ବାଲେଶ୍ୱର,୧୧/୦୭/୨୦୧୯ (ଓଡ଼ିଶା ସମାଚାର)- ଅଫୁଟା ବାଣରେ ନିଆଁ ଲଗାଇବା ବେଳେ ବିସ୍ଫୋରଣ ଘଟି ଜଣେ ବାଳକର ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ କାଣ୍ଡଗରଡିହି ପଂଚାୟତ ଅନ୍ତର୍ଗତ ବଳରାମପାଟଣା ଗ୍ରାମରେ । ସୂଚନା ଅନୁଯାୟୀ, ଗତକାଲି ବଳରାମପାଟଣା ଗ୍ରାମରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବରଯାତ୍ରୀ ଶୋଭାଯାତ୍ରା ବେଳେ ବାଣ ଫୁଟାଇଥିଲେ । ତନ୍ମଧ୍ୟରୁ ଗୋଟିଏ ବାଣ ଫୁଟିନଥିଲା । ସେହି ଅଫୁଟା ବାଣରେ ସୋମନାଥ ମଲ୍ଲିକଙ୍କ ୧୨ ବର୍ଷିୟ ପୁଅ ଗୌତମ ଅଗ୍ନି ସଂଯୋଗ କରିବାରୁ ଏହା ବିସ୍ଫୋରଣ ହୋଇଥିଲା । ଫଳରେ ତାଙ୍କ ମୁହଁ, କାନ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଥିବା ସମୟରେ ରାସ୍ତାରେ ଗୌତମଙ୍କ ମୃତ୍ୟୁ ଘଟିଥିଲା । ଓଡ଼ିଶା ସମାଚାର