ସାଲେପୁର, ୧୦/୦୭/୨୦୧୯ (ଓଡ଼ିଶା ସମାଚାର / ଅଭୟ ଜେନା)- ରାଜନୈତିକ ଛକାପନଝା କରାଣରୁ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ହୋଇପାରିନାହିଁ । ଅନିର୍ଦ୍ଦିଷ୍ଟ କାଳ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଛୁଟିରେ ଯାଇଥିବା ବେଳେ ସମଗ୍ର ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଶିକ୍ଷାଅନୁଷ୍ଠାନ ଭଳି ପବିତ୍ର ଅନୁଷ୍ଠାନକୁ ନେଇ ରାଜନୀତି କରାଯାଉଥିବାରୁ ଏହି ଅଂଚଳର ବହୁ ଶିକ୍ଷାବିତ୍ ଏ ଘଟଣାକୁ ନାପସନ୍ଦ କରିଛନ୍ତି । ପ୍ରକାଶ ଯେ ପ୍ରତିବର୍ଷ ଭଳି ଜୁଲାଇ ୯ ତାରିଖ ଦିନ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳର ପ୍ରତିଷ୍ଠା ଦିବସ ପାଳନ କରାଯିବ ବୋଲି ନିମନ୍ତ୍ରଣ ପତ୍ର ମାଧ୍ୟମରେ ସ୍ଥାନୀୟ ଅଂଚଳର ବୁଦ୍ଧିଜିବୀ, ବରିଷ୍ଠ ନାଗରୀକ, ପ୍ରଶାସନିକ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । କୁଆଡ଼େ ନିମନ୍ତ୍ରଣ ପତ୍ରରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରାଙ୍କ ନାମ ଛପା ଯାଇନଥିବା ବେଳେ ଶ୍ରୀ ବେହେରାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦି ତଥା ପରିଚାଳନା କମିଟି ସଭାପତି ପୂର୍ବତନ ବିଧାୟକ ପ୍ରଶାନ୍ତ ବେହେରାଙ୍କ ନାମ ଏହି ନିମନ୍ତ୍ରଣ ପତ୍ରରେ ଛପାଯାଇଥିବାରୁ ବିଧାୟକ ପ୍ରଶାନ୍ତ ବେହେରାଙ୍କ କର୍ମୀମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ଘଟଣାକୁ ନେଇ ଉଭୟ ସମର୍ଥକଙ୍କ ମଧ୍ୟରେ ଚାପା ଉତେଜନା ପ୍ରକାଶ ପାଇବା ପରେ କଲେଜ କର୍ତୃପକ୍ଷଙ୍କ ପକ୍ଷରୁ କଲେଜ ପ୍ରତିଷ୍ଠା ଦିବସକୁ ବାତିଲ କରାଯାଇଥିଲା । ଅପରପକ୍ଷରେ କଲେଜର ପ୍ରତିଷ୍ଠା ଦିବସ ବାତିଲ ହେଲେ ମଧ୍ୟ ପରିଚାଳନା କମିଟି ସଭାପତି କଲେଜ ପରିସରରେ ପହଂଚିବେ ବୋଲି ଖବର ପ୍ରଚାରିତ ହେବା ପରେ କେତେକ ଯୁବକ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ । ଫଳରେ +୨ ଶ୍ରେଣୀରେ ନାମ ଲେଖାଇବା ପାଇଁ ଆସିଥିବା ଛାତ୍ରଛାତ୍ରୀ ଓ ଅଭିଭାବକମାନେ କଲେଜ ଗେଟରେ ତାଲା ପଡ଼ିଥିବା ଦେଖି ନିରାଶ ହୋଇ ଫେରିଥିଲେ । ଏହି ଘଟଣା ଏବେ ସାଲେପୁର ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଅପରପକ୍ଷେ ପ୍ରତିଷ୍ଠା ଦିବସ ବାତିଲ ହେବା ଘଟଣା ସାଲେପୁର କଲେଜ ଇତିହାସରେ ପ୍ରଥମ ଘଟଣା ବୋଲି ସାଧାରଣରେ କୁହାଯାଇଛି । ଓଡ଼ିଶା ସମାଚାର
