Friday , September 29 2023
Breaking News
Home / ସ୍ୱାସ୍ଥ୍ୟ / ରାଜ୍ୟରେ କୁଷ୍ଠ ସେବା ବିପର୍ଯ୍ୟସ୍ତ – ସ୍ଥାଣୁ ହୋଇଗଲାଣି ହିନ୍ଦ୍ କୁଷ୍ଠ ନିବାରଣ ସଂଘ

ରାଜ୍ୟରେ କୁଷ୍ଠ ସେବା ବିପର୍ଯ୍ୟସ୍ତ – ସ୍ଥାଣୁ ହୋଇଗଲାଣି ହିନ୍ଦ୍ କୁଷ୍ଠ ନିବାରଣ ସଂଘ

ଭୁବନେଶ୍ୱର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟକୁ କୁଷ୍ଠମୁକ୍ତ ଘୋଷଣା କରାଯିବାର ଦଶନ୍ଧି ପରେ ମଧ୍ୟ ରାଜ୍ୟରେ ଅତି ସଂକ୍ରାମକ କୁଷ୍ଠ ଓ କୁଷ୍ଠ ଜନିତ ବିକଳାଙ୍ଗ ରୋଗୀଙ୍କ ସଂଖ୍ୟା ବଢି ବଢି ଚାଲିଛି । ପ୍ରତିବର୍ଷ ରାଜ୍ୟରେ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଜାତୀୟ କୁଷ୍ଠ ନିରାକରଣ ଯୋଜନାରେ ବ୍ୟାପକ ଜାଲିଆତି ଓ ଦୁର୍ନୀତି ଯୋଗୁ ଯୋଜନା ଏକ ପ୍ରକାର ବାଟବଣା ହୋଇଗଲାଣି । ଏହା ସହ କର୍ମଚାରୀମାନଙ୍କ ଅଭାବ ଯୋଗୁ ଚିହ୍ନଟ ପ୍ରକ୍ରିୟା ବାଧା ଉପୁଜିଥିବା ବେଳେ ଆବଶ୍ୟକ କର୍ମଚାରୀ ନିଯୁକ୍ତି ନ ହେଲେ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି ଆଶଙ୍କା ପ୍ରକାଶ ପାଉଛି । ଠିକଣା ସମୟରେ କୁଷ୍ଠରୋଗୀମାନେ କୁଷ୍ଠରୋଗର ଔଷଧ ଏମ୍ଡ଼ିଟି ପାଇପାରୁ ନାହାଁନ୍ତି । ସୁପ୍ରିମ କୋର୍ଟର ସର୍ବୋଚ୍ଚ ଅଦାଲତ ଗତ ସେପ୍ଟେମ୍ବର ୧୪ ତାରିଖ ଦିନ ୨୨ ପୃଷ୍ଠା ସମ୍ବଳିତ ରାୟ ଦେବା ବେଳେ ଘୋର ଅସନ୍ତୋଷ ବ୍ୟକ୍ତ କରିବା ସହିତ ସାଧାରଣ ସ୍ୱାସ୍ଥ୍ୟସେବାରେ ସାମିଲ୍ କର୍ମୀମାନେ କୁଷ୍ଠ ରୋଗର କାର୍ଯ୍ୟ କରୁନାହାଁନ୍ତି ବୋଲି ଟିପ୍ପଣୀ ଦେଇଥିଲେ ।
କୁଷ୍ଠରୋଗୀମାନଙ୍କ ଥଇଥାନ ପାଇଁ କାମ କରୁଛି ହିନ୍ଦ୍ କୁଷ୍ଠ ନିବାରଣ ସଂଘ । ଏହା ହେଉଛି ଏକ ଜାତୀୟସ୍ତରୀୟ ଅନୁଷ୍ଠାନ । ୧୯୨୦ ମସିିହାରେ ଏହା ମିସନାରୀଙ୍କ ଅଧୀନରେ କାର୍ଯ୍ୟ କରୁଥିବା ବେଳେ ୧୯୫୦ ମସିହାରେ ବିଧିବଦ୍ଧ ଭାବରେ ରାଜ୍ୟରେ କାର୍ଯ୍ୟ କରିଆସୁଛି । ମହାମହୀମ ରାଜ୍ୟପାଳ ଏହାର ସଭାପତି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଉପସଭାପତି ଓ ସ୍ୱାସ୍ଥ୍ୟମନ୍ତ୍ରୀ ଏହାର ଅଧ୍ୟକ୍ଷ ଅଛନ୍ତି । ହିନ୍ଦ୍ କୁଷ୍ଠ ନିବାରଣ ସଂଘ ଅଧୀନରେ କଟକସ୍ଥିତ ଲେପ୍ରୋସି ହୋମ୍ ଆଣ୍ଡ ହସ୍ପିଟାଲ, ବାଲେଶ୍ୱର ଲୁଇସ୍ ଲେପ୍ରୋସି କଲୋନୀ, ଗଜପତିର ପାରଳାଖେମୁଣ୍ଡି ଓ ସମ୍ବଲପୁରରେ ହାତିବାଡ଼ି ହେଲ୍ଥ ହୋମ୍ ରହିଛି । ପୂର୍ବରୁ ସଂଘ ଅଧୀନରେ ଆଠଟି କୁଷ୍ଠାଶ୍ରମ ଥିବାବେଳେ ବର୍ତ୍ତମାନ ଏହା ୪କୁ ଖସି ଆସିଛି । ସେହିପରି କୁଷ୍ଠରୋଗୀଙ୍କ ପିଲାଙ୍କ ପାଇଁ ପୂର୍ବରୁ ୧୨ଟି ବାଳାଶ୍ରମ ଥିବାବେଳେ ବର୍ତ୍ତମାନ ସବୁ ବନ୍ଦ ହୋଇଯାଇଛି । ସଂଘକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅନୁଦାନ ଦିଆଯାଉଛି । ଏହି ଅନୁଦାନରେ କୁଷ୍ଠାଶ୍ରମରେ ରହୁଥିବା ଲୋକଙ୍କ ପାଇଁ ଖାଦ୍ୟ, ଲୁଗାପଟା, ବିଦ୍ୟୁତ୍ ଓ ପାଣି ବିଲ୍ ଏବଂ କର୍ମଚାରୀମାନଙ୍କ ଦରମା ଦିଆଯାଉଛି । ରୋଗୀମାନଙ୍କ ପାଇଁ ମାତ୍ର ୫୦ଟଙ୍କା ଖାଦ୍ୟ ବାବଦକୁ ମିଳୁଛି ଯାହା ଅତି ନଗଣ୍ୟ । ହିନ୍ଦ୍ ନିବାରଣ ସଂଘ ମୁଖ୍ୟ କାର୍ଯ୍ୟାଳୟରେ ବର୍ତମାନ କାର୍ଯ୍ୟ କରୁଥିବା ଡ. ଶକ୍ତିପ୍ରସାଦ ପାଢୀ, ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ (ଜନସ୍ୱାସ୍ଥ୍ୟ)ଙ୍କୁ ଅବୈତନିକ ସମ୍ପାଦକ ଦାୟିତ୍ୱ ଦିଆଯାଇଛି । ପୁଣି ତାଙ୍କୁ ମଧ୍ୟ ଅତିରକ୍ତ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ (କୁଷ୍ଠ)ର ମଧ୍ୟ ଦାୟିତ୍ୱ ଦିଆଯାଇଛି । ଯାହାଫଳରେ ସେ ହିନ୍ଦ୍ କୁଷ୍ଠ ନିବାରଣ ସଂଘର ଦାୟିତ୍ୱ ସଠିକ୍ ଭାବରେ ତୁଲାଇ ପାରୁନାହାଁନ୍ତି । ହିନ୍ଦ୍ କୁଷ୍ଠ ନିବାରଣ ସଂଘର ସମ୍ପାଦକ ଅଦ୍ୟାବଧି କୌଣସି କୁଷ୍ଠାଶ୍ରମ କିଭଳି ଭାବରେ ପରିଚାଳିତ ହେଉଛି ତାକୁ ମଧ୍ୟ ଦେଖିବାକୁ ଯାଇନାହାଁନ୍ତି । ରାଜ୍ୟପାଳ ଉକ୍ତ ସଂଘର ସଭାପତି ଥିଲେ ମଧ୍ୟ ସମ୍ପାଦକ ଏକ ବର୍ଷ ହେଲାଣି ନିଯୁକ୍ତି ପାଇବା ଦିନରୁ ଆଜି ପର୍ଯ୍ୟନ୍ତ କୌଣସି ଦିନ ସ୍ୱାସ୍ଥ୍ୟମନ୍ତ୍ରୀ କିମ୍ବା ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍ କରିବାକୁ ଯାଇନଥିଲେ । ଗତ ଦୁଇଦିନ ତଳେ ସେ ରାଜ୍ୟପାଳଙ୍କୁ ତଥା ହିନ୍ଦ୍ କୁଷ୍ଠ ନିବାରଣ ସଂଘ ସଭାପତିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ଅପରପକ୍ଷରେ କର୍ମଚାରୀମାନଙ୍କ ବେତନରୁ ଇ.ପି.ଏଫ୍.ବାବଦକୁ ପଇସା କାଟି ଦାଖଲ କରିବାକୁ ଥିଲେ ମଧ୍ୟ ତାହା ସମ୍ପାଦକ ଠିକ୍ ସମୟରେ ଦାଖଲ କରୁନାହାଁନ୍ତି ଯାହାଫଳରେ କର୍ମଚାରୀମାନେ ତାଙ୍କ ପଇସା ଉଠାଣ କରିପାରୁ ନାହାଁନ୍ତି କିମ୍ବା ଇ.ପି.