ଭୁବନେଶ୍ୱର, ୦୮/୦୭/୨୦୧୯ (ଓଡ଼ିଶା ସମାଚାର)- ଏଣିକି ଘରୋଇ ସ୍କୁଲ ପରି ସରକାରୀ ସ୍କୁଲରେ ମଧ୍ୟ ମାସିକିଆ ପରୀକ୍ଷା କରାଯିବ । ପିଲାମାନଙ୍କର ଦକ୍ଷତା ମାପିବା ସହିତ ପାଠପଢ଼ାର ମାନ ପରୀକ୍ଷା କରିବା ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ନିଷ୍ପତି ଗ୍ରହଣ କରାଯାଇଛି । ପୂର୍ବରୁ ସରକାରୀ ସ୍କୁଲଗୁଡ଼ିକରେ ଷାଣ୍ମାସିକ ଏବଂ ବାର୍ଷିକ ପରୀକ୍ଷା କରାଯାଉଥିବା ବେଳେ ଏବେ ଏହି ତାଲିକାରେ ମାସିକ ପରୀକ୍ଷା ଯୋଡ଼ି ହୋଇଯାଇଛି । ପ୍ରତି ବିଷୟରୁ ୨୫ମାର୍କ ଲେଖାଏଁ ବିଷୟୱାରୀ ପରୀକ୍ଷା କରାଯିବା ସହିତ ଶିକ୍ଷାଦାନ ବ୍ୟବସ୍ଥାରେ ଏହାକୁ ସାମିଲ କରାଯାଇଛି । ରାଜ୍ୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏପରି ମାସିକିଆ ପରୀକ୍ଷା ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତି ହୋଇଥିବା ବେଳେ ପ୍ରତିବର୍ଷ ଷାଣ୍ମାସିକ ଏବଂ ବାର୍ଷିକ ପରୀକ୍ଷା ବ୍ୟତୀତ ୪ଟି ମାସିକିଆ ପରୀକ୍ଷା ହେବ । ବର୍ଷକୁ ମୋଟ୍ ୬ଟି ପରୀକ୍ଷାର ରେଜଲ୍ଟ ଅନୁଯାୟୀ ଫଳ ପ୍ରକାଶ କରାଯିବ । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ମଧ୍ୟରେ ପ୍ରାୟ ୬୦ ପ୍ରତିଶତ ଛାତ୍ରଛାତ୍ରୀ ହାରାହାରି ୫୦% ମାର୍କ ରଖୁଥିବା ବେଳେ ୪୦%ପିଲା ୪୦ପ୍ରତିଶତରୁ କମ୍ ମାର୍କ ରଖୁଛନ୍ତି । ରିପୋର୍ଟ ଅନୁଯାୟୀ ପ୍ର୍ରାୟ୨୭ % ଛାତ୍ରଛାତ୍ରୀ ୧୦%ରୁ କମ୍ ମାର୍କ ରଖୁଥିବା ବେଳେ କେବଳ ଅଷ୍ଟମ ଶ୍ରେଣୀରେ ପ୍ରାୟ ୪୫ପ୍ରତିଶତ ୩୩ % ମାର୍କ ରଖିବାରେ ବିଫଳ ହେଉଛନ୍ତି । ମାସିକିଆ ପରୀକ୍ଷାରେ ପିଲାଙ୍କୁ ଉଭୟ ପାଠପଢ଼ା ଏବଂ ପରୀକ୍ଷା ସହ ଅଭ୍ୟାସ କରିବା ସହିତ ପ୍ରତ୍ୟେକ ପରୀକ୍ଷାରେ ପିଲାଙ୍କ ମାର୍କରେ ଉନ୍ନତି ଆସିବ ସେନେଇ ମଧ୍ୟ ସ୍କୁଲ ପକ୍ଷରୁ ନଜର ଦିଆଯିବ । ପ୍ରତିବର୍ଷ ପରୀକ୍ଷାରେ ମାର୍କକୁ ନଜର ଦେଇ ୩୦ପ୍ରତିଶତ ତଳକୁ ମାର୍କ ରଖିଥିବା ପିଲାଙ୍କ ତାଲିକା ପ୍ରସ୍ତୁତ କରାଯିବ । ଏହାବ୍ୟତୀତ ୫୦ରୁ ୬୫ପ୍ରତିଶତ ଏବଂ ୬୫ରୁ ଊଦ୍ଧ୍ୱର୍ ପ୍ରତିଶତ ମାର୍କ ରଖିଥିବା ପିଲାଙ୍କ ତାଲିକା ପ୍ରସ୍ତୁତ କରାଯିବ । ଏହି ବ୍ୟବସ୍ଥା ଚଳିତବର୍ଷ ଠାରୁ ଆରମ୍ଭ କରିବାକୁ ନିଷ୍ପତି ହୋଇଛି । ରାଜ୍ୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ମୋଟ ୨୨ଲକ୍ଷ ୧ହଜାର ୬୨୧ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି । ସେମାନଙ୍କ ମଧ୍ୟରୁ ଛାତ୍ରଙ୍କ ସଂଖ୍ୟା ୧୧ଲକ୍ଷ ୪୧ହଜାର ୫୦୭ ଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୧୦ଲକ୍ଷ ୬୦ହଜାର ୧୧୪ ରହିଛି । ତେବେ ଗତ ୩ବର୍ଷର ରିପୋର୍ଟ ଅନୁଯାୟୀ ଷଷ୍ଠ ଏବଂ ସପ୍ତମରେ ୬୫ ପ୍ରତିଶତ ଛାତ୍ର ଫେଲ୍ ହେଉଥିବା ବେଳେ ୪୨ ପ୍ରତିଶତ ଅଷ୍ଟମରେ ଫେଲ୍ ହେଉଛନ୍ତି । ସେଥିରୁ ଅଷ୍ଟମରେ ଛାତ୍ରୀଙ୍କ ଫେଲ୍ ହାର ସର୍ବାଧିକ ୪୪ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ଫେଲ୍ ହାର ୪୦ପ୍ରତିଶତ ମଧ୍ୟରେ ରହୁଛି । ରାଜ୍ୟର ଅନେକ ଘରୋଇ ସ୍କୁଲ ତଥା ସରସ୍ୱତୀ ଶିଶୁ ମନ୍ଦିର ଭଳି ବିଦ୍ୟାଳୟ ଗୁଡ଼ିକରେ ପ୍ରତିବର୍ଷ ମାସିକିଆ ପରୀକ୍ଷା ହେଉଛି । ଯାହା ପିଲାଙ୍କର ଦକ୍ଷତା ବିକାଶରେ ବେଶ ସହାୟକ ହେଉଛି । ତେବେ ସେହି ଢାଂଚାରେ ସରକାରୀ ସ୍କୁଲଗୁଡ଼ିକରେ ବ୍ୟବସ୍ଥା ଲାଗି କରିବାକୁ ଉଦ୍ୟମ ହେଉଛି । ତେଣୁ ଏନେଇ ରାଜ୍ୟର ସବୁ ସ୍କୁଲ ଲାଗି ଏକାଡେମିକ କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ । ଯେଉଁଥିରେ ଶ୍ରେଣୀରେ କେଉଁ ମାସରେ କେତେ ବିଷୟ ପଢ଼ାଯିବ ତାହା ନିଷ୍ପତି ହେବ । ଓଡ଼ିଶା ସମାଚାର