ବାଲେଶ୍ୱର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର)- ବାଲେଶ୍ୱର ଟ୍ରାଫିକ ଥାନା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବାଇକ୍ ଉପରେ ଚଢ଼ଉ କରାଯାଇ ୭୨ଟି ହାଇସ୍ପିଡ୍ ସାଇଲେନ୍ସର୍ ପାଇପ୍କୁ ଜବତ କରାଯାଇଛି । ଏହାସହ ଅତିରଞ୍ଜିତ ଭାବେ ଲେଖା ହୋଇଥିବା ୫ଶହରୁ ଅଧିକ ନମ୍ବରପ୍ଲେଟ୍କୁ ମଧ୍ୟ ଜବତ କରାଯାଇଛି ବୋଲି ଟ୍ରାଫିକ ଥାନା ଅଧିକାରୀ ପ୍ରଶାନ୍ତ କୁମାର ରଣସିଂ ସୂଚନା ଦେଇଛନ୍ତି । ସହର ମଧ୍ୟରୁ ୧୦ରୁ ଅଧିକ ହାଇସାଉଣ୍ଡ ସାଇଲେନ୍ସର୍ ଲାଗିଥିବା ବାଇକ ରହିଛି ତାହାକୁ ଧରିବା ପାଇଁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି । ତେବେ ଗତ ୨ମାସ ଧରି ସହରର ବିଭିନ୍ନ ସ୍ଥାନରେ ଏହି ହାଇସାଉଣ୍ଡ୍ ବାଇକ ଉପରେ ଚଢ଼ଉ ଜାରି ରହିଥିଲା । ଏ ପର୍ଯ୍ୟନ୍ତ ମୋଟ ୭୨ଟି ସାଇଲେନ୍ସର ଜବତ କରାଯାଇଛି । ତେବେ ବାଇକ୍ରେ ଲୋକେ ୪ହଜାରୁ ଆରମ୍ଭ କରି ୧୨ହଜାର ଟଙ୍କା ପର୍ଯ୍ୟନ୍ତ ହାଇସ୍ପିଡ ସାଉଣ୍ଡ୍ର ସାଇଲେନ୍ସର୍ ଲଗାଇଥିବା ସୂଚନା ଦେଇଛନ୍ତି । ଏପରିକି ଟ୍ରାଫିକ ଥାନା ୭୨ହଜାର ଟଙ୍କା ମୂଲ୍ୟର ଗୋଟିଏ ସାଇଲେନ୍ସରକୁ ମଧ୍ୟ ଜବତ କରିଛି । ଏହାସହ ଗତ ଜୁନମାସରେ ଟ୍ରାଫିକ ଥାନା ପକ୍ଷରୁ ହେଲମେଟ ଚେକିଂରେ ମୋଟ ୩ ଲକ୍ଷ ୬୭ ହଜାର ୭୮୦ଟଙ୍କା ଫାଇନ ଆଦାୟ କରିଥିବା ବେଳେ ୧୧୮ଟି ଡିଏଲକୁ ବାତିଲ କରିଛି । ଓଡ଼ିଶା ସମାଚାର