ଭୁବନେଶ୍ୱର, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ୧୭ଶ ଲୋକସଭାରେ ଆଗତ ଆଜିର ବଜେଟ୍ ଅତ୍ୟନ୍ତ ନୈରାଶ୍ୟଜନକ ଗରିବ ବିରୋଧି ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି । ପାର୍ଟିର ରାଜ୍ୟସଭାପତି ରବି ବେହେରା ତାଙ୍କର ବଜେଟ୍ ପ୍ରତିକ୍ରିୟାରେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଚାଷୀଙ୍କ ଆୟ ୨ଗୁଣ କରିବାର ପ୍ରତିଶ୍ରୁତି ଦେଇଥିବା ନରେନ୍ଦ୍ର ମୋଦିଙ୍କ ସରକାର ଦ୍ୱିତୀୟ ଦଫା ସରକାରଙ୍କର ଏହି ବଜେଟ୍ ଚାଷୀ, ଗରିବ, ଗ୍ରାମୀଣ ଲୋକ, ମଧ୍ୟବିତ୍ତ ସମସ୍ତଙ୍କୁ ନିରାଶ କରିଛି । ‘ଅନ୍ନଦାତା’ଙ୍କୁ ‘ଶକ୍ତିଦାତା’ରେ ପରିଣତ କରିବା ଓ ‘ନାରୀ ସମାଜ’କୁ ‘ନାରାୟଣୀ’ରେ ପରିଣତ କରିବାର ଶବ୍ଦରେ ପ୍ରତିଶ୍ରୁତି ଦେଇଥିବା ଏହି ବଜେଟ୍ ପ୍ରକୃତରେ ଚାଷୀଙ୍କର ଅର୍ଥନୈତିକ ଅଭିବୃଦ୍ଧି ପାଇଁ କିଛି ନିର୍ଦ୍ଦିଷ୍ଟ ପଦକ୍ଷେପ ଗ୍ରହଣ କରିନାର୍ହି । ସେହିଭଳି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ପାଇଁ ବ୍ୟାଙ୍କରୁ ୫ ହଜାର ଟଙ୍କା ଅଧିକ ଓଭରଡ୍ରାଫ୍ଟ କରିବାର ପ୍ରତିଶ୍ରୁତି ଏବଂ ଗୋଟିଏ ଏସ୍.ଏଚ୍.ଜି. ଗ୍ରୁପ୍ର ଜଣେ ମହିଳାଙ୍କୁ ୧ ଲକ୍ଷ ଟଙ୍କାର ଋଣ ଉଠାଇବାର ବ୍ୟବସ୍ଥା ବ୍ୟତୀତ ଏହି ବଜେଟ୍ରେ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନା ଚାଷୀଙ୍କ ପାଇଁ ଅଛି, ନା ମହିଳା ସଶକ୍ତିକରଣ ପାଇଁ ସ୍ଥାନ ପାଇଛି ? ବଜେଟ୍ରେ ବିଭିନ୍ନ ବିଭାଗ ପାଇଁ ବ୍ୟୟ ବରାଦର କୌଣସି ସ୍ପଷ୍ଟତା ପ୍ରକାଶ କରାଯାଇନାହିଁ । ନୂଆ ଭାରତ ଗଢ଼ିବା ନାଁରେ ଏହି ବଜେଟ୍ରେ ପେଟ୍ରୋଲ୍ ଡିଜେଲ୍ ଉପରେ ଏହି ବଜେଟ୍ରେ ୧ ଟଙ୍କା ସେସ୍ ବୃଦ୍ଧି କରାଯାଇଥିବାରୁ ଏହାର ପ୍ରଭାବ ବଜାର ଉପରେ ପଡ଼ିବ । ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ୍ ବଢ଼ିବ । ଏହା ଗରିବଙ୍କ ଉପରେ ‘ବେଡ଼ି ଉପରେ କୋରଡ଼ା ମାଡ଼ ବୋଲି’ ସେ ଏହି ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଏହାବ୍ୟତୀତ ରେଳ ବିଭାଗରେ ଘରୋଇ ପୁଞ୍ଜିର ନିବେଶ, ଘରୋଇକରଣକୁ ଉତ୍ସାହିତ କରିବା ସଂଗେସଂଗେ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ବିକ୍ରି କରି ସରକାର ୧.୫ ଲକ୍ଷ କୋଟି ଟଙ୍କା ରାଜକୋଷକୁ ଆଣିବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ଦେଶର ପୁଞ୍ଜିପତିଙ୍କ ସ୍ୱାର୍ଥକୁ ସୁହାଇବ । ବିଶେଷତଃ ଏହି ବଜେଟ୍ ଓଡ଼ିଶା ପାଇଁ ସେଭଳି କିଛି ଉତ୍ସାହଜନକ ବା ଆଶା ଉଦ୍ରେକ କରିନାହିଁ । ରାଜ୍ୟ ସରକାର ‘ଫନି’ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଦାବି କରିଥିବା ୫ ଲକ୍ଷ ଘର ଏବଂ ସ୍ୱତନ୍ତ୍ର ଅନୁଦାନ ଏହି ବଜେଟ୍ରେ ସ୍ଥାନ ପାଇନାହିଁ । ତେଣୁ ଏହି ବଜେଟ୍ ଓଡ଼ିଶା ପାଇଁ ମଧ୍ୟ ନିରାଶାଜନକ ବୋଲି ଶ୍ରୀ ବେହେରା ଏହି ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି । ଓଡ଼ିଶା ସମାଚାର