କେନ୍ଦୁଝର, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)- ସରକାର ଶିକ୍ଷାଦାନ କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରି ଉନ୍ନତ ମାନର ଶିକ୍ଷା ଦେବା ପାଇଁ ପ୍ରୟାସ କରିବା ସହିତ ଶିକ୍ଷାଦାନ ପାଇଁ ଆବଶ୍ରକୀୟ ସମସ୍ତ ସାମଗ୍ରୀ ଓ ଗୃହ ଯୋଗାଇ ଦିଆଯାଉଛି । ଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଦେଇ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ମୁଖ୍ୟ ଭାବେ ଗ୍ରହଣ କରାଯାଇଥିବା ବେଳେ କେନ୍ଦୁଝର ଜିଲା ହାଟଡିହି ବ୍ଳକର ଏକ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ଆବଶ୍ୟକୀୟ ଗୃହ, ବାଳିକା ମାନଙ୍କ ପାଇଁ ଶୌଚାଳୟଟିଏ ନଥିବା ବେଳେ ବିଦ୍ୟାଳୟର ପାଚେରୀଟିଏ ନାହିଁ । ବିଦ୍ୟାଳୟଟିର ଏଭଳି ଅବ୍ୟବସ୍ଥା ଓ ସମସ୍ୟାକୁ ଦେଖିଲେ ଏଠାରେ ଶିକ୍ଷା ବିଭାଗ ଅଧିକାରୀ ନଥିବା ଭଳି ଜଣାପଡ଼େ । ଶିକ୍ଷା କ୍ଷେତ୍ରର ଉପର ପାହାଚରୁ ଯିବାପାଇଁ ପ୍ରଶାସନ ଓ ଶିକ୍ଷାଅଧିକାରୀ ବୈଠକ ଗୁଡ଼ିକରେ ଚର୍ଚ୍ଚା କରୁଥିବା ବେଳେ ଶିକ୍ଷା ଅନୁଷ୍ଠାନର ତଳସ୍ତରର କିଭଳି ବିଦ୍ୟାଳୟ ଗୁଡ଼ିକ ଚାଲିଛି ସେଥିପ୍ରତି ଧ୍ୟାନ ଦେଉନଥିବାରୁ ହାଟଡିହି ବ୍ଲକରେ ଶିକ୍ଷାର ମାନ ତଳକୁ ତଳ ଯାଉଛି । ଶିକ୍ଷା ଅଧିକାରୀ ସରକାରଙ୍କ ଯୋଜନା ଉପରେ ବୈଠକ କରୁଥିବା ବେଳେ ବିଦ୍ୟାଳୟ ଗୁଡ଼ିକର ପ୍ରକୃତପକ୍ଷେ ଶ୍ରେଣୀଗୃହ ଅଛିକି ନାହିଁ, ଶୌଚାଳୟଟିଏ ରହିଛିକି ନାହିଁ, ପିଇବା ପାଣିର ସୁବିଧା ଅଛିକି ନାହିଁ , ବିଦ୍ୟାଳୟର ପରିବେଶ କିଭଳି ରହିଛି ପ୍ରକୃତପକ୍ଷେ ତାହା ଅନୁଧ୍ୟାନ ନକରି କାଗଜ କଲମରେ ଦର୍ଶାଯାଇଥିବା ରିପୋର୍ଟକୁ ଦେଖି ଖୁସି ହୋଇଥାନ୍ତି ।
ଯାହାକି ପ୍ରକୃତପକ୍ଷରେ ଶିକ୍ଷାଦାନ କିଭଳି ଚାଲିଛି ସେମାନଙ୍କର ନଜର ନଥିବା ଚର୍ଚ୍ଚା ହେଉଛି । ଅନପୂର୍ଣ୍ଣା ଉଚ୍ଚ ବାଳିକା ବିଦ୍ୟାଳୟରେ ୮ମ, ୯ମ, ୧୦ମ ଶ୍ରେଣୀରେ ୧୧୪ ଜଣ ଛାତ୍ରୀ ଶିକ୍ଷାଦାନ କରୁଛନ୍ତି । ଏହା ଏକ ସମ୍ବେଦନଶୀଳ ବିଦ୍ୟାଳୟ । କିନ୍ତୁ ଏହି ବିଦ୍ୟାଳୟରେ ଛାତ୍ରୀ ଓ ଶିକ୍ଷୟତ୍ରୀଙ୍କ ପାଇଁ ଶୌଚାଳୟଟିଏ ନାହିଁ । ଯାହା ଫଳରେ ବାହାରକୁ ଯିବା ପାଇଁ ଛାତ୍ରୀମାନେ ସଙ୍କୋଚବୋଧ କରୁଥିଲେ ମଧ୍ୟ ବାଧ୍ୟ ହୋଇ ଛାତ୍ରୀ ଘେରାଉ ହୋଇ ଠିଆହୋଇ ଜଣକ ପରେ ଜଣେ ବାହାରକୁ ଯିବାକୁ ପଡ଼ିଥାଏ । ଏଭଳି ପରିସ୍ଥିତିରେ ବିଦ୍ୟାଳୟ ଗୁଡ଼ିକର ଶୌଚାଳୟ ଯୋଜନା ଠପ ବୋଲି କହିବା ଅତୁ୍ୟକ୍ତି ହେବ ନାହିଁ । ସେହିପରି ୮ମ ଶ୍ରେଣୀର ଛାତ୍ରୀ ବେଂଚ ଡେସ୍କ ଅଭାବରୁ ତଳେ ବସି ଶିକ୍ଷାଦାନ କରିଥାନ୍ତି । ଏଥିପ୍ରତି ବିଭାଗ ଅଧିକାରୀଙ୍କର ଦୃଷ୍ଟି ପଡ଼େନାହିଁ । ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଦୈନିକ ଶହଶହ ବାଲିବୋଝେଇ ଗାଡ଼ି ଯାତାୟତ କରୁଥିଲେ ମଧ୍ୟ ବିଦ୍ୟାଳୟ ସମ୍ମୁଖରେ ସୁରକ୍ଷା ପାଚେରୀଟିଏ ନାହିଁ । ଯାହା ଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ଅସୁରକ୍ଷିତ ମଣିଥାନ୍ତି । ଘର ଅଭାବରୁ ବିଦ୍ୟାଳୟର ଅଫିସ ଗୃହ ଓ ସରକାରୀ କାଗଜ ପତ୍ର ରଖିବା କଷ୍ଟକର ଥିବାରୁ ଏକ ଅସୁରକ୍ଷିତ ଘରେ ବସି ଅଫିସ କାର୍ଯ୍ୟାଳୟ କରିଥାନ୍ତି । ବିଦ୍ୟାଳୟଟି ୧୯୮୮ ମସିହାରୁ ଆରମ୍ଭ କରାଯାଇ ଛାତ୍ରୀଙ୍କୁ ଶିକ୍ଷାଦାନ କରିବାକୁ ସେହି ଗାଁର ବୁଦ୍ଧିଜୀବୀ ପ୍ରୟାସ କରିଥିବା ବେଳେ ପ୍ରଶାସନ ଓ ଶିକ୍ଷା ଅଧିକାରୀଙ୍କ ଅବହେଳାରୁ ବିଦ୍ୟାଳୟଟି ଦିନକୁ ଦିନ ସମସ୍ୟାରେ ଛନ୍ଦି ହୋଇପଡ଼ିବା ସହିତ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସରୋଜିନି ତ୍ରିପାଠୀଙ୍କୁ ପଚାରିବାରୁ ଛାତ୍ରୀଙ୍କ ପାଇଁ ଶୌଚାଳୟଟିଏ ନାହିଁ । ଯାହାଫଳରେ ଛାତ୍ରୀ ଓ ଅନ୍ୟ ଶିକ୍ଷୟିତ୍ରୀ ମାନେ ଅସୁବିଧାରେ ସମୁଖୀନ ହେଉଛୁ । ୨୦୧୧-୧୨ ମସିହାରେ ୨୬ ହଳ ବେଂଚ ଡେସ୍କ ପ୍ରଶାସନ ପକ୍ଷରୁ ଦିଆଯାଇଥିଲା । ଏଥିରେ ୯ମ, ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ବେଂଚ ଡେସ୍କରେ ଗେଞ୍ଜି ହୋଇ ବସୁଛନ୍ତି । ବାଧ୍ୟ ହୋଇ ୮ମ ଶ୍ରେଣୀ ଛାତ୍ରୀ ତଳେ ବସି ଶିକ୍ଷାଦାନ କରୁଛନ୍ତି । ବିଦ୍ୟାଳୟର ପାଚେରୀଟିଏ ନାହିଁ ବୋଲି କହିଥିଲେ । ଏ ସମ୍ପର୍କରେ ବହୁବାର ଜଣାଇଛୁ ବୋଲି କହିଥିଲେ । ଏହି ବିଦ୍ୟାଳୟକୁ ଦେଖିଲେ ହାଟଡିହି ବ୍ଲକର ବିଦ୍ୟାଳୟ ଗୁଡ଼ିକର ସ୍ଥିତି, ପୃଷ୍ଠଭୂମି ଓ ପରିବେଶ କିଭଳି ରହିଛି, ଶିକ୍ଷାଦାନ କିଭଳି ରହିଛି ଏଥିରୁ ଅନୁମେୟ । ଜିଲାପାଳ ଏ ଦିଗରେ ଦୃଷ୍ଟି ଦେଇ ଏକ ସମ୍ବେଦନଶୀଳ ବାଳିକା ଉଚ୍ଚ ବିଦ୍ୟାଳୟର ଶୌଚାଳୟଟିଏ ପ୍ରଦାନ କରିବା ସହିତ ସୁରକ୍ଷା ପାଇଁ ପାଚେରୀ, ଅଫିସ କାର୍ଯ୍ୟାଳୟ ଯୋଗାଇଦେବାକୁ ଦାବି ହୋଇଛି । ଓଡ଼ିଶା ସମାଚାର