– ଶୁକ୍ରବାର ସନ୍ଧ୍ୟାସୁଦ୍ଧା ରଥ ଗୁଣ୍ଡିଚା ମନ୍ଦିର ପାଖରେ ପହଂଚିବ
କେନ୍ଦ୍ରାପଡା, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ଗୁରୁବାର ଅପରାହ୍ଣ୍ନରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ ଦିଅଁମାନଙ୍କର ନୀତିରୀତି ସମାପ୍ତ ହେବାପରେ ପହଣ୍ଡି ବିଜେ କରାଯାଇ ଦିଅଁମାନଙ୍କୁ ରଥାରୂଢ କରାଯାଇଥିଲା । ପାଗ ଅନୁକୂଳ ଥିବାରୁ ଜିଲାର ବିଭିନ୍ନ ପ୍ରାନ୍ତରରୁ ସହସ୍ରାଧିକ ଭକ୍ତ ଇଛାପୁରସ୍ଥିତ ରଥଦାଣ୍ଡରେ ସମବେତ ହୋଇ ଜୀଉମାନଙ୍କର ଦର୍ଶନ ଲାଭ କରିଥିଲେ । ଜିଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ରଥଦାଣ୍ଡରେ ଏବଂ ମନ୍ଦିର ପରିସରରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଯାତାୟାତ ସୁବିଧା ପାଇଁ ସହରରେ ଏକମୁଖୀ ରାସ୍ତା ପ୍ରଚଳନ କରାଯାଇଥିଲା । ଅପରାହ୍ନରେ ଜିଲାପାଳ ସମର୍ଥ ବର୍ମା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁଣ କୁମାର ଜେନା,ଉପଜିଲାପାଳ ସଂଜୟ ମିଶ୍ର,ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାଜୀବ ଲୋଚନ ପଣ୍ଡା,କେନ୍ଦ୍ରାପଡା ପୌରସଂସ୍ଥାର ନିର୍ବାହୀ ଅଧିକାରୀ ଦେବବ୍ରତ ବଳ,ପୂର୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ମହାନ୍ତି ପ୍ରମୁଖ ରଥଦାଣ୍ଡରେ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲାପାଳ ଶ୍ରୀ ବର୍ମା ସୂଚନା କେନ୍ଦ୍ର ଷ୍ଟଲରେ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ସୂଚନା ପୁସ୍ତିକା ଉନ୍ମୋଚନ କରିଥିଲେ । ଗୁରୁବାର ମାତ୍ର ଦୁଇ ଦଉଡି ଟଣାଯାଇ ଦେବୋତର ବିଭାଗ କାର୍ଯ୍ୟାଳୟ ପାଖରେ ରଥ ଅଟକିଥିଲା । ଶୁକ୍ରବାର ଅପରାହ୍ନ ଦୁଇଟାରେ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟାସୁଦ୍ଧା ରଥ ଗୁଣ୍ଡିଚା ମନ୍ଦିର ପାଖରେ ପହଂଚିବ ବୋଲି କାର୍ଯ୍ୟସୂଚୀ ରହିଛି । ୬ତାରିଖ ରାତି ୯ଟାରେ ଦିଅଁମାନେ ପହଁଣ୍ଡି ହୋଇ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ଓଡ଼ିଶା ସମାଚାର