ଜଗତସିଂହପୁର, ୦୭/୦୭/୨୦୧୯ (ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ୪୫ଜଣ ଗରୀବ ଓ ଦୁରାରୋଗ୍ୟ ଭୋଗ କରୁଥିବା ବ୍ୟକ୍ତିଙ୍କୁ ଚିକିତ୍ସା ସେବା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ୧୯ଲକ୍ଷ ୨୫ହଜାର ଟଙ୍କା ଅନୁମୋଦନ କରିଛନ୍ତି । ଗ୍ରାମାଂଚଳ ଓ ସହରାଂଚଳର ଗରୀବ ଶ୍ରେଣୀର ଦୁରାରୋଗ୍ୟ ଭୋଗକରୁଥିବା ବ୍ୟକ୍ତି ବିଶେଷଙ୍କୁ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ ଉଦ୍ଦିଷ୍ଟ ଅଟେ । ମାସାଧିକ ଧରି ଏହି ବ୍ୟକ୍ତି ମାନେ ଅପେକ୍ଷାରେ ଥିଲେ । ସେହିପରି ୬ଜଣ ବ୍ୟକ୍ତିଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୫୦ହଜାର ଟଙ୍କା ଜିଲ୍ଲାପାଳ ଅନୁମୋଦନ କରିଛନ୍ତି । କୁଜଙ୍ଗ ବ୍ଲକ ଓ ଜଗତସିଂହପୁର ପୌରାଂଚଳର୨୦୮ଜଣ କଳାକାରଙ୍କ ଜାନୁୟାରୀ ଓ ଫେବୃୟାରୀ ମାସର ମୁଖ୍ୟମନ୍ତ୍ରୀଙ୍କ କଳାକାର ଭତା ବାବଦକୁ ମୋଟ ୪ଲକ୍ଷ ୯୯ହଜାର ଟଙ୍କା ଜିଲ୍ଲାପାଳଙ୍କ ଅନୁମୋଦନ ଲାଭ କରିଛି । ଜିଲ୍ଲାରେ ବିଭିନ୍ନ ନୂତନ ପ୍ରକଳ୍ପ ନିମନ୍ତେ ଜିଲ୍ଲାପାଳ ୧୫ଟି ଯାଗା ମନୋନୀତ କରିଛନ୍ତି । ଜିଲ୍ଲା ସମାଜ ମଙ୍ଗଳ ବିଭାଗର ନିରାଶ୍ରୟ ଅଭାବଗ୍ରସ୍ତ ମହିଳା ଙ୍କ ରହିବା ପାଇଁ ଏକ ଷ୍ଟପ୍ ସେଂଟର ନିମନ୍ତେ ନୂତନ ଗୃହ ନିର୍ମାଣ ନିମନ୍ତେ ୩୩ଲକ୍ଷ ଟଙ୍କା ଅନୁମୋଦନ କରାଯାଇ,ପୂର୍ତ ବିଭାଗ କୁ ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ ଦିଆଯାଇଛି । ଓଡ଼ିଶା ସମାଚାର