କଟକ, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)- କଟକ ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ମହାନଦୀ, କାଠଯୋଡି, ବିରୂପା, ଚିତ୍ରୋତ୍ପଳା, ସିରୁଆ, କୁଆଖାଇ ଓ ଦେବୀ ନଦୀ ବନ୍ଧର ଦୁର୍ବଳ ସ୍ଥାନକୁ ୨ଜଣ ବରିଷ୍ଠ ଅଧୀକ୍ଷଣ ଯନ୍ତ୍ରୀ ପରିଦର୍ଶନ କରିବା ସହିତ ଆଗାମୀ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ତତ୍କ୍ଷଣାତ୍ ପଦକ୍ଷେପ ନେବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଗତ ୨୨ତାରିଖରେ ଅନୁଷ୍ଠିତ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା କରି ନଦୀବନ୍ଧର ସୁଦୃଢୀକରଣ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏ ପରିପ୍ରେକ୍ଷୀରେ ଜଗତପୁରସ୍ଥିତ ଜଳସମ୍ପଦ ବିଭାଗର ମହାନଦୀ ନର୍ଥ ଡିଭିଜନ ଓ ଭୁବନେଶ୍ୱରସ୍ଥିତ ପ୍ରାଚୀ ଜଳ ସମ୍ପଦ ବିଭାଗ ପକ୍ଷରୁ ଜରୁରୀକାଳୀନ ଭିତିରେ କାର୍ଯ୍ୟାରମ୍ଭ କରାଯାଇଛି । ଏହି ଦୁଇ ଡିଭିଜନର ଯନ୍ତ୍ରୀମାନଙ୍କ ମଧ୍ୟରୁ ମହାନଦୀ ନର୍ଥର ନିର୍ବାହୀ ଯନ୍ତ୍ରୀ ଚିତରଞ୍ଜନ ଜେନା ଟାଙ୍ଗୀ-ଚୌଦ୍ୱାରର ବିରୂପା ବାମ ପାଶ୍ୱର୍ର ଇଟୁଆ ଓ କେଶରପୁର ବନ୍ଧ ଦୁର୍ବଳ ରହିଥିବା ଦର୍ଶାଇବା ସହିତ ସାଲେପୁର ଚିତ୍ରୋତ୍ପଳା ବାମପାଶ୍ୱର୍ ସୁଲତାନିଆ, ବଟେଶ୍ୱର, ନିଶ୍ଚିନ୍ତକୋଇଲିର ମଦନା, ସାଧକନଗର, ବଡ଼ମ୍ବାର ବାଙ୍ଗିରିସିଂହା ଘେରି ନଦୀ ବନ୍ଧ ଦୁର୍ବଳ ଥିବା ଅବଗତ କରାଇଥିଲେ । ସେହିଭଳି କଟକ ସଦର ନିଆଳି ଅଂଚଳରେ ପ୍ରବାହିତ ସିରୁଆ, କୁଆଖାଇ ଓ ଦେବୀ ନଦୀର ଖଲର୍ଦ୍ଦା, ୱାଉବରାଇର ୪ଟି ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବା ନିର୍ବାହୀ ଯନ୍ତ୍ରୀ ବିଘ୍ନରାଜ ପୁରୋହିତ ଦର୍ଶାଇଥିଲେ । ପ୍ରଶାସନିକ ନିର୍ଦ୍ଦେଶ କ୍ରମେ ଏହିସବୁ ଦୁର୍ବଳ ନଦୀବନ୍ଧକୁ ଜରୁରିକାଳୀନ ଭିତିିରେ ମରାମତି ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ ଏହି ୧୦ଟି ଦୁର୍ବଳ ନଦୀବନ୍ଧର ସୁଦୃଢୀକରଣ କାର୍ଯ୍ୟ ୯୦ ପ୍ରତିଶତ ଶେଷ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । କଟକସ୍ଥିତ ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବାଲେଶ୍ୱରନାଥ ସାହୁଙ୍କ ତତ୍ୱାବଧାନରେ ମୁଖ୍ୟ ଯନ୍ତ୍ରୀ ପ୍ରକାଶ କୁମାର ନନ୍ଦ(ଭୂତଳ ଜଳ), ଯୁଗଳ କିଶୋର ତ୍ରିପାଠୀ (ବନ୍ୟା), ସେଣ୍ଟ୍ରାଲ ସର୍କଲର ଅଧୀକ୍ଷଣ ଯନ୍ତ୍ରୀ ଚିନ୍ମୟ ରଞ୍ଜନ ରାଉତ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଭୂତି ଭୂଷଣ ତାରେଣିଆ ପ୍ରମୁଖ ନଦୀବନ୍ଧର ସ୍ଥିତି ପରିଦର୍ଶନ କରିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର