ୍ରଙ୍କୁ ବିଜୟୀ କରିବା ପାଇଁ ଉପସ୍ଥିତ ଲୋକମାନଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ପାଣି ଆହୁରୀ ମଧ୍ୟ କହିଥିଲେ ଯେ, ବିଗତ ସରକାର ସମୟରେ ସେ ମୂଖ୍ୟ ସଚେତକ ଥିବାରୁ ଶପଥ ନେଇଥିବା କାରଣରୁ ସେ ଏହି ସଭାରେ କିଛି ପ୍ରକାଶ କରି ପାରୁ ନାହାଁନ୍ତି ଅନ୍ୟମାନଙ୍କ ମଧ୍ୟରେ ବାଲିଆପାଳରୁ ଆସିଥିବା ବିକାଶ ଗିରି,ମହାକାଳପଡାରୁ ଆସିଥିବା ବିଜୟ ପ୍ରଧାନ ପ୍ରମୁଖ ବିଜୟ ମହାପାତ୍ରଙ୍କୁ ବହୁ ଭୋଟ ବ୍ୟବଧାନରେ ବିଜୟୀ କରିବା ପାଇଁ ସଭାରେ କହିଥିଲେ । ସଭା ପୂର୍ବରୁ ସାଂସଦ ଶ୍ରୀମତୀ ଷଢଙ୍ଗି,ବିଜୟ ମହାପାତ୍ର ଓ ଦାମୋଦର ରାଉତ ଏକ ଖୋଲା ଜିପ୍ରେ ବସି ନୂଆପଡା ଠାରୁ ରୋଡ ଶୋ ରେ ସଭାସ୍ଥଳକୁ ଆସିଥିଲେ । ଏହି କାର୍ଯ୍ୟକ୍ରମରେ ଅଂଚଳର ବହୁ ସଂଖ୍ୟକ ଦଳୀୟ କର୍ମୀ ତଥା ସାଧାରଣ ଲୋକମାନେ ସାମିଲ ହୋଇଥିବାର ଦେଖାଯାଇଥିଲା । ଓଡ଼ିଶା ସମାଚାର