ଯାଜପୁର, ଖୋର୍ଦ୍ଧା, ୦୮/୦୭/୨୦୧୯ (ଓଡ଼ିଶା ସମାଚାର)- ଜାତୀୟ ରାଜପଥ ୧୬ ନଂ ପାଶ୍ୱର୍ ଯାଜପୁର ଜିଲ୍ଲା ପାଣିକୋଇଲି ଛକରେ ଥିବା ଏକ ଦୋକାନ ଭିତରୁ ରବିବାର ସକାଳେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ନାମ ରବିନ୍ଦ୍ର ସାହୁ ଏବଂ ଘର ପାଟକୁରା ଅଂଚଳରେ ବୋଲି ଜଣାପଡିଛି । ଦୋକାନ ବାହାର ପଟୁ ତାଲା ପଡିଥିବାରୁ ତାଙ୍କୁ କେହି ହତ୍ୟା କରିବା ପରେ ଦୋକାନ ତାଲା ପକାଇ ଚାଲି ଯାଇଥିବା ସନ୍ଦେହ କରାଯାଉଛି । ରବିନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ଭାଇ ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ କରିଥିବା ଏସଡିପିଓ କେଦାରନାଥ ସାହୁ ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉକି, ରବିନ୍ଦ୍ର ପତ୍ନୀଙ୍କୁ ମାରପିଟ୍ କରିବା ମାମଲାରେ ଜେଲ୍ ଯାଇଥିଲେ । ଗତ କିଛି ଦିନ ତଳେ ସେ ଜେଲ୍ ରୁ ଖଲାସ୍ ହୋଇଥିଲେ । ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ସାଇଂଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଂଚି ଛାନଭିନ୍ କରିଛି । ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି । ଓଡ଼ିଶା ସମାଚାର