– ୨ମାସ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ) – ରାଜ୍ୟରେ ସମଗ୍ର ଶିକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ବ୍ୟବସ୍ଥାକୁ ଯାଂଚ କରାଯିବ । ଏହି ବ୍ୟବସ୍ଥାରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଲାଗି ସ୍କୁଲଗୁଡ଼ିକରେ ଥିବା ଲାଇବ୍ରେରୀ ବା ପାଠାଗାର ଗୁଡ଼ିକର ଅଡିଟ୍ କରାଯିବ । ଗତ ୫ବର୍ଷ ମଧ୍ୟରେ ପିଲାଙ୍କ ଲାଗି କେତେ ପରିମାଣର ପାଠ୍ୟପୁସ୍ତକ, ମାଗାଜିନ୍, ସଂବାଦପତ୍ର କ୍ରୟ କରାଯାଇଛି ଏବଂ ଦୈନିକ କେତେ ଛାତ୍ରଛାତ୍ରୀ ଲାଇବ୍ରେରୀରେ ସେ ସବୁକୁ ବ୍ୟବହାର କରୁଛନ୍ତି ତାହାର ରେକର୍ଡ ମଧ୍ୟ ସଂଗ୍ରହ କରାଯିବ । ରାଜ୍ୟର ସ୍କୁଲଗୁଡ଼ିକରେ ଲାଇବ୍ରେରୀ ଅଡିଟ୍ ପ୍ରଥମଥର ଲାଗି କରାଯିବ । ଅଡିଟ୍ ଶେଷ କରି ସମ୍ପୃକ୍ତ ରିପୋର୍ଟକୁ ଆସନ୍ତା ୨ମାସ ମଧ୍ୟରେ ସ୍କୁଲ ଏବଂ ଗଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ପୂର୍ବରୁ ସର୍ବଶିକ୍ଷା ଯୋଜନାରେ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସାମିଲ କରାଯାଇଥିଲା । ମାତ୍ର ୨୦୧୮ରୁ ରାଜ୍ୟରେ ଆରମ୍ଭ ହୋଇଛି ‘ସମଗ୍ରଶିକ୍ଷା ଯୋଜନା’ । ଏହି ଯୋଜନାରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀପର୍ଯ୍ୟନ୍ତ ସାମିଲ କରାଯାଇଛି । ଏନେଇ ସ୍କୁଲସ୍ତରରେ ଛାତ୍ରଛାତ୍ରୀମାନେ ନିଜ ପାଠ୍ୟପୁସ୍ତକ ପଢ଼ିବା ସହ ପାଠାଗାରରେ ଯେପରି ଅନ୍ୟାନ୍ୟ ପୁସ୍ତକ ପଢ଼ି ନିଜର ବର୍ହିଃଜ୍ଞାନର ବିକାଶ କରିବେ ସେ ଦିଗରେ ସ୍କୁଲଗୁଡ଼ିକରେ ଉନ୍ନତମାନର ପାଠାଗାର ପ୍ରସ୍ତୁତି ଲାଗି ଅନୁଦାନ ଯୋଗାଉଛନ୍ତି । ଏପରିକି ଇଂରାଜୀ ମାଧ୍ୟମ ସ୍କୁଲଗୁଡ଼ିକରେ ପିଲାଙ୍କୁ ଆଡଭାନ୍ସ ଲାଇବ୍ରେରୀ ଯୋଗାଇବା ଭଳି ସରକାରୀ ସ୍କୁଲଗୁଡିକରେ ମଧ୍ୟ ସୁବିଧା ଦେବାକୁ ଉଦ୍ୟମ ହେଉଛି । ରାଜ୍ୟରେ ମୋଟ ସ୍କୁଲ ସଂଖ୍ୟା ୭୦ହଜାର ୮୪୮ଟି । ସେଥିରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬୭ହଜାର ୯୬୧ଟି ସ୍କୁଲ ରହିଥିବା ବେଳେ ୧୬୪୦ଟି ଜୁନିୟର କଲେଜ ରହିଛି । ତେବେ କେବଳ ଅଷ୍ଟମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୩ଲକ୍ଷ ୫୦ହଜାର ଥିବା ବେଳେ ନବମ ଏବଂ ଦଶମରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫ ଲକ୍ଷ ୭୯ ହଜାର ୩୩୯ ରହିଛି । ସେହିପରି ଏକାଦଶ ଏବଂ ଦ୍ୱାଦଶଶ୍ରେଣୀରେ ପିଲାଙ୍କ ସଂଖ୍ୟା ପ୍ରାୟ ୭ଲକ୍ଷ । ରାଜ୍ୟରେ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠାଗାର ସୁବିଧା ଯୋଗଇବା ଲାଗି ସ୍କୁଲଗୁଡ଼ିକରେ ଚଳିତବର୍ଷ ଜାନୁଆରୀରେ ଲର୍ଣ୍ଣିଂ ସେଂଟର ଖୋଲିବାକୁ ସରକାର ପ୍ରୟାସ କରୁଥିବା ବେଳେ ଏହି ଯୋଜନାରେ ଉଭୟ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀକୁ ସାମିଲ କରାଯିବ ବୋଲି ନିଷ୍ପତି ହୋଇଛି । ରାଜ୍ୟର ପ୍ରାୟ ସାଢ଼େ ଚାରି ହଜାର ସ୍କୁଲରେ ନବମରୁ ଦଶମ ଶ୍ରେଣୀ ପିଲାଙ୍କ ଲାଗି ପାଠାଗାର ସୁବିଧା ଥିବାବେଳେ ସମ୍ପୃକ୍ତ ପାଠାଗାରଗୁଡ଼ିକରେ ପ୍ରାୟ ଦେଢ଼ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ପାଠ୍ୟପୁସ୍ତକ ରହିଛି ।
ସମଗ୍ର ଶିକ୍ଷା ଯୋଜନାରେ ନବମ ଓ ଦଶମ ଶ୍ରେଣୀ ପାଇଁ ବର୍ଷକୁ ପ୍ରାୟ ୧୫ହଜାର ଟଙ୍କା ଲାଇବ୍ରେରୀ ଲାଗି ଅନୁଦାନ ଯୋଗାଇ ଦିଆଯିବ । ସେହିଭଳି ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବର୍ଷକୁ ୨୫ହଜାର ଟଙ୍କା ପାଠଗାରରେ ପୁସ୍ତକ ଏବଂ ପିଲାଙ୍କ ଶିକ୍ଷା ଉପକରଣ ଲାଗି ସହାୟତା ପ୍ରଦାନ କରାଯିବ । ଓଡ଼ିଶା ସମାଚାର