ସାଲେପୁର,୧୨/୦୭/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା)-ସାଲେପୁର ବ୍ଲକ୍ ଅଧିନସ୍ଥ ଗୋପୀନାଥପୁର ଉଚ୍ଚ ବିଦ୍ୟାଳୟର ୫୩ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଚିତ୍ର ନାରାୟଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ସାଲେପୁରର ମାନ୍ୟବର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରି ପାଠ ପଢିଲେ ଫଳ କେବେ ବେକାର ଯାଏ ନାହିଁ । ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ ନିଜର ସନ୍ତାନ ଭାବି ଶିକ୍ଷାଦାନ କଲେ ଛାତ୍ରଛାତ୍ରୀଙ୍କର ଶିକ୍ଷାର ବିକାଶ ହେବା ସହିତ ବିଦ୍ୟାଳୟର ସୁନାମ ବଢିବ ବୋଲି ବକ୍ତବ୍ୟ ରଖିଥିଲେ । ଉକ୍ତ ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ଗୋପୀନାଥପୁର ଗ୍ରାମ ପଂଚାୟତର ସରପଂଚ ଦିଲ୍ଲିପ କୁମାର ରାଉତ, ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ସମିତି ସଭ୍ୟା ସ୍ୱାତୀସ୍ମିତା ସାହୁ, ବରିଷ୍ଠ ପ୍ରାକ୍ତନ ଶିକ୍ଷକ ତଥା ଶିକ୍ଷାବିତ୍ ଅନନ୍ତ ଚରଣ ପ୍ରଧାନ, ଗୋପୀନାଥପୁର ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରସଂସଦର ସଭାପତି ଶିଶିର କୁମାର ପ୍ରଧାନ, ପୁରାତନ ଛାତ୍ର ସଂସଦର ସମ୍ପାଦକ ମନୋରଂଜନ ଦାଶ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଭଲ ପାଠପଢି ବିଦ୍ୟାଳୟର ଟେକ ରଖିବାକୁ ଉପଦେଶ ଦେଇଥିଲେ । ସହକାରୀ ଶିକ୍ଷକ ଜ୍ଞାନରଂଜନ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ନମିତା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ୨୦୧୯ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାର କୃତୀ ଛାତ୍ରଛାତ୍ରୀ ମଧୁସ୍ମିତା ସେଠୀ, ଅର୍ପିତା ସେଠୀ, ଭାରତୀ ସାମଲ ଓ ଶଶୀକାନ୍ତ ରାଉତଙ୍କୁ ମୁଖ୍ୟ ଅତିଥି ଆର୍ଥିକ ପୁରସ୍କାର ସହିତ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ଫିରୋଜ ଅହମ୍ମଦ୍ ଖାଁ, ମାନସ ରଂଜନ ମଲ୍ଲିକ, ଶିକ୍ଷୟିତ୍ରୀ ତୃପ୍ତିମୟୀ ବେହେରା, ଲିପିକା ସେଠୀ, ସ୍ୱାଗତିକା କବି, ଅନୁପମା ସେଠୀ, ମୋହିନୀ ଦାସ, ନଳିନୀପ୍ରଭା ସିଂ, ସବିତା ସାହୁ, ନିରୂପମା ନନ୍ଦୀ ଓ ଅଫିସ୍ ସହାୟକ ସୁରେଶ କୁମାର ପ୍ରଧାନ, କାର୍ତିକ ବାରିକ, ପ୍ରଦୀପ ଲେଙ୍କା ପ୍ରମୂଖ ପରିଚାଳନା କରିଥିଲେ । ବରିଷ୍ଠ ଶିକ୍ଷକ ନକୂଳ ଚରଣ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ପୁରାତନ ଛାତ୍ର ତଥା ପ୍ରାକ୍ତନ ସରପଂଚ ପ୍ରଶାନ୍ତ କୁମାର ମିଶ୍ର, ସତ୍ୟଭାମାପୁର ସରପଂଚଙ୍କ ପ୍ରତିନିଧି କେଦାରନାଥ ଭୋଇ, ଭୂବନାନନ୍ଦ ସ୍ୱାଇଁ, ନବକିଶୋର ମହାନ୍ତି, ଅଭିମନ୍ୟୁ ରାଉତ, ପ୍ରଦୀପ ସାମଲ, ଦୁର୍ଯ୍ୟୋଦନ ଦାସ ଓ ପୁରାତନ ଛାତ୍ର ସଂସଦର ସଂଗଠନ ସମ୍ପାଦକ ବିଶ୍ୱରଂଜନ ସାହୁ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର