ସାଲେପୁର, ୦୭/୦୭/୨୦୧୯ (ଓଡ଼ିଶା ସମାଚାର)-ଶ୍ରୀଅରବିନ୍ଦ ଓ ଶ୍ରୀମାଙ୍କର ଆଦର୍ଶରେ ଛାତ୍ରଛାତ୍ରୀମାନେ ଅନୁପ୍ରାଣିତ ହୋଇପାରିଲେ ଭବିଷ୍ୟତରେ ଜଣେ ଭଲ ମଣିଷ ହୋଇପାରିବେ ବୋଲି ମତପ୍ରକାଶ ପାଇଛି । ସାଲେପୁରସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୬ତମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠାନର ସମ୍ପାଦକ ଅକ୍ଷୟକୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନ ପରିସରରେ ଶ୍ରୀଗୁଣ୍ଡିଚା ଅବସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ରୂପେ ସାଲେପୁର ପଂଚାୟତ ସମିତିର ଉପାଧ୍ୟକ୍ଷ ରମେଶଚନ୍ଦ୍ର ଜେନା ଯୋଗଦେଇ କହିଲେ ଯେ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଶ୍ରୀଅରବିନ୍ଦ ଓ ଶ୍ରୀମାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଆସୁଥିବାରୁ ଅନୁଷ୍ଠାନର ପ୍ରଗତି ହୋଇଚାଲିଛି । ଆଗକୁ ସମସ୍ତ ପ୍ରକାର ସହଯୋଗ କରାଯିବାକୁ ସେ ପ୍ରତିଶ୍ରୁତି ଦେବା ସହ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କର ଅନୁଷ୍ଠାନ ପ୍ରତି ସହଯୋଗ ରହିବ ବୋଲି ପ୍ରକାଶ କରିଥିଲେ । ଅନ୍ୟତମ ବକ୍ତାରୂପେ ଅନୁଷ୍ଠାନର ସଭ୍ୟ ତଥା ପୂର୍ବତନ ବ୍ଲକ ଅତିରିକ୍ତ ଶିକ୍ଷାଅଧିକାରୀ ରଜନୀକାନ୍ତ ଦାଶ ଯୋଗଦେଇ କହିଲେ ଯେ ଛାତ୍ରଛାତ୍ରୀମାନେ ନିଷ୍ଠାର ସହ ଅଧ୍ୟୟନ କରିବା ସହ ନୈତିକଶିକ୍ଷା ଉପରେ ଗୁରୁତ୍ୱ ଦେଲେ ଭବିଷ୍ୟତରେ ଜଣେ ଜଣେ ବଡ଼ମଣିଷ ହୋଇପାରିବେ । ଏଥିପାଇଁ ଆଜିଠାରୁ ଉଦ୍ୟମ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ହରିହର ମଲ୍ଲିକ୍ ପାଠଚକ୍ର ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ଆଦର୍ଶ ଉପରେ ସୂଚନା ଦେଇଥିଲେ । ଅନୁଷ୍ଠାନପକ୍ଷରୁ ମୁଖ୍ୟଅତିଥି ଶ୍ରୀ ଜେନାଙ୍କୁ ଅନୁଷ୍ଠାନର ଉପସଭାପତି ପ୍ରଶାନ୍ତକୁମାର ଜେନା ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସହସମ୍ପାଦକ ଚିତରଞ୍ଜନ ଶତପଥୀ, ସଭ୍ୟ ଅଶ୍ୱିନୀକୁମାର ଦାସ ଯୋଗଦେଇଥିବା ବେଳେ କୋଷାଧ୍ୟକ୍ଷ ଗୋପବନ୍ଧୁ ଭୂୟାଁ ଧନ୍ୟବାଦ ଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ସନାତନ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନୁଷ୍ଠାନପକ୍ଷରୁ ସମସ୍ତ ଅପାଭାଇମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଅବସରରେ ଚଳିତବର୍ଷ ମାଟ୍ରିକ୍ ପାସ୍ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଅନୁଷ୍ଠାନ ପରିସରରେ ହେଉଥିବା ଚାରାରୋପଣ କାର୍ଯ୍ୟକ୍ରମରେ ସମସ୍ତ କର୍ମକର୍ତା, ଅତିଥିମାନେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଓଡ଼ିଶା ସମାଚାର