ଏଫ୍. ସୁଧ ପଇସା ମଧ୍ୟ ପାଇପାରୁ ନାହାଁନ୍ତି ବୋଲି ଶୁଣିବାକୁ ମିଳୁଛି । ବାଲେଶ୍ୱର ବାମପଦାରେ ଥିବା କୁଷ୍ଠାଶ୍ରମରେ ଗୋଟିଏ କର୍ମଚାରୀ ନିଯୁକ୍ତି ପାଇଥିଲେ । ସେହି କର୍ମଚାରୀ ଜଣକ ଏକବର୍ଷ ହେଲାଣି ଚାକିରୀରୁ ଅବସର ନେଲେଣି । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ବାଲେଶ୍ୱର ହିନ୍ଦ୍ କୁଷ୍ଠ ନିବାରଣ ସଂଘକୁ ବାରମ୍ବାର ଚିଠି ଲେଖି କର୍ମଚାରୀ ରଖିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ହିନ୍ଦ୍ କୁଷ୍ଠ ନିବାରଣ ସଂଘ ସମ୍ପାଦକ ଡ. ପାଢୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ନିଯୁକ୍ତି ହୋଇପାରୁନି । ସମ୍ବଲପୁର ହାତୀବାରୀରେ ଥିବା କୁଷ୍ଠ କଲୋନୀର ଅବସ୍ଥା ବହୁତ ଶୋଚନୀୟ । ସେଠାରେ କର୍ମଚାରୀ ଅଭାବରୁ ରୋଗୀମାନେ ଅକଥନୀୟ ଦୁଃଖ ଯନ୍ତ୍ରଣା ଭୋଗୁଛନ୍ତି । ବାତ୍ୟା ପରେ ମଧ୍ୟ ଡ. ପାଢୀ କୌଣସିି ଗୋଟିଏ ହେଲେ କୁଷ୍ଠାଶ୍ରମର ସ୍ଥିତି ଦେଖିବାକୁ ଗଲେ ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଡ. ପାଢୀ ସରକାରୀ ଗାଡ଼ି ଚଢୁଥିଲା ବେଳେ ହିନ୍ଦ୍ କୁଷ୍ଠ ନିବାରଣ ସଂଘକୁ ଯିବା ଓ ଆସିବା ପାଇଁ ହଜାର ହଜାର ଟଙ୍କା ନେଉଛନ୍ତି । ଜଣେ ସରକାରୀ କର୍ମଚାରୀ ୨ଟି ସ୍ଥାନରୁ କିଭଳି ଆର୍ଥିକ ସୁବିଧା ପାଉଛନ୍ତି ତାହା ମଧ୍ୟ ତଦନ୍ତ ସାପେକ୍ଷ । ହିନ୍ଦ୍ କୁଷ୍ଠ ନିବାରଣ ସଂଘର ନିଜସ୍ୱ ଗୃହ ପାଇଁ ସରକାର ଜାଗା ଭୁବନେଶ୍ୱର ୟୁନିଟ୍-୯ରେ ଦେଇଥିଲା ବେଳେ ତାହା ଅନୁପ୍ରବେଶକାରୀଙ୍କ କବ୍ଜାରେ ରହିଛି । ଡ. ପାଢୀ ଏ ସମ୍ବନ୍ଧରେ କୌଣସି ପଦକ୍ଷେପ ମଧ୍ୟ ଗ୍ରହଣ କରୁନାହାଁନ୍ତି । ଜଣେ ଦରଦୀ, ହୃଦୟବାନ ଓ କୁଷ୍ଠରୋଗ ଅଭିଜ୍ଞତାସମ୍ପନ୍ନ ସମାଜସେବୀଙ୍କୁ ହିନ୍ଦ୍ କୁଷ୍ଠ ନିବାରଣ ସଂଘର ପୂର୍ଣ୍ଣକାଳୀନ ଅବୈତନିକ ସମ୍ପାଦକ ନିଯୁକ୍ତି ରାଜ୍ୟ କୁଷ୍ଠ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ବିପିନ ବିହାରୀ ପ୍ରଧାନ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ମହାମହୀମ ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଏବଂ ଚଳିତ ବିଧାନସଭା ଆରମ୍ଭ ହେବା ପୂର୍ବରୁ ହିନ୍ଦକ କୁଷ୍ଠ ନିବାରଣ ସଂଘର ସାଧାରଣ ପରିଷଦ ଓ କାର୍ଯ୍ୟକାରୀ ପରିଷଦ ବୈଠକ ଆହ୍ୱାନ କରିବା ପାଇଁ ସେ ଦୃଢ ଭାବରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *