କେନ୍ଦ୍ରାପଡା, ୦୩/୦୭/୨୦୧୯ (ଓଡ଼ିଶା ସମାଚାର)- ଗ୍ରୀଷ୍ମ ପ୍ରବାହ ଓ ନିର୍ବାଚନ ଆଚରଣ ବିଧି ଲାଗୁହେବା ଯୋଗୁଁ ବନ୍ଦ ରହିଥିବା ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ସୋମବାର ଜିଲ୍ଲା ମୁଖ୍ୟାଳୟରେ ଆରମ୍ଭ ହୋଇଛି । ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପୂର୍ବାହ୍ନରେ ଅନୁଷ୍ଟିତ ଜିଲ୍ଲାପାଳ ସମର୍ଥ ବର୍ମା ଓ ଆରକ୍ଷୀ ଅଧିକ୍ଷକ ନୀତି ଶେଖରଙ୍କ ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା,ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର,କୃଷି ଉପନିର୍ଦେଶକ ମିତ୍ରୋଦୟ ଦାସ,ଜିଲ୍ଲା ଶିକ୍ଷା ଅଧିକାରିଣୀ କଳ୍ପନା ବେହେରା,ପୂର୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି,ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଦିଲ୍ଲିପ ଦେହୁରୀ,ରାଜନଗର (ବନ୍ୟପାଣୀ)ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ, ବେସାମରିକ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ,ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.ମିର୍ଜା ବାବର ବେଗ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହାୟତା କରିଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ଶିବିରରେ ପ୍ରତ୍ୟେକ ଭିନ୍ନକ୍ଷମମାନଙ୍କୁ ପର୍ଯ୍ୟାୟକ୍ରମେ ଭିନ୍ନକ୍ଷମ ସହାୟକ ଯନ୍ତ୍ର,ଶ୍ରବଣ ଯନ୍ତ୍ର,କୃତ୍ରିମ ଅଙ୍ଗ,ଟ୍ରାଇସାଇକେଲ ପ୍ରଦାନ କରାଯିବାକୁ ଏବଂ ଶିବିରରେ ଉପସ୍ଥିତ ଜଣେ ଶ୍ରବଣ ବାଧିତଙ୍କୁ ତତକାଳ ଶ୍ରବଣଯନ୍ତ୍ର ପ୍ରଦାନ ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କୁ ନିର୍ଦେଶ ଦେଇଥିଲେ । ଆଜି ଆସିଥିବା ୭ଟି ସାମୁହିକ ସମସ୍ୟା ମୁଳକ ଅଭିଯୋଗ ମଧ୍ୟରେ କୁଶିଆପାଳ ଉନ୍ନିତ ହାଇସ୍କୁଲରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ, ତିରୋହୀ ଗ୍ରାମରେ ଜବର ଦଖଲକାରୀଙ୍କୁ ଉଛେଦ ତଥା ଶିକ୍ଷକ ବଦଳି,ଗ୍ରାମର ପୋଖରୀକୁ ପୁନରୁଦ୍ଧାର କରାଯିବା,ଶ୍ୟାମସୁନ୍ଦରପୁର – ବସପୁର ରାସ୍ତା ନିର୍ମାଣ,ମଧୁସୁଦନ ଓ ଚାଟରାପଡା ଗ୍ରାମରେ ମାଙ୍କଡ ଉପଦ୍ରବରୁ ସୁରକ୍ଷା,ରାସ୍ତାରୁ ଜବରଦଖଲ ହଟାଇବା,କେନ୍ଦ୍ରାପଡା ପୋରାଂଚଳ ଅନ୍ତର୍ଗତ ବିଦ୍ୟୁତ ଖୁଂଟରେ ବଲବ ଲଗାଇବା ଭଳି ଅଭିଯୋଗ ଗୁଡିକ ଥିବା ବେଳେ ୧୧୬ଟି ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ବିଜୁ ପକ୍କାଘର ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଣ,ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପ୍ରଦାନ,ପୋଲିସ ସୁରକ୍ଷା ପ୍ରଦାନ,ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ,କଳାକାର ଭତା ପ୍ରଦାନ,ଜମିଜମା ସମସ୍ୟା ସମାଧାନ,ଫନି ବାତ୍ୟାରେ ଘରଭଙ୍ଗା ସହାୟତା ପ୍ରଦାନ,କାଳିଆ ଯୋଜନା ଅର୍ଥ ପ୍ରଦାନ,ଡ.ବ୍ଲୁ.ପି.ସି. ଓ ଆର.ପି କେଶର ସମାଧାନ,ରାସ୍ତାରେ ଥିବା ଗଛ ହଟାଇବା,ରେସନକାର୍ଡ ପ୍ରଦାନ,ପାରିବାରିକ କଳିର ସମାଧାନ,ଘରପୋଡି ଜନିତ ସହାୟତା ପ୍ରଦାନ,ପନିପରିବାଚାଷ କ୍ଷତି ସହାୟତା ପ୍ରଦାନ,ଅନୁସୂଚିତ ଜାତି ଓ ସବର୍ଣ୍ଣ ବିବାହ ସହାୟତା ପ୍ରଦାନ ପ୍ରଭୁତି ଅଭିଯୋଗ ଗୁଡିକ ଆସିଥିଲା । ଜିଲ୍ଲାପାଳ ରେଡକ୍ରସ ଓ ସି.ଏମ,ଆର.ଏଫ ପାଣ୍ଠିରୁ ସହାୟତା ନିମନ୍ତେ ୧୬ଟି ଦରଖାସ୍ତକୁ ମଞ୍ଜୁର କରିଥିବା ବେଳେ ୮ଟି ଦରଖାସ୍ତକାରୀଙ୍କୁ ରେଡକ୍ରସ ପାଣ୍ଠିରୁ ଯଥାକ୍ରମେ ୧୦ହଜାର,୫ହଜାର ଓ ୨ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର