Thursday , September 28 2023
Home / ବ୍ୟବସାୟ ବାଣିଜ୍ୟ / କଂଠ ଶିଳ୍ପୀ ଭିକାରୀ ମହମ୍ମଦ ଓ ଶ୍ରେଷ୍ଠ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

କଂଠ ଶିଳ୍ପୀ ଭିକାରୀ ମହମ୍ମଦ ଓ ଶ୍ରେଷ୍ଠ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ରୁଚି ଶିଳ୍ପୋଦ୍ୟୋଗର ୪୪ତମ ସ୍ୱନକ୍ଷତ୍ର
କଟକ, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)-ରୁଚି ଉଦ୍ୟୋଗର ସଫଳତା ଓ ଉକ୍ରର୍ଷତା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ । ଏହି ଅନୁଷ୍ଠାନର ସାମାଜିକ ଓ ଲୋକକଲ୍ୟାଣ ଅଭିମୁଖୀ କାର୍ଯ୍ୟକ୍ରମ ସବୁବେଳେ ଅନ୍ୟମାନଙ୍କୁ ପ୍ରେରଣା ଦେଇ ଆସିଛି ବୋଲି ମୁଖ୍ୟଅତିଥି ଭାବେ ଚୌଦ୍ୱାର- କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଓଡ଼ିଶାର ଶିଳ୍ପ ମାନଚିତ୍ରରେ ଏକ ଗୌରବମୟ ସ୍ଥାନ ଅଧିକାର କରିଥିବା ରୁଚି ଶିଳ୍ପୋଦ୍ୟୋଗର ୪୪ତମ ସ୍ୱନକ୍ଷତ୍ର ଉତ୍ସବ ପବିତ୍ର ରଥଯାତ୍ରା ତିଥିରେ ମଧୁପାଟଣା ଶିଳ୍ପାଂଚଳସ୍ଥିତ ମୁଖ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଏକ୍ସିସ୍ ବ୍ୟାଙ୍କର କେନ୍ଦ୍ର ମୁଖ୍ୟ ସୁବ୍ରତ ମହାନ୍ତି ଓ ରୁଚିର ମୁଖ୍ୟମହାପ୍ରବନ୍ଧକ ମହେନ୍ଦ୍ର ଷଡ଼ଙ୍ଗୀ କହିଥିଲେ ଯେ, ରୁଚିର ଉତମ ଗୁଣମାନ ହିଁ ତାକୁ ସ୍ୱତନ୍ତ୍ର ପରିଚୟ ଦେଇଛି । ସମ୍ମାନିତ ଅତିଥି ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ ସମସ୍ତଙ୍କ ସମ୍ମିଳିତ ପରିଶ୍ରମ ଓ ଉଦ୍ୟମ ହିଁ ରୁଚିକୁ ଶ୍ରେଷ୍ଠ ସ୍ଥାନରେ ପହଂଚାଇଛି ବୋଲି ମତବ୍ୟକ୍ତ କରିଥିଲେ । ସମାରୋହରେ ରୁଚିର ପରିଚାଳନା ନିର୍ଦ୍ଦେଶକ ତଥା ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ଡ. ଶରତ କୁମାର ସାହୁ ପୌରୋହିତ୍ୟ କରି କହିଥିଲେ ଯେ, ରୁଚି ପରିବାର ସଦସ୍ୟଙ୍କ ଶ୍ରମ, ସାଧନା, ଉପଯୁକ୍ତ ମାନବସମ୍ବଳର ସୁବିନିଯୋଗ ଏବଂ ଓଡ଼ିଶାର ଲକ୍ଷ ଲକ୍ଷ ଖାଉଟିଙ୍କ ବିଶ୍ୱସନୀୟତା ହିଁ ରୁଚିକୁ ଆଗକୁ ଯିବାପାଇଁ ଉତ୍ସାହିତ କରିଛି । ପ୍ରାରମ୍ଭରେ ଶ୍ରୀଜଗନ୍ନାଥ ଓ ରୁଚିର ପ୍ରତିଷ୍ଠାତା ସ୍ୱର୍ଗତ ବନମାଳୀ ସାହୁ ଓ ମଇନା ଦେବୀଙ୍କ ଫଟୋଚିତ୍ରରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ସ୍ୱନକ୍ଷତ୍ର ଉତ୍ସବରେ ରୁଚିର ଲୋକସମ୍ପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ ସ୍ୱାଗତ ଭାଷଣ ଦେବା ସହିତ ରୁଚିର ସଫଳତାର ଯାତ୍ରା ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଏହି ଅବସରରେ ଜଗନ୍ନାଥଙ୍କର ଅନନ୍ୟ ଭକ୍ତ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଭିକାରୀ ମହମ୍ମଦଙ୍କୁ ସମ୍ମାନଜନକ ‘ରୁଚିକଳା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ସମ୍ମାନ ସ୍ୱରୂପ ତାଙ୍କୁ ଅଙ୍ଗବସ୍ତ୍ର, ମାନପତ୍ର ଓ ସମ୍ମାନ ଫଳକ ପ୍ରଦାନ କରାଯାଇଥିଲା । ନିର୍ଦ୍ଦେଶିକା ସଙ୍ଗୀତା ସାହୁ ଓ ନିର୍ଦ୍ଦେଶିକା ସଲିନା ସାହୁଙ୍କ ସମେତ ଅତିଥିମାନେ ରୁଚି ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀମାନଙ୍କ ମାଟ୍ରିକ ପରୀକ୍ଷାରେ ବିଶେଷ କୃତିତ୍ୱ ଅର୍ଜନ କରିଥିବା ୨୫ଜଣ ପୁତ୍ରକନ୍ୟାମାନଙ୍କୁ ଅର୍ଥରାଶି, ସମ୍ମାନପତ୍ର, ନବବସ୍ତ୍ର ସହ ରୁଚି ବିଦ୍ୟାର୍ଥୀ ପୁରସ୍କାର ପ୍ରଦାନ କରିଥିଲେ । ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ପ୍ରଫେସର ଅର୍ପିତା ପ୍ରିୟଦର୍ଶିନୀ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲା ବେଳେ ମାନବସମ୍ବଳ ଉପପ୍ରବନ୍ଧକ ସନ୍ଦୀପ ବେହେରା ଉଦ୍ବୋଧନ ଦେଇଥିଲେ । ପ୍ରାରମ୍ଭରେ କଣ୍ଠଶିଳ୍ପୀ ବିଭୁପ୍ରସାଦ ନନ୍ଦ ଓ ଈପ୍ସିତା ପଣ୍ଡା ଜଗନ୍ନାଥ ଭଜନ ଓ ପ୍ରଚ୍ଛଦପଟ୍ଟ ଗାୟକ ତାରିକ୍ ଅଜିଜ୍, ସୁବ୍ରତ ତ୍ରିପାଠୀ ଓ ସ୍ମୃତିମୟୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଅବସରରେ ରୁଚି ପରିବାରର ୮ ସଦସ୍ୟଙ୍କୁ ୫ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ଓ ୩ ଜଣଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଉତ୍ପାଦନ ବିଭାଗ ମୁଖ୍ୟପ୍ରବନ୍ଧକ ସୁଧାଂଶୁ ଭୂଷଣ ଶତପଥୀ ରୁଚି ପତାକା ଉତୋଳନ କରିଥିଲେ । ରୁଚିର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରଦ୍ଧାନନ୍ଦ ଜେନାଙ୍କ ବିୟୋଗରେ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମକୁ ହ୍ୱାଇଟ୍ କାନଭାସ୍ର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା ଉପସ୍ଥାପନା କରିଥିଲେ । ପ୍ରଶାସନିକ ପ୍ରବନ୍ଧକ ମୃଣାଳିନୀ ରାଉତ, ସୂର୍ଯ୍ୟକାନ୍ତ ସାହୁ, ଇଂ. ଫକୀର ମୋହନ ମହାପାତ୍ର, ଅରକ୍ଷିତ ରଣା, ଅଜିତ ସ୍ୱାଇଁଙ୍କ ସମେତ ବହୁ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସୁଶ୍ରୀ ସାନ୍ଭି ସାହୁ ରୁଚି ଜନ୍ମଦିନର କେକ୍ କାଟିଥିଲେ । ସମାରୋହରେ ରୁଚି ଉଦ୍ୟୋଗର ଦେଢ଼ହଜାରରୁ ଅଧିକ କର୍ମଚାରୀ ଉପସ୍ଥିତ ଥିଲେ । ବରିଷ୍ଠ ସୂଚନା ଅଧିକାରୀ ଡ. ନିହାର ରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *