କଟକ, ୦୩/୦୭/୨୦୧୯ (ଓଡ଼ିଶା ସମାଚାର)- କଟକ ସହରର ସ୍ଥତି ଦେଖିବା ପରିପେକ୍ଷୀରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଗୋପଦ ଅଭିଯାନରେ ବିଭିନ୍ନ ଅଂଚଳ ପରିକ୍ରମା କରିଥିଲେ । ସହରର ବିଭିନ୍ନ ଅଂଚଳ ବୁଲି ସ୍ଥତି ଦେଖିବା ସହ ସଂକ୍ରାମକ ରୋଗ ପ୍ରବଣ ଅଂଚଳବାସୀଙ୍କ ସହ ଆଲୋଚନା କରିଥିଲେ । ଏଥି ସହ ସହରର ଐତିହ୍ୟ ବହନ କରୁଥିବା ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ଚୟନୀ ସୂତାହାଟ ପୋଲଠାରୁ ଓଡିଆ ବଜାର ଦେଇ ନେତାଜୀ ସଂଗ୍ରହାଳୟରେ ପହଂଚି ସେଠାରେ ଉନ୍ନତ ଶୌଚାଳୟ ଏବଂ ପାନୀୟଜଳ ବ୍ୟବସ୍ଥା ତଥା ଉପରକୁ ଯିବା ଶିଡ଼ିରେ କାନୋପି କରାଯିବା ନେଇ ପ୍ରତ୍ନତତ୍ୱ ବିଭାଗ ସହିତ ଅଲୋଚନା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୁନଶ୍ଚ ନେତାଜୀ ସଂଗ୍ରହାଳୟ ନିକଟରେ ଥିବା ଜଳାଶୟକୁ ସୌନ୍ଦର୍ଯ୍ୟକରଣ କରିବା ନିମନ୍ତେ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ପୁରୁଣା ଜେଲ ନିକଟ ସିଡିଏ ଜମିରେ ଅଳିଆ ଆବର୍ଜନା ସଫା, ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ । ପରେ ଗଙ୍ଗାମନ୍ଦିର ଅଂଚଳ ପରିଦର୍ଶନ କରି ଜଣ୍ଡିସ ରୋଗୀଙ୍କ ଚିକିତ୍ସା ସମ୍ବନ୍ଧରେ ବୁଝି ପ୍ରତ୍ୟହ ମୋବାଇଲ ଭ୍ୟାନରେ ବିଭାଗୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ ରୋଗୀଙ୍କୁ ଔଷଧ ଯୋଗାଇବା ଆଦି ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ପାଇପ୍ ଲାଇନର ସ୍ଥିତି ସମ୍ବନ୍ଧରେ ସର୍ଭେ କରି ଯଥାଶୀଘ୍ର ରିପୋର୍ଟ ପ୍ରଦାନ କରିବାକୁ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଗଙ୍ଗାମନ୍ଦିର ଗୁଜୁରାଟୀ ସ୍କୁଲ (ପୁରୁଣା ପିଟିଆଇ ଲାଇନ)ଠାରୁ କାଜିବଜାର ମଧ୍ୟରେ ଥିବା ଖାଲି ଜମିର ସ୍ଥିତି ଅନୁଧ୍ୟାନ କରି ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ଏବଂ ସ୍ଥାୟୀ ଡ୍ରେନେଜ୍ ବ୍ୟବସ୍ଥା କରାଯିବା ପାଇଁ ସିଏମସି କର୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । ଏତଦ୍ବ୍ୟତୀତ ଗୌରୀଶଙ୍କର ପାର୍କ ନିକଟ ଗଳି ରାସ୍ତା ପରିଦର୍ଶନ ସମୟରେ ଜାଇକା ଏବଂ ଓପିଟିସିଏଲର ରାସ୍ତାକଡ଼ରେ ପଡିରହିଥିବା ସାମଗ୍ରୀ ତୁରନ୍ତ ଉଠାଇବା ସହ ରାସ୍ତା ମରାମତି ପାଇଁ ବିଭାଗୀୟ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ସିଏମସି କମିଶନର ଅନନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀକାନ୍ତ ତରାଇ, ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଏମ ଆର ଖାନ୍, ସିଏମ୍ସିର ନିର୍ବାହୀ ଯନ୍ତ୍ରୀ ମନୀଷ ସରକାର, ଇଂ. ଦିବ୍ୟରଞ୍ଜନ ତ୍ରିପାଠୀ, ସ୍ୱାସ୍ଥ୍ୟ ଅଧିକାରୀ ଡା. ଉମେଶ ପାଣିଗ୍ରାହୀ, ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ. ସୁଶାନ୍ତ କୁମାର ଘଡ଼ାଇଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର