ଭୁବନେଶ୍ୱର, ୦୩/୦୭/୨୦୧୯ (ଓଡ଼ିଶା ସମାଚାର)- ବାଘଛାଲ ଚାଲାଣ ଘଟଣାରେ ମଙ୍ଗଳବାର ଦୁଇଜଣ ପୁଲିସ କର୍ମଚାରୀ ଗିରଫ ହୋଇଛନ୍ତି । ରାଜ୍ୟ ସମେତ ଦେଶ ବାହାରକୁ ବାଘଛାଲ ଚାଲାଣ କରୁଥିବା ଗ୍ୟାଙ୍ଗ୍ରେ ଏହି ଦୁଇ ପୁଲିସ କର୍ମଚାରୀ ସମ୍ପୃକ୍ତ ଥିବା ଖବରପାଇ କ୍ରାଇମବ୍ରାଂଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ସେମାନଙ୍କ ଉପରେ ଚଢ଼ଉ କରି ଗିରଫ କରିଛି । ସେମାନେ ହେଲେ ବରଗଡ଼ ଜିଲ୍ଲାର କଟାପାଲି ଗ୍ରାମର ରଶ୍ମିରଞ୍ଜନ ମିଶ୍ର(୨୭) ଓ ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବଡ଼ଗୋଗୁଆ ଗ୍ରାମରେ ରହୁଥିବା ଲିକୁଲ କୁମାର ସାହୁ(୩୨) । ରଶ୍ମିରଞ୍ଜନ ରାଉରକେଲା ସ୍ୱତନ୍ତ୍ର ଜେଲ୍ର ୱାର୍ଡର ଭାବେ କାର୍ଯ୍ୟ କରୁଥିବାବେଳେ, ଲିକୁଲ ଦେବଗଡ଼ ଆଇଆର୍ବି ବ୍ୟାଟାଲିଅନ- ୪ରେ ହାବିଲ୍ଦାର ଭାବେ କାର୍ଯରତ ଥିଲା । ଅଭିଯୁକ୍ତଦ୍ୱୟ ବାଘଛାଲକୁ ରାଜ୍ୟର ବିଭିନ୍ନ ଅଂଚଳରେ ବିକ୍ରି କରିବାରେ ସମ୍ପୃକ୍ତ ଥିଲେ । ଏ ନେଇ ଏସ୍ଟିଏଫ୍ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଏସ୍ଟିଏଫ୍ ସୂଚନା ଅନୁସାରେ, ବାଘ ଛାଲ ଚାଲାଣ ବେଳେ ଧରାପଡ଼ିଥିବା ଦେବଗଡ଼ ଅଂଚଳର ରମଣୀସେନ ବେହେରା, ଯଜ୍ଞଦତ ବେହେରା ଓ ଶଚିକାନ୍ତ ନାୟକଙ୍କୁ ରିମାଣ୍ଡରେ ନେଇ ଜେରା କରାଯାଇଥିଲା । ଜେରାବେଳେ ସେମାନେ ଗ୍ୟାଙ୍ଗ୍ ସମ୍ପର୍କରେ ସୁରାକ ଦେଇଥିଲେ । ସେମାନଙ୍କ ତଥ୍ୟକୁ ଆଧାର କରି ବିଭିନ୍ନ ଅଂଚଳରେ ଚଢ଼ଉ କରି ପୂର୍ବରୁ ୪ଜଣଙ୍କୁ ଗିରଫ କରାଯାଇଥିଲା । ରଶ୍ମିରଞ୍ଜନ ଓ ଲିକୁଲ ବାଘ ଛାଲ ଯୋଗାଡ ହେଲା ପରେ ବିଭିନ୍ନ ଅଂଚଳରେ ବିକ୍ରି କରିବାରେ ସାହାଯ୍ୟ କରିଥିଲେ । ତେବେ ଅଧିକ ତଦନ୍ତ ଲାଗି ଏମାନଙ୍କୁ ରିମାଣ୍ଡରେ ନିଆଯାଇ ଜେରା କରାଯିବ ।
ଉଲ୍ଲେଖଯୋଗ୍ୟ ଯେ, ଗତ ମାସ ୨୧ତାରିଖରେ ଦେବଗଡ଼ ଅଂଚଳରେ ଏକ ର୍ୟାକେଟ୍ ବାଘଛାଲ ଚାଲାଣ କରିବାକୁ ଯୋଜନା କରୁଥିବା ଏସ୍ଟିଏଫ୍କୁ ସୂଚନା ମିଳିଥିଲା । ପରେ ପୁଲିସ ଗ୍ରାହକ ସାଜି ସେମାନଙ୍କ ସହ ଡିଲ୍ କରିଥିଲା । ଏହି ସମୟରେ ଏସ୍ଟିଏଫ୍ ଟିମ୍ ସେଠାରେ ଚଢ଼ଉ କରି ୩ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୭ଫୁଟ୍ ଲମ୍ବର ଏକ ଚିତା ବାଘଛାଲ ଜବତ କରିଥିଲା । ଏମାନେ ବାଘଛାଲ ରାଜ୍ୟ ବାହାରକୁ ଚାଲାଣ କରୁଥିବା ସ୍ୱୀକାର କରିଛନ୍ତି । ତେବେ ଅଧିକ ତଥ୍ୟ ପାଇଁ ଏସ୍ଟିଏଫ୍ ସେମାନଙ୍କୁ ରିମାଣ୍ଡରେ ନେଇ ଜେରା କରିଥିଲା । ଜେରାବେଳେ ପୁଲିସ ଏହି ଗ୍ୟାଙ୍ଗ୍ ସମ୍ପର୍କରେ ସୂଚନା ପାଇଥିଲା । ସେହିପରି ଗତ ମାର୍ଚ୍ଚ ୧୬ ତାରିଖରେ ସମ୍ବଲପୁର କୁଚିଣ୍ଡା ଅଂଚଳରେ ବେଆଇନ ଭାବେ ବାଘଛାଲ ଚୋରା ଚାଲାଣ ହେଉଥିବା ବେଳେ ଏସ୍ଟିଏଫ୍ ୭ଜଣଙ୍କୁ ଗିରଫ କରିଥିଲା । କୁଚିଣ୍ଡାରେ ଥିବା ଏକ ଲଜ୍ରେ ଚଢ଼ଉ କରି ୭ଜଣଙ୍କୁ ପୁଲିସ ହେପାଜତରେ ନେବା ସହ ସେମାନଙ୍କ ଠାରୁ ୪ଟି ଚିତା ବାଘଛାଲ ଜବତ ହୋଇଥିଲା । ଓଡ଼ିଶା ସମାଚାର