ସାଲେପୁର,୧୨/୦୭/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା)-ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ଏସ୍.ୟୁ.ସି.ଆଇ.(ସି.) ପକ୍ଷରୁ ସାଲେପୁର ତହସିଲ ଓ ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାଯାଇଛି । ସାଲେପୁର ବ୍ଲକ୍ରେ କାର୍ଯ୍ୟରତ ନିର୍ମାଣ ଶ୍ରମିକଙ୍କୁ ପକ୍କାଘର ତାଲିକାଭୁକ୍ତ କରି ଅବିଳମ୍ବେ ରିପୋର୍ଟ ପ୍ରଦାନ କରିବା, ନିର୍ମାଣ ଶ୍ରମିକଙ୍କ କନ୍ୟା ବିବାହ ପ୍ରମାଣପତ୍ର ପ୍ରଦାନ କରିବା, ପଦ୍ମପୁର ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତ କରିବା, ପଦ୍ମପୁର ଠାରୁ ଆଠମାଣିଆ ପର୍ଯ୍ୟନ୍ତ ରାସ୍ତା ସଂପୂର୍ଣ୍ଣ କରିବା, ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ ଯୋଜନାରେ ସୁଦ୍ଧଖଣ୍ଡ ଗ୍ରାମପଞ୍ଚାୟତର କୁଳସମିତଙ୍ଗା ଓ ପାଣିମାଣ୍ଡୋ ଗ୍ରାମକୁ ପାନୀୟଜଳ ଯୋଗାଇ ଦେବା, ପାଇଖାନା ସଂପୂର୍ଣ୍ଣ କରିଥିବା ହିତାଧିକାରୀଙ୍କୁ ତୁରନ୍ତ ଅର୍ଥ ପ୍ରଦାନ କରିବା, ପାଇଖାନା ତାଲିକାରୁ ବାଦ୍ ପଡିଥିବା ହିତାଧିକାରୀମାନଙ୍କ ନାମ ଯୋଗ କରିବାର ବ୍ୟବସ୍ଥା କରିବା, ଯୋଗ୍ୟ ହିତାଧିକାରୀମାନଙ୍କୁ ଅବିଳମ୍ବେ ପକ୍କାଘର, ବିଧବା ଭତା, ବାର୍ଦ୍ଧକ୍ୟ ଭତା ପ୍ରଦାନ କରିବା ଆଦି ଦାବି ନେଇ ଆଜି ସକାଳ ପ୍ରାୟ ୧୧ଟା ସମୟରେ ଏସ୍.ୟୁ.ସି.ଆଇ.(ସି.) ସାଲେପୁର ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଜି ବହୁ ଏସ୍.ୟୁ.ସି.ଆଇ.(ସି.) କର୍ମୀମାନେ ସାଲେପୁର ମା’ସାହେଶ୍ୱରୀ ପୀଠରୁ ଏକ ଶୋଭାଯାତ୍ରାରେ ବାହାରି ସାଲେପୁର ତହସିଲ ଓ ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫନି ବାତ୍ୟାରେ କ୍ଷୟକ୍ଷତିର ନିରପେକ୍ଷ ତଦନ୍ତ କରି କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବାପାଇଁ ତହସିଲଦାର ଓ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ବିକ୍ଷୋଭରେ କିଶୋରନଗର ମିଳିତ ନାଗରିକ ମଂଚ ସଭାପତି ଶେଖ ଫିରଦୋଶ ଅଲ୍ଲି, ପରମାନନ୍ଦ ସେଠୀ, ଶ୍ରମିକ ନେତା ପିତାମ୍ବର ଲେଙ୍କା, ସମିତିସଭ୍ୟ ଉଦୟ ବର୍ମା, ଅଚ୍ୟୁତାନନ୍ଦ ସାହୁ, ଅରୁଣ କୁମାର ବେହେରା, ଭାଗିରଥି ଭୋଇ, ଅଜୟ ମଲ୍ଲିକ, ମହମ୍ମଦ ଅକିକଉଦ୍ଦିନ, ରମେଶ ପଣ୍ଡା, ବିଷ୍ଣୁ ବେହେରା ପ୍ରମୁଖ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର