ଗରଦପୁର, ୦୫/୦୭/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ଗରଦପୁର ବ୍ଲକ ସାନଅଢଙ୍ଗା ଗ୍ରାମ ପଂଚାତୟରେ ଥିବା ପଲ୍ଲିଶ୍ରୀ ମହିଳା ସମିତି ଦ୍ୱାରା ପରିଚାଳିତ ଶିଶୁ ପରିଚର୍ଯ୍ୟା ଅନୁଷ୍ଠାନକୁ କେନ୍ଦ୍ରାପଡାର ନୂତନ ଜିଲାପାଳ ସମର୍ଥ ବର୍ମା ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ଜିଲା ଜରୁରୀକାଳୀନ ଅଧିକାରୀ ସମ୍ବିତ ଶତପଥୀ, ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ସ୍ମିତାଞ୍ଜଳି ମହାପାତ୍ର, ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଶିଶୁ ସୁରକ୍ଷା କର୍ମଚାରୀ ବାଦଲ ଦାଶ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ପ୍ରମୋଦ କୁମାର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ଜିଲାପାଳ ଆଶ୍ରମ ପରିସରକୁ ଆସିବା ସମୟରେ ଅନ୍ତେବାସୀ ତାଙ୍କୁ ପୁ୍ଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଶ୍ରୀ ବର୍ମାଙ୍କର ଏହା ପ୍ରଥମ ପଲ୍ଲିଶ୍ରୀ ଗସ୍ତ ହୋଇଥିବାରୁ ଅନ୍ତେବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା । ପରିଦର୍ଶନ ବେଳେ ଜିଲାପାଳ ପିତୃମାତୃ ହୀନ କନ୍ୟା କ୍ରିଷ୍ଣା ନାୟକର ଜନ୍ମଦିନ ଅବସରରେ ତାକୁ ଆଶୀର୍ବାଦ ପ୍ରଦାନ କରିବା ସହ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ । ଏହି ଅବସରରେ ଜିଲାପାଳ ସମସ୍ତ ଅନ୍ତେବାସୀଙ୍କୁ ସ୍କୁଲ୍ ବ୍ୟାଗ୍, ଖାତା, କଲମ, ପେନ୍ସିଲ୍, ଚକୋଲେଟ୍ ଇତ୍ୟାଦି ବଂଟନ କରିଥିଲେ । କନ୍ୟାଶ୍ରମର ରୋଷଶାଳା ପାଖରୁ ଆରମ୍ଭ କରି ଧନ୍ଦାମୂଳକ ଶିକ୍ଷାଗୃହ, ଚିକିତ୍ସା ଗୃହ, ପାଠାଗାର, ଅନ୍ତେବାସୀଙ୍କ ରହଣୀ ଗୃହ ଇତ୍ୟାଦି ଜିଲାପାଳ ପରିଦର୍ଶନ କରିବା ସହିତ କନ୍ୟାଶ୍ରମର ସମସ୍ୟା ଦୂରକରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ରଥଯାତ୍ରା ଅବସରରେ ଜିଲ୍ଲାପାଳଙ୍କ ଦ୍ୱାରା ସମସ୍ତ ପିଲାମାନଙ୍କ ପାଇଁ ମିଷ୍ଟାନ୍ନ ଏବଂ ଖିରି ଭୋଜନ ଆୟୋଜନ କରାଯାଇଥିଲା । ଓଡ଼ିଶା ସମାଚାର