Sunday , October 1 2023
Home / ରାଜନୀତି / ପେଟ୍ରୋଲ, ଡିଜେଲ୍ରୁ ସେସ୍ ଓ ସରଚାର୍ଯ ପ୍ରତ୍ୟାହାର ଏବଂ ଏକ ଦେଶ, ଏକ ଗ୍ରୀଡ୍ ଓ ଏକ ଦେଶ ଏକ ରେସନ୍କାର୍ଡ ବିରୁଦ୍ଧରେ ବିକ୍ଷୋଭ

ପେଟ୍ରୋଲ, ଡିଜେଲ୍ରୁ ସେସ୍ ଓ ସରଚାର୍ଯ ପ୍ରତ୍ୟାହାର ଏବଂ ଏକ ଦେଶ, ଏକ ଗ୍ରୀଡ୍ ଓ ଏକ ଦେଶ ଏକ ରେସନ୍କାର୍ଡ ବିରୁଦ୍ଧରେ ବିକ୍ଷୋଭ

  ରାଷ୍ଟ୍ରପତିଙ୍କୁ ରାଜ୍ୟପାଳଙ୍କ ଜରିଆରେ ସ୍ମାରକପତ୍ର : ସମାଜବାଦୀ ପାର୍ଟି
ଭୁବନେଶ୍ୱର, ୦୭/୦୭/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- କେନ୍ଦ୍ର ବଜେଟ୍ରେ ପେଟ୍ରୋଲ୍, ଡିଜେଲ୍ ଉପରେ ଏକ ଟଙ୍କା ସେସ୍ ଓ ଏକ ଟଙ୍କା ସରଚାର୍ଯ ବୃଦ୍ଧିକୁ ପ୍ରତ୍ୟାହାର କରିବା ଏବଂ ଏକ ଦେଶ, ଏକ ରେସନ୍ କାର୍ଡ ଏବଂ ଏକ ଦେଶ, ଏକ ଗ୍ରୀଡ୍ ବିରୁଦ୍ଧରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆଜି ସ୍ଥାନୀୟ ରାଜଭବନ ସମ୍ମୁଖରେ ଏକ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ରାଜ୍ୟ କାର୍ଯ୍ୟାଳୟରୁ ବାହାରି ପେଟ୍ରୋଲ, ଡିଜେଲ୍ ଦରବୃଦ୍ଧି ବନ୍ଦ କର, ପେଟ୍ରୋଲ୍ ଡିଜେଲ୍ ଉପରୁ ସେସ୍, ସରଚାର୍ଯ ପ୍ରତ୍ୟାହାର ଆମର ଦାବି ଆଦି ସ୍ଲୋଗାନ ଦେଇ ରାଜଭବନ ସମ୍ମୁଖକୁ ଯାଇଥିଲେ । ସେଠାରେ ପୋଲିସ୍ ବିକ୍ଷୋଭକାରୀମାନଙ୍କୁ ଅଟକାଇଥିଲା । ଫଳରେ କର୍ମୀମାନେ ସେଠାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲିଖିତ ସ୍ମାରକପତ୍ରକୁ ରାଜ୍ୟପାଳଙ୍କ ଜରିଆରେ ପ୍ରଦାନ କରିଥିଲେ । ଏହି ସ୍ମାରକପତ୍ରରେ କେନ୍ଦ୍ର ବଜେଟ୍ରେ ପେଟ୍ରୋଲ, ଡିଜେଲ୍ ଉପରେ ଅତିରିକ୍ତ ଟିକସ ଲାଗୁ ହୋଇଥିବା ଯୋଗୁଁ ରାଜ୍ୟରେ ପେଟ୍ରୋଲ୍, ଡିଜେଲ ଯଥାକ୍ରମେ ଲିଟର ପିଛା ଟ.୨.୫୦ ପଇସା ଓ ଟ.୨.୩୦ ପଇସା ବୃଦ୍ଧି ପାଇଛି । ଏହାର ପ୍ରଭାବରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦାମ ମଧ୍ୟ ବୃଦ୍ଧି ପାଇଛି ବୋଲି ଏଥିରେ ଦର୍ଶାଯାଇଛି । ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଥିଲେ । ଆଗାମୀ ଦିନରେ ଏହାଯୋଗୁଁ ବସ୍ ଓ ଟ୍ରେନ୍ ଭଡ଼ା ମଧ୍ୟ ବୃଦ୍ଧି ପାଇବ ଯାହା ସାଧାରଣ ଲୋକଙ୍କୁ ବାଧିବ ବୋଲି ଏହି ସ୍ମାରକପତ୍ରରେ ଦର୍ଶାଯାଇଛି ।
ସେହିଭଳି ଏକ ଦେଶ, ଏକ ରେସନକାର୍ଡ ଓ ଏକ ଦେଶ ଏକ ଗ୍ରୀଡ୍ ସମ୍ବିଧାନର ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ । ଏହା ଲାଗୁ ହେଲେ ଦେଶରେ ଏକଛତ୍ରବାଦ ମୁଣ୍ଡ ଟେକିବ ଓ ରାଜ୍ୟମାନଙ୍କର କ୍ଷମତା ସଙ୍କୁଚିତ ହେବ ଯାହା ଗଣତନ୍ତ୍ର ପାଇଁ ଏକ ବିପଦ ବୋଲି ଏହି ସ୍ମାରକପତ୍ର ଦର୍ଶାଯାଇଛି । ତେଣୁ ମାନ୍ୟବର ରାଷ୍ଟ୍ରପତି ଏଥିରେ ହସ୍ତକ୍ଷେପ କରିବାକୁ ଦାବି କରାଯାଇଛି ।
ଅନ୍ୟମାନଙ୍କ ମଧ୍ୟରେ ‘ପାର୍ଟି’ର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ କୋଷାଧ୍ୟକ୍ଷ ସଞ୍ଜୟ ନାୟକ, ଛାତ୍ରନେତା ରାଜ୍ୟପ୍ରିୟ ଦାସ, ଯୁବନେତା ସୁବ୍ରତ ଲେଙ୍କା ପ୍ରମୁଖ ଏହି ବିକ୍ଷୋଭ ଓ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *