ରାଉରକେଲା, ୦୭/୦୭/୨୦୧୯ (ଓଡ଼ିଶା ସମାଚାର)- ସେଲ ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ସେକ୍ଟର ୪ ନର୍ସରୀ ନିକଟରେ ଜୁଲାଇ ୫ ତାରିଖରେ ଆୟୋଜିତ ଗଣ ପରିବେଶ ସଚେତନତା ଓ ବୃକ୍ଷରୋପଣ ଉତ୍ସବ ଇସ୍ପାତ ସହରର ବିଭିନ୍ନ ବିଦ୍ୟାଳୟର ୬୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଉତ୍ସାହ ସହକାରେ ଭାଗ ନେଇଥିଲେ । ଏହି ଉତ୍ସବରେ ଆରଏସପିର ସିଇଓ ଶ୍ରୀ ଦୀପକ ଚଟ୍ଟରାଜ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଏହି ଅବସରରେ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଲିଙ୍ଗରାଜ ଓତା, କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ରାଜ ବୀର ସିଂହ, କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଗୌତମ ବାନାର୍ଜୀ, ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର, ଡିଏଫଓ ଶ୍ରୀ ଏସ କେ ସ୍ୱାଇଁ, ଆଇଏଫଏସ, ଦୀପିକା ମହିଳା ସଂଘତିର କାର୍ଯ୍ୟକାରୀ ଅଧ୍ୟକ୍ଷା ଶ୍ରୀମତୀ ସୁମନ ଲତା, ଉପାଧ୍ୟକ୍ଷା ଶ୍ରୀମତୀ ଅନୁରାଧା ବାନାର୍ଜୀ ଓ ଶ୍ରୀମତୀ ମୀନାକ୍ଷୀ ମହାପାତ୍ର, ବହୁ ମହାପ୍ରବନ୍ଧକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥିମାନେ ଉତ୍ସବ ସ୍ଥଳୀରେ ବୃକ୍ଷରୋପଣ କରିଥିଲେ । ପରେପରେ ଛାତ୍ରଛାତ୍ରୀମାନଙ୍କ ସହିତ ମତବିନିମୟ କରି ସିଇଓ ସେମାନଙ୍କୁ ପରିବେଶ ସମ୍ବନ୍ଧୀୟ ବିଷୟଗୁଡିକର ଅଧିକ ହୃଦୟଙ୍ଗମତା ଏବଂ ଏହି ବୃହତର କାର୍ଯ୍ୟ ପାଇଁ ସେମାନଙ୍କର ଯଥାସାଧ୍ୟ ପ୍ରୟାସ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ଏହି ବୃକ୍ଷରୋପଣ କାର୍ଯ୍ୟରେ ଛାତ୍ରଛାତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ । ଏହି ଉତ୍ସବରେ ପ୍ରାୟ ଦେଢ ଏକର ପରିମିତ ଅଂଚଳରେ ଅଶୋକ, ପୂତ୍ରଞ୍ଜିବ, ପଲାସ, କନକ ଚମ୍ପା, ନାଗ ଚମ୍ପା, ନିମ୍ବ, ଟୁବେବୁୟା, ଗୁଲମୋହର, ସୀମରୁବ, ବକୁଳ, ରାଧାଚୂଡା ଏବଂ ସିଲଭର ଓକ ଇତ୍ୟାଦି କିସମର ୮୦୦ଟି ବୃକ୍ଷରୋପଣ ସମ୍ପନ୍ନ ହୋଇଥିଲା । ସୂଚନାଯୋଗ୍ୟ ଯେ, ଏହି ଚାରାଗୁଡିକ ଓଡିଶା ବନ ଉନ୍ନୟନ ନିଗମ ଦ୍ୱାରା ଉପଲବ୍ଧ କରାଯାଇଥିଲା । ଏଥିସମେତ ଓଏଫଡିସି ବୃକ୍ଷଚାରାଗୁଡିକର ସୁରକ୍ଷା ନିମନ୍ତେ ତାରବାଡ ଭଳି ଅନ୍ୟାନ୍ୟ ସହଯୋଗ ମଧ୍ୟ ଯୋଗାଇଦେଇଛି । ଏଥିପୂର୍ବରୁ ଇଞ୍ଜିନିୟରିଂ ଉଦ୍ୟାନ କୃଷି ବିଭାଗର ମ୍ୟାନେଜର ଶ୍ରୀ ପି ସାହୁ ଏକ ଉପସ୍ଥାପନା ପ୍ରସ୍ତୁତ କରି ଅତିଥିମାନଙ୍କୁ ଉଦ୍ୟାନକୃଷି ବିଭାଗ ଦ୍ୱାରା ସମ୍ପାଦିତ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରାଇଥିଲେ । ପ୍ରାରମ୍ଭରେ ଦିଲ୍ଲୀ ପବ୍ଲିକ ସ୍କୁଲର ପଂଚମ ଶ୍ରେଣୀର ଛାତ୍ରୀ ଆହେଲି ଚାଟର୍ଜୀ ଏକ ହୃଦୟସ୍ପର୍ଶୀ ସଙ୍ଗୀତ ‘ନା କାଟୋ ମୁଝେ, ଦୁଖତା ହୈ’ ପରିବେଷଣ କରିଥିଲେ ଯାହା ସମସ୍ତଙ୍କୁ ବୃକ୍ଷ ନକାଟିବା ପାଇଁ ଏକ ବାର୍ତା ଦେଇଥିଲା । ଏହାପରେ ଡିପିଏସର ଛାତ୍ରଛାତ୍ରୀମାନେ ପରିବେଶ ଉପରେ ଆଧାରିତ ଆବାହନୀ ସଙ୍ଗୀତ ‘ହରିୟାଲି କେ ଖୁସିୟାଲି କେ ବାସ୍ତେ’ ସଙ୍ଗୀତ ପରିବେଷଣ କରିଥିଲେ । ଏଥିପୂର୍ବରୁ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେକ୍ଟର-୨୦, ଦୀପିକା ଇସ୍ପାତ ଶିକ୍ଷା ସଦନ, ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ, ଡିସୌଜା ସ୍କୁଲ, ଡିଏଭି ପବ୍ଲିକ ସ୍କୁଲ ଓ ଇସ୍ପାତ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ହାତରେ ପରିବେଶ ସୁରକ୍ଷା ବାର୍ତା ବହନ କରୁଥିବା ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଏକ ଆକର୍ଷଣୀୟ ପଦଯାତ୍ରାରେ ବୃକ୍ଷରୋପଣ ସ୍ଥଳୀରେ ପହଂଚିଥିଲେ । ଉଦ୍ୟାନକୃଷି ବିଭାଗର ମ୍ୟାନେଜର ଶ୍ରୀ ଟି ବି ଟପ୍ପୋ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସୂଚନାଯୋଗ୍ୟ ଯେ, ଆରଏସପି ଇସ୍ପାତ ସହର ଓ ଏହାର ଆଖପାଖ ଅଂଚଳରେ ଅଦ୍ୟାବଧି ୪୯ ଲକ୍ଷରୁ ଉଦ୍ଧ୍ୱର୍ ବୃକ୍ଷରୋପଣ ସମ୍ପନ୍ନ କରିଛି ଯାହା ଏହି ସମଗ୍ର ଅଂଚଳରେ ସବୁଜିମାର ବଳୟ ସୃଷ୍ଟିରେ ବିଶେଷ ସହାୟକ ହୋଇଛି । ଚଳିତ ବର୍ଷ ଇସ୍ପାତ କାରଖାନା ୨୨ଟି ସ୍ଥାନରେ ପୂର୍ବ ବୃକ୍ଷରୋପଣ ଅଂଚଳର ଖାଲିଥିବା ଅବଶିଷ୍ଟ ଜାଗାରେ ଚାରା ଲଗାଇବା ନିମନ୍ତେ ପ୍ରସ୍ତୁତ କରିଛି । ଓଡ଼ିଶା ସମାଚାର