Wednesday , October 4 2023
Breaking News
Home / ସ୍ୱାସ୍ଥ୍ୟ / ସରକାରୀ ଡାକ୍ତରଖାନାକୁ ଦିଆଯିବ ବିଶ୍ୱସ୍ତରୀୟ ଡାକ୍ତରୀ ଯନ୍ତ୍ରପାତି

ସରକାରୀ ଡାକ୍ତରଖାନାକୁ ଦିଆଯିବ ବିଶ୍ୱସ୍ତରୀୟ ଡାକ୍ତରୀ ଯନ୍ତ୍ରପାତି

   ଧାର୍ଯ୍ୟ ସମୟ ମଧ୍ୟରେ ନଦେଲେ କମ୍ପାନୀ ହେବେ କଳା ତାଳିକାଭୁକ୍ତ

ଭୁବନେଶ୍ୱର, ୦୮/୦୭/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)-ସରକାରୀ ଡାକ୍ତରଖାନା ଗୁଡିକ ଲାଗି ରାଜ୍ୟ ସରକାର ବିଶ୍ୱସ୍ତରୀୟ ଡାକ୍ତରୀ ଯନ୍ତ୍ରପାତି ଖରିଦ କରିବେ । ବିଶେଷଜ୍ଞ କମିଟିର ପରାମର୍ଶ କ୍ରମେ ଏହା ଖରିଦ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଓଡିଶା ମେଡିକାଲ କର୍ପୋରେସନର କାର୍ଯ୍ୟ ସମୀକ୍ଷା ଅବସରରେ ଶ୍ରୀ ଦାସ କହିଛନ୍ତି ଯେ ଡାକ୍ତରୀ ସାଜ ସରଞ୍ଜାମ ଖରିଦ କ୍ଷେତ୍ରରେ ପୂର୍ବ ଧାରାରେ ପରିବର୍ତନ କରାଯିବ । କୌଣସି ସାମଗ୍ରୀ ଖରିଦ କରିବା ସମୟରେ ତାହାର ‘ସ୍ପେଶିଫିକେସନ’ ଅପେକ୍ଷା ଏହା କେତେ ଆଧୁନିକ ସେ ସଂକ୍ରାନ୍ତରେ ଅନୁଧ୍ୟାନ ହେବ । ସେହିଭଳି ଏହି ଯନ୍ତ୍ରପାତି ଯୋଗାଇବାକୁ ଟେଣ୍ଡରରେ କୃତକାର୍ଯ୍ୟ ହେଉଥିବା ସଂସ୍ଥା ଯେଭଳି ଧାର୍ଯ୍ୟ ସମୟରେ ତାହା ପ୍ରଦାନ କରିବେ ତାହା ଉପରେ ଗୁରୁତ୍ୱ ଦେବାକୁ ଶ୍ରୀ ଦାସ କହିଛନ୍ତି । ଯଦି କୌଣସି ସଂସ୍ଥା ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ସାମଗ୍ରୀ ଦେଇ ନପାରିଲା ତେବେ ତାହାକୁ ଅପେକ୍ଷା ନକରି ଅନ୍ୟ ସଂସ୍ଥା ଦ୍ୱାରା ସାମଗ୍ରୀ ଖରିଦ ସହିତ ବିଳମ୍ବ କରିଥିବା କମ୍ପାନୀକୁ ‘କଳା ତାଲିକାଭୁକ୍ତ’ କରାଯିବ । ଫଳରେ ଭବିଷ୍ୟତରେ ଏହି କମ୍ପାନୀ ଆଉ ଯେଭଳି ସରକାରଙ୍କ ସହିତ କୌଣସି ବ୍ୟବସାୟ କରିପାରିବ ନାହିଁ । ରାଜ୍ୟର ରୋଗୀମାନଙ୍କ ଲାଗି ଡାକ୍ତରୀ ଯନ୍ତ୍ରପାତି ଖରିଦ ସମୟରେ ଅର୍ଥବ୍ୟୟକୁ ଗୁରୁତ୍ୱ ନଦେଇ ନିଗମ କର୍ତୃପକ୍ଷ ଆର୍ନ୍ତଜାତୀୟ ମାନର ସର୍ବଶେଷ (ଲାଟେଷ୍ଟ) ମଡେଲ କିଣିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାର ଇତି ମଧ୍ୟରେ ରାଜ୍ୟକୁ ଆଉ ଏକ କୋଟି ୧୩ଲକ୍ଷ ଔଷଧୀୟ ମଶାରୀ ଯୋଗାଣ ଲାଗି ସୂଚନା ଦେଇଛନ୍ତି । ତେବେ ଏହି ମଶାରୀ ମିଳିବାରେ କୌଣସି ନିଶ୍ଚିତତା ନଥିବାରୁ ଆବଶ୍ୟକସ୍ଥଳେ ନିଜସ୍ୱ ସମ୍ବଳରୁ ରାଜ୍ୟ ସରକାର ଏହା ଖରିଦ ପାଇଁ ପ୍ରସ୍ତୁତ ରହିବାକୁ ମନ୍ତ୍ରୀ ଦାସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ ସୁନେତ୍ର ଯୋଜନାର ସମୀକ୍ଷା କରିଥିଲେ । ଏଥିରୁ ଜଣାଯାଇଛି ଯେ ସୁନେତ୍ର ଯୋଜନାରେ ବର୍ତମାନ ୮ଟି ଜିଲ୍ଲାରେ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା ଗାଡି ବୁଲୁଥିବାବେଳେ ଆଉ ୧୦ଟି ଜିଲ୍ଲାକୁ ଏହା ସମ୍ପ୍ରସାରିତ ହେବ । ଏହିସବୁ ଜିଲ୍ଲା ଗୁଡିକ ହେଲା ସୋନପୁର, ଅନୁଗୁଳ, ଭଦ୍ରକ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, ଖୋରଧା, ପୁରୀ, ଗଞ୍ଜାମ ଓ ସୁନ୍ଦରଗଡ । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହା କାର୍ଯ୍ୟାରମ୍ଭ କରିବ । ସୁନେତ୍ର ଯୋଜନାରେ କ୍ୟାପିଟାଲ ହସ୍ପିଟାଲରେ ଛୋଟ ପିଲାଙ୍କ ଚକ୍ଷୁରେ ଲେଜର ଚିକିତ୍ସା ଆରମ୍ଭ ହୋଇଥିବାବେଳେ ସମସ୍ତ ମେଡିକାଲ କଲେଜରେ ଏହା ଆରମ୍ଭ କରିବାଲାଗି ନିଷ୍ପତି ହୋଇଛି । ଏଥିସହିତ ସମସ୍ତ ମେଡିକାଲ କଲେଜ ହସ୍ପିଟାଲରେ ନିଦାନ ଯୋଜନାରେ ଜଟିଳ ପରୀକ୍ଷା ଗୁଡିକୁ ସାମଲ କରାଯିବା ସହିତ ରେରାଗୀଙ୍କୁ ‘ହାଇ ଏଣ୍ଡ’ ପରୀକ୍ଷା ସୁବିଧା ଯୋଗାଇବା ସମ୍ପର୍କରେ ଆଲୋଚନା ହୋଇଛି ।

ବର୍ଷାଋତୁ ପରିପ୍ରେକ୍ଷୀରେ ଆଗାମୀ ତିନି ଚାରି ମାସ ପାଇଁ ରାଜ୍ୟରେ ଖାଦ୍ୟ ଓ ପାନୀୟ ଉପରେ ସତର୍କ ଦୃଷ୍ଟି ରଖିବାପାଇଁ ମନ୍ତ୍ରୀ ଶ୍ରୀ ଦାସ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖାଦ୍ୟ ସୁରକ୍ଷା କମିଶନକୁ ଅଧିକ କ୍ରିୟାଶୀଳ କରିବା ସହିତ ଏଠାରେର ଖାଲିଥିବା ପଦବୀ ଗୁଡିକୁ ତୁରନ୍ତ ପୂରଣ ଲାଗି ପଦକ୍ଷେପ ନେବା ସକାଶେ ମନ୍ତ୍ରୀ କହିଛନ୍ତି । ଖାଦ୍ୟ ସୁରକ୍ଷା ନିୟମ ଅନୁଯାୟୀ କେତେ ବ୍ୟବସାୟୀ ପଞ୍ଜିକୃତ ହୋଇଛନ୍ତି ଓ ଏ ଦିଗରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସଂକ୍ରାନ୍ତରେ ରିପୋର୍ଟ ପ୍ରଦାନ କରିବାକୁ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ମେଡିକାଲ କର୍ପୋରେସନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, କ୍ଷମତାପନ୍ନ କମିଟିର ଅଧ୍ୟକ୍ଷ ଡାକ୍ତର ଟି ପି ଦାଶ, ମେଡିକାଲ ନିଗମ ପରିଚାଳନା ନିର୍ଦ୍ଦେଶିକା ୟାମିନୀ ଷଡଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ସ୍ୱତନ୍ତ୍ର ସଚିବ ଶରତ ଚନ୍ଦ୍ର ମିଶ୍ର ଓ ଡାକ୍ତର ହର ପ୍ରସାଦ ପଟ୍ଟନାୟକ, ଡିଏମଇଟି ଡାକ୍ତର ସୋନାମାଲି ବାଗ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ସୁଶୀଲ କୁମାର କରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *