ଭୁବନେଶ୍ୱର, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)- ୨୦୧୮ କେନ୍ଦୁପତ୍ର ଶସ୍ୟ ବର୍ଷ ପାଇଁ କେନ୍ଦୁପତ୍ର ବ୍ୟବସାୟରେ ସମ୍ପୃକ୍ତ ଥିବା ତୋଳାଳୀ, ବନେ୍ଧଇ ଶ୍ରମିକ ଓ କର୍ମଚାରୀ ମାନଙ୍କୁ ବୋନସ ଓ ପ୍ରୋତ୍ସାହନ ରାଶି ବାବଦରେ ୨୨୨ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ରାଜ୍ୟରେ ବର୍ତମାନ ୮ ଲକ୍ଷ ୫୨ ହଜାର କେନ୍ଦୁପତ୍ର ତୋଳାଳୀ, ୨୦ ହଜାର ୬୫୦ ବନେ୍ଧଇ ଶ୍ରମିକ ଓ ୧୭ ହଜାର ୮୬୦ ସାମୟିକ କର୍ମଚାରୀ ନିୟୋଜିତ ଅଛନ୍ତି । କେନ୍ଦୁପତ୍ର ବ୍ୟବସାୟ ଦ୍ୱାରା ଏମାନଙ୍କ ପାଇଁ ବର୍ଷକୁ ୧ କୋଟି କାର୍ଯ୍ୟଦିବସ ସୃଷ୍ଟି ହୋଇପାରୁଛି । ସଚିବାଳୟଠାରେ ଅନୁଷ୍ଠିତ କେନ୍ଦୁପତ୍ର ଉନ୍ନୟନ ବୋର୍ଡ଼ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ସାମୂହିକ ବିକାଶରେ କେନ୍ଦୁପତ୍ର ବ୍ୟବସାୟୀର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏଥିରେ ବିଶେଷ କରି ଆଦିବାସୀ ଓ ଆର୍ଥିକ ଅନଗ୍ରସର ବର୍ଗର ଲୋକମାନେ କାମ କରିଥାନ୍ତି । ସେମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ଏହା ବିଶେଷ ସହାୟକ ହୋଇପାରିଛି । ରାଜ୍ୟ ସରକାର କେନ୍ଦୁପତ୍ର ବ୍ୟବସାୟରୁ ପାଉଥିବା ଲାଭାଂଶ ସେମାନଙ୍କ ପାଇଁ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟରେ ବିନିଯୋଗ କରାଯିବା ସହିତ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ଅଂଶୀଦାର ଭାବେ ଗ୍ରହଣ କରାଯାଇଅଛି । କେନ୍ଦୁପତ୍ର ତୋଳାଳୀ ଶ୍ରମିକ, କର୍ମଚାରୀ ମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । ତୋଳାଳୀ ମାନଙ୍କ କେରି ସଂଗ୍ରହ ପୋଷାକ, ତୋଳାଳୀମାନଙ୍କୁ ଚପଲ, ଶ୍ରମିକ ମାନଙ୍କ ମଶାରୀ ଓ କମ୍ବଳ, ତୋଳାଳୀ ଓ କର୍ମଚାରୀଙ୍କ ଟୋପି, ତୋଳାଳୀ ଓ ଶ୍ରମିକ ମାନଙ୍କ ଝିଅ ମାନଙ୍କ ବିବାହ ସହାୟତା, ତୋଳାଳୀ ଓ କର୍ମଚାରୀଙ୍କ ଚିକିତ୍ସା ଖର୍ଚ୍ଚ, ତୋଳାଳୀ, ଶ୍ରମିକ ଓ କର୍ମଚାରୀ ମାନଙ୍କ ମୃତୁ୍ୟ କିମ୍ବା ସ୍ଥାୟୀ ଅକ୍ଷମତା ପାଇଁ ଅନୁକମ୍ପାମୂଳକ ସହାୟତା, ତୋଳାଳୀ, ଶ୍ରମିକ ଓ କର୍ମଚାରୀ ମାନଙ୍କ ପିଲାଙ୍କ ପାଇଁ ଶିକ୍ଷାବୃତି ଆଦି କଲ୍ୟାଣ କାର୍ଯ୍ୟକ୍ରମ ସେମାନଙ୍କ ସାମାଜିକ, ଅର୍ଥନୈତିକ ଅବସ୍ଥାର ଉନ୍ନତିରେ ସହାୟକ ହୋଇପାରିଛି । ବୈଠକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ, ଉନ୍ନୟନ କମିଶନର ଅସିତ ତ୍ରିପାଠୀ, ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ କେନ୍ଦୁପତ୍ର କର୍ମଚାରୀ ସଂଘ ସଭାପତି ବିଜୟ ମହାନ୍ତି ଏବଂ ଅନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର