ଭୁବନେଶ୍ୱର, ୦୩/୦୭/୨୦୧୯ (ଓଡ଼ିଶା ସମାଚାର)- ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଅବସରରେ ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ (ଓସ୍ଜା) ପକ୍ଷରୁ ରାଜ୍ୟର ବିଗତ ଦିନର ଦୁଇ ଫୁଟବଲ ତାରକା ପ୍ରଫୁଲ୍ଲ ମିଶ୍ର ଏବଂ ଗୀତାଞ୍ଜଳି ସାମନ୍ତରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ ଅବସରରେ ଉଭୟଙ୍କୁ ବିଶ୍ୱର ଏକ ନମ୍ବର ପାରା ବ୍ୟାଡମିଂଟନ ତାରକା ପ୍ରମୋଦ ଭଗତ ସମ୍ବର୍ଦ୍ଧିତ କରିଥିଲେ । ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ତଥା ଗୋଲରକ୍ଷକ ପ୍ରଫୁଲ୍ଲ ମିଶ୍ର ନିରନ୍ତର ଭାବେ ତୃଣମୂଳ ସ୍ତରରେ ଫୁଟବଲ ବିକାଶରେ ନିଜକୁ ନିୟୋଜିତ ରଖିଛନ୍ତି । ୟୁନିଟ-୬ କ୍ରୀଡ଼ା ସଂଘର ଉପସଭାପତି ଭାବେ ସେ ତିନି ଦଶନ୍ଧି ଧରି ବିଦ୍ୟାଳୟସ୍ତରୀୟ ଏବଂ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆୟୋଜନ କରି ରାଜ୍ୟ ଫୁଟବଲ ଦୁନିଆକୁ ଏକାଧିକ ଯୁବ ଖେଳାଳି ପ୍ରଦାନ କରିବାରେ ପ୍ରମୁଖ ଭୂମିକା ତୁଲାଇ ଆସିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ମହିଳା ଫୁଟବଲ ଦୁନିଆର ଆଦ୍ୟ ବ୍ୟକ୍ତିତ୍ୱ ତଥା ପୂର୍ବତନ ଓଡ଼ିଶା ଅଧିନାୟିକା ଗୀତାଞ୍ଜଳି ସାମନ୍ତରାୟଙ୍କର ଅବଦାନକୁ ଓସ୍ଜା ସମ୍ମାନ ଦେବା ସହ ସାନଭଉଣୀ ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ସହିତ ଓଡ଼ିଶାକୁ ସେ ନୂଆ ଦିଶା ଦେଇଥିଲେ । ବିଶ୍ୱ ପ୍ରତିଯୋଗିତା ଲାଗି ପ୍ରମୋଦ ଭଗତଙ୍କୁ ଗୀତାଞ୍ଜଳି ଓ ଓସ୍ଜା ପକ୍ଷରୁ ଶୁଭେଚ୍ଛା ଜଣାଯାଇଥିଲା । ଓଡ଼ିଶା ପାରା ବ୍ୟାଡମିଂଟନ୍ ସଂଘ ସହାୟତାରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ଓସ୍ଜା ଉପସଭାପତି ସୁରେଶ ସ୍ୱାଇଁଙ୍କ ପୌରୋହିତ୍ୟରେ ଏହି ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା । ଉତ୍ସବରେ ଓସ୍ଜା ସମ୍ପାଦକ ସନାତନ ପାଣି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସର ମହତ୍ୱ ଏବଂ ଅବଦାନକୁ ଅତୁଳନୀୟ ବୋଲି ଅଭିହିତ କରିଥିଲେ । କୋଷାଧ୍ୟକ୍ଷ ହିମାଂଶୁ ପତି ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।ଓଡ଼ିଶା ସମାଚାର