ଖୋର୍ଦ୍ଧା, ୦୮/୦୭/୨୦୧୯ (ଓଡ଼ିଶା ସମାଚାର)- ସ୍ପଷ୍ଟ ଦିବାଲୋକରେ ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତମାନେ ରବିବାର ପୂର୍ବାହ୍ନରେ ପ୍ରାୟ ୧ଲକ୍ଷ ୯୦ହଜାର ଟଙ୍କା ସମେତ ସ୍କୁଟି ଓ ମୋବାଇଲ ଫୋନ ଲୁଟି ନେଇଥିବା ବାଣପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ, ବାଲୁଗାଁସ୍ଥିତ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀର ଶାଖା ପରିଚାଳକ ଖୋର୍ଦ୍ଧା ଅଞ୍ଚଳର ଦେବଦତ ହରିଚନ୍ଦନ ଏବଂ କ୍ଷେତ୍ର କର୍ମଚାରୀ ଜଗତସିଂହପୁର ଅଂଚଳର ବନ୍ଦିତା ପାତ୍ର ବାଣପୁର ଥାନା ଅନ୍ତର୍ଗତ କୁମାରାଙ୍ଗ ପଂଚାୟତର ସ୍ୱୟଂ ସହାୟକ ଗୋଷ୍ଠି ଗୁଡ଼ିକରୁ ଟଙ୍କା ଆଦାୟ କରି ବାଣପୁର ଅଭିମୁଖେ ଫେରୁ୍ଥିଲେ । ୭ଟି ସ୍ୱୟଂ ସହାୟକ ଗୋଷ୍ଠିରୁ ୧ଲକ୍ଷ ୮୯ ହଜାର ୮୦୮ ଟଙ୍କା ଆଦାୟ ହୋଇଥିବାବେଳେ ଉକ୍ତ ଟଙ୍କାକୁ ବନ୍ଦିତା ତାଙ୍କ ଓଡ଼ି.୩୩ୟ୍ୟୁ- ୪୭୨୧ ନମ୍ବର ବିଶିଷ୍ଟ ସ୍କୁଟିର ଡିକିରେ ରଖି ଫେରୁଥିବାବେଳେ ଶାଖା ପରିଚାଳକ ଦବଦତ ଅନ୍ୟ ଏକ ବାଇକ୍ ଯୋଗେ ତାଙ୍କ ପଛରେ ଆସୁଥିଲେ । ତେବେ ଦିନ ପ୍ରାୟ ୧୧ଟା ସମୟରେ ବନ୍ଦିତା କୁମାରାଙ୍ଗ ରାସ୍ତାରେ ଥିବା ବଡଶଙ୍ଖ ନିକଟରେ ପହଂଚିବା ବେଳକୁ ୨ଜଣ ଦୁର୍ବୃତ ତାଙ୍କୁ ଏକ ଆପାଚି ଗାଡ଼ିରେ ପିଛା କରୁଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସେ ଗାଡ଼ିର ବେଗ ବଢ଼ାଇବାକୁ ଚେଷ୍ଟା କରିଥିବାବେଳେ ଦୁର୍ବୃତମାନେ ହଠାତ୍ ତାଙ୍କ ସ୍କୁଟିକୁ ଗୋଇଠା ମାରିବାରୁ ସ୍କୁଟି ସହ ବନ୍ଦିତା ତଳେ ପଡ଼ିଯାଇଥିଲେ । ଏହି ସମୟରେ ଜଣେ ଦୁର୍ବୃତ ବନ୍ଦିତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଡ଼ିକି ଖୋଲି ଟଙ୍କା ଦେବାକୁ କହିଥିଲେ । ମାତ୍ର ବନ୍ଦିତା ଏହାର ପ୍ରତିରୋଧ କରିବାରୁ ଅନ୍ୟଜଣେ ଦୁର୍ବୃତ ତାଙ୍କୁ ମାଡମାରି ଗାଡ଼ିର ଡିକି ଭାଙ୍ଗି ସେଥିରେ ଥିବା ଟଙ୍କା ସହ ସ୍କୁଟି ଓ ମୋବାଇଲ ମଧ୍ୟ ଲୁଟି ନେଇ ସେଠାରୁ ଖସିଯାଇଥିଲେ । ପଛରେ ଆସୁଥିବା ଦେବଦତଙ୍କ ସହାୟତାରେ ବନ୍ଦିତା ବାଣପୁର ଥାନାକୁ ଆସି ଅଭିଯୋଗ କରିଥିଲେ । ଅଭିଯୋଗ ଉପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରୀ ରଖିଛି । ସନ୍ଧ୍ୟା ସମୟରେ ଝିଂଟିିକାପଲ୍ଳୀ ଗ୍ରାମ ଶେଷ ଜଙ୍ଗଲ ନିକଟସ୍ଥ ଏକ କେନାଲ ପାଖରୁ ଲୁଟ ହୋଇଥିବା ସ୍କୁଟିକୁ ପୁଲିସ୍ ଉଦ୍ଧାର କରିଥିବା ପୁଲିସ ସୂତ୍ରରୁ ପ୍ରକାଶ । ଓଡ଼ିଶା ସମାଚାର