କେନ୍ଦ୍ରାପଡା, ୦୩/୦୭/୨୦୧୯ (ଓଡ଼ିଶା ସମାଚାର)- ସ୍ୱାମୀ ଦ୍ୱାରା ନିର୍ଯ୍ୟାତିତା ଜନୈକ ମହିଳା ଶେଷରେ ବାଧ୍ୟହୋଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ବଡହାଟ ଗ୍ରାମର ସଂଯୁକ୍ତା ବେହେରା ତାଙ୍କ ପୁଅ ସହିତ ସୋମବାର ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ କେନ୍ଦ୍ରାପଡା ଜଳସମ୍ପଦ ଡିଭିଜନ ଅନ୍ତର୍ଗତ ମାର୍ଶାଘାଇ ସେକ୍ସନରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ ତାଙ୍କ ସ୍ୱାମୀ ବାଜିଆ ବେହେରା ଦୀର୍ଘଦିନ ଧରି ତାଙ୍କତ ତିନିପୁଅ ମାନସ,ସୁରେଶ,ପରେଶଙ୍କ ସମେତ ତାଙ୍କୁ ମାଡଗାଳି ଦେବା ସହ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । କିନ୍ତୁ ୬ମାସ ହେବ ଏହି ନିର୍ଯ୍ୟାତନା ଅସହ୍ୟ ହୋଇପଡିବାରୁ ଏବଂ ରକ୍ତାତ ଅବସ୍ଥାରେ ସେ ତାଙ୍କ ପିଲାମାନଙ୍କ ଜୀବନ ବଂଚାଇବାକୁ ବାପଘର କଟକ ଚାଲିଯାଇଥିଲେ । ସେଠାରେ ପହଁଚି ତାଙ୍କ ସ୍ୱାମୀ ଗାଳିଗୁଲଜ କରିବା ସହ ଜୀବନରେ ତାଙ୍କୁ ଓ ପିଲାମାନଙ୍କୁ ମାରିଦେବାକୁ ଧମକ ଦେଇଥିଲେ । ଏ ସମ୍ପର୍କରେ ଜଳସେଚନ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ସଂଯୁକ୍ତା ଲିଖିତ ଭାବେ ଜଣାଇବା ପରେ ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ସ୍ୱାମୀ ବାଜିଆ ସବୁ ଭୁଲ ସ୍ୱିକାର କରି ଆଉ ଏଭଳି କରିବ ନାହିଁ ବୋଲି ସେହି ଅଧିକାରୀଙ୍କୁ ଲିଖିତ ଭାବେ ଦେଇଥିଲେ । ଏସବୁ ପରେ କଟକରୁ ସଂଯୁକ୍ତା ଓ ତାଙ୍କ ପିଲାମାନେ କେନ୍ଦ୍ରାପଡାକୁ ଆସିବା ପରେ ତାଙ୍କ ସ୍ୱାମୀ ବାଜିଆ ପୁନର୍ବାର ଆଗଭଳି ମାଡପିଟ ଆରମ୍ଭ କରିଦେଇଥିଲେ ଓ ଜୀବନରେ ମାରିଦେବାକୁ ଧମକ ଦେଉଥିବା ସଂଯୁକ୍ତା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଟାଉନ ଥାନାରେ ଅଭିଯୋଗ ପରେବି ପୋଲିସ କୈାଣସି ଆବଶ୍ୟକ ପଦକ୍ଷେପ ନନେବା ଯୋଗୁ ତାଙ୍କ ସ୍ୱାମୀ ପିଲା ଓ ପତ୍ନୀଙ୍କୁ ମାଡପିଟ କରୁଥିବାରୁ ସଂଯୁକ୍ତା ସର୍ବଦା ଭୟଭୀତ ଅବସ୍ଥାରେ ରହୁଥିବା କହିଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମା ଏହି ଅଭିଯୋଗ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏସପିଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ଏ ସମ୍ପର୍କରେ ସଂଯୁକ୍ତା କେନ୍ଦ୍ରାପଡା ଏସଡିପିଓଙ୍କୁ ଭେଟି ନିବେଦନ କରିବାରେ ସେ ଟାଉନଥାନା ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦେଶ ଦେଇଥିଲେ । ଓଡ଼ିଶା ସମାଚାର