Friday , October 22 2021
Home / ବିଶେଷ / ଜଙ୍ଗଲ ଅଧିକାର ଆଇନ ୨୦୦୬ର ଉଲଂଘନ ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ଜଙ୍ଗଲ ଅଧିକାରକୁ ଅଗ୍ରାହ୍ୟ କରି ସୁପ୍ରିମ କୋର୍ଟରେ ବିଭ୍ରାନ୍ତମୂଳକ ପ୍ରତିବାଦରେ ୨୨ଜୁଲାଇରେ ରାଜଧାନୀରେ ବିକ୍ଷୋଭ

ଜଙ୍ଗଲ ଅଧିକାର ଆଇନ ୨୦୦୬ର ଉଲଂଘନ ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ଜଙ୍ଗଲ ଅଧିକାରକୁ ଅଗ୍ରାହ୍ୟ କରି ସୁପ୍ରିମ କୋର୍ଟରେ ବିଭ୍ରାନ୍ତମୂଳକ ପ୍ରତିବାଦରେ ୨୨ଜୁଲାଇରେ ରାଜଧାନୀରେ ବିକ୍ଷୋଭ

ଭୁବନେଶ୍ୱର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର)-ମର୍ଯ୍ୟାଦାର ସହ ବଂଚିବାର ଅଭିଯାନ, ଓଡ଼ିଶା (ସିଏସ୍ଡ଼ି, ଓଡ଼ିଶା) ତରଫରୁ ଏକ ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ବାହାନାରେ, ପ୍ରଶାସନ ଦ୍ୱାରା ମନୋମୁଖୀ ଭାବେ ନାକଚ କରାଯାଇଥିବା ଜଙ୍ଗଲ ଅଧିକାର ଦାବିଗୁଡ଼ିକୁ ପୁନଃବିଚାର କରିବା ଓ ଓଡ଼ିଶା ସରକାର ତରବରିଆ ଭାବେ ଜଙ୍ଗଲ ଅଧିକାର ଆଇନ୍ର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଉଲଂଘନ କରି ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଭୁଲ୍ ତଥ୍ୟ ପ୍ରଦାନ କରିବା ପ୍ରତିବାଦ କରାଯାଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାର ଜଙ୍ଗଲ ଅଧିକାର ପାଇଁ ଲଢେଇ କରୁଥିବା ଆଦିବାସୀ ନେତୃତ୍ୱ ଯଥା ସିଏସ୍ଡ଼ି ରାଜ୍ୟ ଆବାହକ ଗୋପୀନାଥ ମାଝୀଙ୍କ ସମେତ ଆଦିବାସୀ ନେତ୍ରୀ ଆନ୍ନାକୁଜୁର, ବିରଂଚି ବରହା, ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ପ୍ରଦୀପ ସାହୁ, ନରେନ୍ଦ୍ର ମହାନ୍ତି, ବିଜୟ ସ୍ୱାଇଁ, ଶ୍ରୀଚରଣ ବେହେରା ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ, ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ, ୨୦୦୬ର କାର୍ଯ୍ୟକାରିତାରେ ରାଜ୍ୟ ସରକାର ମାନ୍ୟବର ସୁପ୍ରିମକୋର୍ଟକୁ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ମାନଙ୍କର ନାକଚ ହୋଇଥିବା ମୋଟ ୧,୪୮,୮୭୦ ବ୍ୟକ୍ତିଗତ ଦାବି ମଧ୍ୟରୁ ୧,୨୨,୨୫୦ଜଣ ଆଦିବାସୀ ଓ ୨୬,୬୨୦ଜଣ ଅନ୍ୟ ପାରମ୍ପରିକ ବନବାସୀଙ୍କର ତଥ୍ୟ ପ୍ରଦାନ କରିଥିଲେ । ଏହି ଦାବିଗୁଡ଼ିକର ସ୍ଥିତି ଉପରେ ଶୁଣାଣୀ କରି ଗତ ଫେବୃୟାରୀ ୨୮ ତାରିଖରେ ମାନ୍ୟବର ସୁପ୍ରିମ କୋର୍ଟ ତାଙ୍କର ୧୩ ଫେବୃୟାରୀ ୨୦୧୯ରେ ଦେଇଥିବା ଜଙ୍ଗଲ ଜମିରୁ ଉଚ୍ଛେଦ ଆଦେଶ ଉପରେ ଅସ୍ଥାୟୀ ରହିତାଦେଶ ଜାରି କରିବା ସହିତ ରାଜ୍ୟ ସରକାରଙ୍କୁ ସବିଶେଷ ସତ୍ୟପାଠ ୧୨ ଜୁଲାଇ ୨୦୧୯ ସୁଦ୍ଧା ଦାଖଲ କରିବାକୁ ଆଦେଶ ଦେଇଥିଲେ । ଏଥିରେ ଦାବିଗୁଡ଼ିକ ନାକଚରେ କେଉଁ ପ୍ରକ୍ରିୟା ଅବଲମ୍ବନ କରିଥିଲେ, କେଉଁ ସବୁ ମୁଖ୍ୟ କାରଣଯୋଗୁ ଦାବିଗୁଡ଼ିକ ନାକଚ ହୋଇଥିଲା ଏବଂ ଆଇନ୍ର କେଉଁ ଧାରା ଅନୁସାରେ ଉଚ୍ଛେଦ କରାଯିବ ଏବଂ କେଉଁ ଅଧିକାରୀ ଉଚ୍ଛେଦ ଆଦେଶ ଜାରି କରିପାରିବେ ଆଦି ଇତ୍ୟାଦି ତଥ୍ୟ ପ୍ରଦାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମନୋମୁଖୀ ଭାବେ ନାକଚ କରିଥିବା ଦାବିଗୁଡ଼ିକ ପୁର୍ନବିଚାର କରିବା ଓ ନିଜର ଭୁଲ୍କୁ ଲୁଚାଇବା ନାମରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସତ୍ୟପାଠ ଦେବା ବାହାନାରେ ଓଡ଼ିଶା ସରକାର ତରବରିଆ ଭାବେ ଜଙ୍ଗଲ ଅଧିକାର ଆଇନର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଉଲଂଘନ କରିଛନ୍ତି । ପ୍ରଶାସନକ କଳ ଦ୍ୱାରା ଜିଲ୍ଲା ଓ ଉପଖଣ୍ଡସ୍ତରରେ ଆଇନର ପ୍ରକ୍ରିୟାକୁ ଉଲଂଘନ କରି କିପରି ସରକାରୀ ପଦାଧିକାରୀମାନେ ଦାବିଦାରମାନଙ୍କ ଉପରେ ଚାପ ପ୍ରୟୋଗ କରି ପୂର୍ବରୁ ଛପା ହୋଇଥିବା ଫର୍ମାଟରେ ସେମାନଙ୍କର ଦସ୍ତଖତ ନେଇ ସେମାନଙ୍କ ନ୍ୟାୟୋଚିତ ଦାବିଗୁଡ଼ିକୁ ପ୍ରାୟୋଜିତ ଭାବରେ ନାକଚ କରିବାକୁ ଚେଷ୍ଟା ଚଳାଇଛନ୍ତି ସେ ସମ୍ପର୍କରେ ବିଭିନ୍ନ ଜିଲ୍ଲାର ପ୍ରତିନିଧିମାନେ ସମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରିଥିଲେ ।
ଗ୍ରାମସଭାକୁ ସମ୍ପୂର୍ଣ୍ଣ ଅଣଦେଖା କରି ବେଆଇନ ଭାବେ କ୍ୟାମ୍ପ କୋର୍ଟ ଓ ଜନଶୁଣାଣୀର ଆୟୋଜନ କରାଯାଉଛି ଯାହା ଜଙ୍ଗଲ ଅଧିକାର ଆଇନର ବିରୋଧୀ । ଦାବି ବାତିଲ କିମ୍ବା ପରିବର୍ତନର ସ୍ୱତଃ ଶୁଣାଣୀ ପାଇଁ ସଂଶୋଧିତ ନିୟମ ୨୦୧୨ ଧାରା ୧୪ (୨) ଓ ୧୫ (୨)ରେ ପଠାଯାଇଥିବା ନୋଟିସ୍କୁ ଅନଧିକାର ଭାବରେ ବ୍ୟବହାର କରାଯାଇଛି । ଧାରା ୧୪ (୨)ରେ ଉପଖଣ୍ଡସ୍ତରୀୟ କମିଟିର ଗ୍ରାମସଭା କିମ୍ବା ଦାବିଦାରଙ୍କ ଅଭିଯୋଗ ଶୁଣାଣୀ କରିବାର କ୍ଷମତା ରହିଛି ଏବଂ ଧାରା ୧୫(୨)ରେ ଜିଲ୍ଲାସ୍ତରୀ କମିଟିର ଉପଖଣ୍ଡସ୍ତରୀୟ କମିଟି ବିରୁଦ୍ଧରେ ଅଭିଯୋଗ ଶୁଣାଣୀ କରିବାର କ୍ଷମତା ରହିଛି । କିନ୍ତୁ ଭଞ୍ଜନଗର ଉପଜିଲ୍ଲାପାଳ ଏହି ଦୁଇଟିକୁ ଏକସାଥୀରେ ଅନଧିକାର ଓ ବେଆଇନ୍ ଭାବେ ନୋଟିସ୍ କରି ଶୁଣାଣୀ କରିଛନ୍ତି, ଅର୍ଥାତ୍ ତାଙ୍କ ବିରୁଦ୍ଧରେ ଅଭିଯୋଗ ଶୁଣିବା କ୍ଷମତାକୁ ସେ ନିଜ ଅପବ୍ୟବହାର କରିଛନ୍ତି । ପଠାଇଥିବା ନୋଟିସ୍ ଅନେକ ଜାଗାରେ ଦାବିଦାରମାନଙ୍କୁ ନୋଟିସ୍ କରି ଦାବି ନାକଚ କରିବାର ଆଇନ ବିରୁଦ୍ଧ କାରଣମାନ ଉଲ୍ଲେଖ କରାଯାଇଛି । ଅନେକ ଜିଲ୍ଲାରେ (ବଲାଙ୍ଗୀର, ଗଞ୍ଜାମ) ଆଦିବାସୀ ଦାବିଦାରମାନଙ୍କ ପାଖକୁ ଦୀର୍ଘ ୭୫ବର୍ଷ ଧରି ଜଙ୍ଗଲ ଜମି ଅଧିକାର କରିଥିବା ପ୍ରମାଣ ନଥିବା ହେତୁ ନାକଚ ହୋଇଥିବାର ନୋଟିସ୍ ପଠାଯାଇଛି । ଯଦିଓ ଆଇନଗତ ଭାବେ ୧୩ ଡ଼ିସେମ୍ବର, ୨୦୦୫ ମସିହା ପୂର୍ବରୁ ଆଦିବାସୀମାନେ ଚାଷ ଓ ବାସ କରୁଥିଲେ ଦାବିଦାର ପାଇଁ ଯୋଗ୍ୟ ଅଟନ୍ତି । ଦାବି ଦାଖଲ ପରେ କ୍ଷେତ୍ର ଯାଂଚ ନକରି ଓ ଜମି ଚିହ୍ନଟ ନ କରି ଉପଖଣ୍ଡ ଓ ଜିଲ୍ଲାସ୍ତରରୁ ଦାବିଦାରମାନଙ୍କ ପାଖକୁ ପଠାଯାଇଥିବା ନୋଟିସ୍ରେ ଅଣ ଜଙ୍ଗଲ କସମ ଜମିରେ ଦଖଲ ହେତୁ ନାକଚ କରାଯାଇଥିବା କାରଣ ଦର୍ଶାଯାଇଛି । ସରଜମିନ ତଦନ୍ତକୁ ନ ଯାଇ ଆବେଦନକାରୀ ଜଙ୍ଗଲ ଜମି ଦଖଲ କରିନାହାଁନ୍ତି ବୋଲି ନାକଚର କାରଣ ଦର୍ଶାଯାଇଛି । ଜମିର ପରିମାଣ ଦେଖାଯାଇଛି ଅଥଚ ଜମିର କିସମ, ପ୍ଲଟ କିମ୍ବା ଖତିୟାନ ନମ୍ବର ଉଲ୍ଲେଖ କରାଯାଇ ନାହିଁ । ଅନେକ ଜାଗାରେ ନୋଟିସ୍ଗୁଡ଼ିକ କେବଳ ପୁରୁଷମାନଙ୍କ ନାମରେ ପଠାଯାଇଛିି ଯଦିଓ ଦାବିଦାର ହିସାବରେ ଉଭୟ ମହିଳା ଓ ପୁରୁଷ ଦାବି ଦାଖଲ କରିଛନ୍ତି । ଅନ୍ୟ କାରଣ ଭିତରେ ଜନଶୁଣାଣୀରେ ଅନୁପସ୍ଥିତ ରହିଲେ ଦାବିଗୁଡ଼ିକ ଖାରଜ ହେଲା ବୋଲି ଧରି ନିଆଯିବାକୁ ଦାବିଦାରମାନଙ୍କୁ ପଠାଯାଇଥିବା ନୋଟିସ୍ରେ ଉଲ୍ଲେଖ କଯାଯାଇଛି । ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *