କାଳିଆପାଣି, ୦୭/୦୭/୨୦୧୯ (ଓଡ଼ିଶା ସମାଚାର)- ସୁକିନ୍ଦା ଖଣି ଅଚଂଳରେ ଇମ୍ଫା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଚଳିତବର୍ଷ ବିଶ୍ୱ ପରିବେଶ ଦିବସର ବାର୍ତା ‘ବାୟୁ ପ୍ରଦୂଷଣ ରୋକିବା’ ଉପରେ ଧ୍ୟାନ ଦିଆଯାଇଛି । ଅଂଚଳର ୮ଟି ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ନେଇ ଚାରାରୋପଣ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, କୁଇଜ ଆଦି ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଏକ ଭ୍ରାମ୍ୟମାଣ ଗାଡି ବିଭିନ୍ନ ଗ୍ରାମରେ ପରିକ୍ରମା କରି ଲୋକଙ୍କୁ ସଚେତନ କରାଇଥିଲା । ସ୍ଥାନୀୟ ଗୁରୁଜଙ୍ଗ ଗ୍ରାମର ଦେହୁରୀସାହି ଠାରେ ମହିଳା ମାନଙ୍କୁ ନେଇ ବିଶ୍ୱ ପରିବେଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଖଣି ଅଂଚଳରେ ବ୍ୟାପକ ଚାରାରୋପଣ ପାଇଁ ମହିଳାଙ୍କୁ ବିଭିନ୍ନ ଫଳଚାରା ବଂଟନ କରାଯାଇଥିଲା । ଏଥିରେ ଇମ୍ଫା ଖଣି ଉପସଭାପତି ସୁଧାଂଶୁ ପାଟନୀ ମୁଖ୍ୟଅତିଥି, କାଳିଆପାଣି ସରପଂଚ କଳ୍ପନା ଜେନା ସମ୍ମାନିତଅତିଥି ଭାବେ ଯୋଗଦେଇଥିଲେ । ଇମ୍ଫା ଖଣି ପରିଚାଳକ ଲଲାଟେନ୍ଦୁ ମହାପାତ୍ର, ମନୋଜ ସାମଲ, ପରିବେଶ ବିଭାଗ ସହପରିଚାଳକ ସୁଦାମ ବାରିକ ପ୍ରମୁଖ ବକ୍ତା ଭାବେ ଯୋଗଦେଇ ବ୍ୟାପକ ଚାରାରୋପଣ କରି ବାୟୁ ପ୍ରଦୂଷଣ ରୋକିବାକୁ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ । ପରିବେଶ ବିଭାଗ ଅଧିକାରୀ ସମରେନ୍ଦ୍ର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଲୋକସମ୍ପର୍କ ପରିଚାଳକ ଜଗନମୋହନ ମଲ୍ଲିକ, ଗିରିଶ ପଟ୍ଟନାୟକ, ଶୁଭାଶିଷ ପଟ୍ଟନାୟକ, ଦେବାଶିଷ ସାମଲ, ମିଲନ ରଞ୍ଜନ କର, ସନ୍ଦିପ ମିଶ୍ର, ହେମଲତା ମହାନ୍ତ, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଅଭୟ ପାଣ୍ଡେ, ମନିଷା ମହାନ୍ତି ସହଯୋଗ କରିଥିଲେ । ଓଡ଼ିଶା ସମାଚାର