Thursday , September 28 2023
Home / ବିଶେଷ / ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଦୁର୍ନୀତିର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଓଡ଼ିଶା ଲୋକାୟୁକ୍ତରେ ଅଭିଯୋଗ ଦାଖଲ

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଦୁର୍ନୀତିର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଓଡ଼ିଶା ଲୋକାୟୁକ୍ତରେ ଅଭିଯୋଗ ଦାଖଲ

ଭୁବନେଶ୍ୱର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର)- ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ହୋଇଥିବା ବ୍ୟାପକ ଜାଲିଆତି, ଠକାମୀ, ୬୦୦ କୋଟି ଟଙ୍କାର ଲୁଟ୍ର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୂଚନାଧିକାର କର୍ମୀମାନେ ମିଳିତ ଭାବେ ଓଡ଼ିଶା ଲୋକାୟୁକ୍ତରେ ଅଭିଯୋଗ ଦାଖଲ କରିଛନ୍ତି ।

୨୦୧୫ ମସିହାରୁ ରାଜ୍ୟ ସମବାୟ ବ୍ୟାଙ୍କରେ ଚାଲିଥିବା ବ୍ୟାପକ ଦୁର୍ନୀତି ସମ୍ପର୍କରେ ଅନେକ ତଥ୍ୟ ଖୋଲାସା ହେଲା ପରେ ସୂଚନାଧିକାର କର୍ମୀମାନଙ୍କ ତରଫରୁ ଏ ସମ୍ପର୍କରେ ଲଗାତର ଅଭିଯୋଗ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ରାଜ୍ୟ ଭିଜିଲାନ୍ସ ନିକଟରେ ଦାଖଲ ହୋଇ ଆସୁଥିଲା । ୨୦୧୭ ମସିହାରେ ତକ୍ରାଳୀନ ବିଭାଗୀୟ ମନ୍ତ୍ରୀ ଡକ୍ଟର ଦାମୋଦର ରାଉତ ମଧ୍ୟ ବ୍ୟାଙ୍କର ଜାଲିଆତି ତଦନ୍ତ ପାଇଁ ସମବାୟ ରେଜିଷ୍ଟ୍ରାର ଏବଂ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲେଖିଥିଲେ । ଏହି ଦୁର୍ନୀତିରେ ବ୍ୟାଙ୍କର ତକ୍ରାଳୀନ ମ୍ୟାନେଜମେଂଟ-ଇନ୍ ଚାର୍ଜ ଶ୍ରୀ ବିଷ୍ଣୁପଦ ସେଠୀ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତୁଷାରକାନ୍ତି ପଣ୍ଡା ସମ୍ପୃକ୍ତ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଏହିସବୁ ଦୁର୍ନୀତିକୁ ଚାପି ଦେଇଥିଲେ । ଫଳରେ ଦୁର୍ନୀତିର ତଦନ୍ତ ହୋଇନଥିଲା କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।

ଆଜି ସୂଚନାଧିକାର କର୍ମୀ ଶ୍ରୀ ପ୍ରଦୀପ ପ୍ରଧାନ, ଶ୍ରୀମତୀ ସଞ୍ଜୁକ୍ତା ପାଣିଗ୍ରାହୀ ଏବଂ ଆଇନ୍ଜୀବୀ ସୁଧୀର ମହାନ୍ତି ପ୍ରମୁଖ ବ୍ୟାଙ୍କର ଦୁର୍ନୀତି ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ହେଉଛି ଏକମାତ୍ର ବ୍ୟାଙ୍କ ଚାଷ ଏବଂ ଚାଷୀର ଉନ୍ନତି ପାଇଁ ପ୍ରାଥମିକ ସେବା ସମବାୟ ସମିତି ଜରିଆରେ ଋଣ ଦେଇ ଆସୁଅଛି । ସମବାୟ ବ୍ୟାଙ୍କ ଅଧୀନରେ  ସମଗ୍ର ରାଜ୍ୟରେ ୧୭ଟି କେନ୍ଦ୍ରୀୟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ୨୭୦୦ ପ୍ରାଥମିକ ସମବାୟ ବ୍ୟାଙ୍କ ଏବଂ ୫୦ ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଉପକୃତ ହୁଅନ୍ତି । ଚାଷର ବିକାଶ ପାଇଁ ଚାଷୀମାନଙ୍କୁ ସ୍ୱଳ୍ପ ସୁଧରେ ଋଣ ଦେବା ଏହି ବ୍ୟାଙ୍କର ମୂଳ ଲକ୍ଷ୍ୟ । କିନ୍ତୁ ବ୍ୟାଙ୍କରେ ବ୍ୟାପକ ଜାଲିଆତି, ଠକେଇ ଯୋଗୁଁ ବ୍ୟାଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି ।

ଅଭିଯୋଗ ପତ୍ରରେ ସୂଚନାଧିାର କର୍ମୀମାନେ ବ୍ୟାଙ୍କ ତକ୍ରାଳୀନ ମ୍ୟାନେଜମେଂଟ-ଇନ୍ ଚାର୍ଜ ଶ୍ରୀ ବିଷ୍ଣୁପଦ ସେଠୀ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିବା, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଣ୍ଡାଙ୍କୁ ଚାକିରୀ ସମୟସୀମା ବେଆଇନ୍ ଭାବେ ବାରମ୍ବାର ବଢାଇବା, ପ୍ରାଥମିକ ସମବାୟ ବ୍ୟାଙ୍କ ପାଇଁ କମ୍ପ୍ୟୁଟର କିଣାରେ ବ୍ୟାପକ ଜାଲିଆତି, ଅତ୍ୟଧିକ ଅନୁକମ୍ପା ଦେଖାଇ ଏବଂ ଟେଣ୍ଡର ପ୍ରକ୍ରିୟାରେ ଜାଲିଆତି କରି ହାଇଦ୍ରାବାଦସ୍ଥିତ     ଭି-ସଫ୍ଟ କମ୍ପାନୀକୁ  ସିବିଏସ୍ ସଫ୍ଟୱେୟାର ଦେଇ ବ୍ୟାପକ କ୍ଷତି ଘଟାଇବା, ଟେଣ୍ଡର ନ କରି ମାଡ଼୍ରାସ ପ୍ରିଂଟର ନାମକ ଏକ ବେସରକାରୀ ସଂସ୍ଥାକୁ  ରୁପି କାର୍ଡ଼ ଛାପିବା ପାଇଁ କାମ ଦେଇ ଅର୍ଥ ଲୁଟ୍ କରିବା ଇତ୍ୟାଦି ଦର୍ଶାଇବା ସହ ବ୍ୟାଙ୍କରେ ଉପରୋକ୍ତ ଦୁଇ ଅଫିସରଙ୍କ ସମେତ ଜଣେ ସମ୍ବାଦିକ ବ୍ୟାଙ୍କର ନିର୍ଦ୍ଦେଶକ ପଦବୀରେ ରହି ମିଳିତ ଭାବେ ୬୦୦ କୋଟି ଟଙ୍କାର ଲୁଟ୍ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟ ସମବାୟ ବ୍ୟାଙ୍କ ଦୁର୍ନୀତି ସମ୍ପର୍କରେ ବହୁ ସମାଜସେବୀ, ସାମ୍ବାଦିକ ଓ ବ୍ୟାଙ୍କ ବୋର୍ଡ଼ର ନିର୍ଦ୍ଦେଶକମାନେ ଅଭିଯାଗ କରି ସାରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *