Friday , October 29 2021
Home / ଶିକ୍ଷା / ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ବି.ଏଡ୍ ଶିକ୍ଷକ ସଂଘ

ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ବି.ଏଡ୍ ଶିକ୍ଷକ ସଂଘ

ଭୁବନେଶ୍ୱର, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)-ରାଜ୍ୟରେ ଦିନକୁ ଦିନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପରେ ଆକ୍ରମଣ ବଢ଼ିଚାଲିଛି  । କେଉଁଠି କିଏ ସ୍କୁଲ୍ ଘରେ ପଶି ଶିକ୍ଷକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟଣାଘୋଷରା କରି ପିଟିଲାଣି ତ ପୁଣି କିଏ ମାରଣାସ୍ତ୍ର ଧରି ହଣାମରା କଲାଣି  । ଏହାର ସଦ୍ୟ ଉଦାହରଣ ହେଲା କଟକ ଜିଲ୍ଲା ନିଆଳୀ ବ୍ଲକ ଅଧିନସ୍ଥ ଆମ୍ବାପଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଚିସ୍ମିତା ମୁଦୁଲିଙ୍କୁ ଶ୍ରେଣୀଗୃହରେ ପାଠ ପଢ଼ାଉଥିବା ସମୟରେ କୋମଳମତି ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଜଣେ ଦୁର୍ବୁତ ହଠାତ୍ ଅତର୍କିତ ଆକ୍ରମଣ କରି କଟୁରୀ ଚୋଟରେ ହାଣି ପକାଇଛି ଏବଂ ଶିକ୍ଷୟିତ୍ରୀ ଜଣଙ୍କ ମରଣ ସହ ଲଢେଇ କରୁଛନ୍ତି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ  । ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି ରାଜ୍ୟ ବି.ଏଡ୍ ଶିକ୍ଷକ ସଂଘ  । ସରକାରୀ ଉଦାସୀନତାରୁ ରାଜ୍ୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ସାଧାରଣ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି  । ରାଜ୍ୟରେ ଥିବା ୯୦ଭାଗରୁ ଊଦ୍ଧ୍ୱର୍ ବିଦ୍ୟାଳୟରେ ଦୃଢ ପାଚେରୀ ଏବଂ ଗେଟ୍ ନାହିଁ  । ଯାହାଫଳରେ ଅସାମାଜିକ ବ୍ୟକ୍ତିମାନେ ସ୍କୁଲ୍ ଚାଲିଥିବା ସମୟରେ କ୍ଲାସ୍ ରୁମ୍କୁ ପଶି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ହଇରାଣ ହରକତ କରିବା ତଥା ଗାଳିଗୁଲଜ କରିବା ଭଳି ଘଟଣା ଦୈନିକ ଘଟିଚାଲିଛି  । ଶିକ୍ଷକମାନେ ବିଦ୍ୟାଳୟରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି  । ଦିନକଥା ଛାଡ଼ ରାତି ହେଲେ ବିଦ୍ୟାଳୟଗୁଡ଼ିକ ମଦ, ମାଂସ ଓ ଭୋଜିଭାତର ଆସର  ଜମୁଛି  । ଏକଥାକୁ ବିଚାରକୁ ନେଇ ସରକାର ତୁରନ୍ତ ସମସ୍ତ ବିଦ୍ୟାଳୟରେ ସୁରକ୍ଷା ପ୍ରାଚିର ନିର୍ମାଣ କରିବାର ବନ୍ଦୋବସ୍ତ କଲେ କେବଳ ଶିକ୍ଷକ ଶିକ୍ଷୟିତ୍ରୀ ନୁହଁନ୍ତି, କୋମଳମତି ଛାତ୍ରଛାତ୍ରୀମାନେ ମଧ୍ୟ ସୁରକ୍ଷିତ ରହିବେ ଏବଂ ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ଠିକ୍ ରହିବ ବୋଲି ସଂଘ ଦାବି ଜଣାଇଛି  । ଏକଥାକୁ ବିଚାରକୁ ନେଇ ତୁରନ୍ତ ସରକାର ନିଆଳୀ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ସହ ଆକ୍ରମଣର ଶିକାର ହୋଇଥିବା ଶିକ୍ଷୟିତ୍ରୀଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ସଂଗେସଂଗେ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାକୁ ରାଜ୍ୟ ସଂଘ ଦାବି ଜଣାଇଛି  । ଏହାଛଡ଼ା ଶିକ୍ଷାସହାୟକମାନଙ୍କୁ ନିୟମିତ ଦରମା ପ୍ରଦାନ ନ କରିବା ଏବଂ ଠିକଣା ସମୟରେ ରେଗୁଲାର ନ କରିବା କାରଣରୁ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଆର୍ଥିକ ଦୂରବସ୍ଥା ଦେଇ ଗତି କରୁଛନ୍ତି  । ଜଣେ ଦିନ ମଜୁରିଆଠାରୁ କମ୍ ଦରମା ମାସକୁ  ମାତ୍ର ୬୫୧୨ଟଙ୍କା ଦେଇ କାମ କରାଉଥିବା ସରକାର ଶିକ୍ଷକମାନଙ୍କୁ ମାନସିକ ଅଶାନ୍ତି ଭିତରେ ରହିବା ପାଇଁ ଏକ ପ୍ରକାର ବାଧ୍ୟ କରୁଛନ୍ତି  । ଏଭଳି ପରିସ୍ଥିତିର ସାମନା କରିନପାରି ଦୁଇଦିନ ତଳେ ବାଲିଆପାଳ ବ୍ଲକ ଚାନ୍ଦମଣି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କରଞ୍ଜ ଗ୍ରାମର ଭରତ ସାମନ୍ତରାୟ ଆତ୍ମହତ୍ୟା କରିଛନ୍ତି  । ଯାହାକି ଅତ୍ୟନ୍ତ ନିନ୍ଦନୀୟ ବିଷୟ  । ଏହି କଥାକୁ ବିଚାରକୁ ନେଇ ସରକାର ପ୍ରତି ମାସରେ ଶିକ୍ଷା ସହାୟକମାନଙ୍କୁ ନିୟମିତ ଦରମା ପ୍ରଦାନ, ୬ ବର୍ଷ ଚୁକ୍ତି ସମୟ ପୂରଣ ହେବା ମାତ୍ରେ ନିୟମିତ କରିବା ଓ ମାସିକ ପାରିଶ୍ରମିକ ତୁରନ୍ତ ବୃଦ୍ଧି କରିବା ଦାବିକୁ ସରକାର ଯଦି ସହୃଦୟତାର ସହ ବିଚାର ନ କରନ୍ତି ତେବେ ସଂଘ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ତୀବ୍ର କରିବ ବୋଲି ରାଜ୍ୟସଂଘ ସଭାପତି ଅଜୟ କୁମାର ଧଳ, ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ନାୟକ, ଉପସଭାପତି ସରୋଜ କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ଦାସ, ଆବାହକ ରୂପେଶ କୁମାର ସାହୁ, ଉମେଶ ଚନ୍ଦ୍ର ନାୟକ, ଲଲାଟେନ୍ଦୁ ମହଲ, ଅର୍ଚ୍ଚନା ଜେନା, ଅମୂଲ୍ୟ କୁମାର ଲେଙ୍କା, ଅନାଦି ନାୟକ, କାଳନ୍ଦି ଜେନା, ସଦାଶିବ ବେହେରା, ପଦ୍ମଲୋଚନ ଘଡ଼େଇ ପ୍ରମୁଖ ସରକାରଙ୍କୁ ଚେତାବନୀ ଦେଇଛନ୍ତି  । ଓଡ଼ିଶା ସମାଚାର

About admin

Check Also

ପ୍ରଧାନ ଶିକ୍ଷକଙ୍କୁ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡ଼ା, ୨୮/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର -ସାହାସପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର …

Leave a Reply

Your email address will not be published. Required fields are marked *