Monday , October 18 2021
Breaking News
Home / ଶିକ୍ଷା / କ୍ଲାସ୍ରୁମ୍ରେ ପଢ଼ା ଅନୁଧ୍ୟାନ କରିବେ ବିଇଓ – ପାଠପଢ଼ା ନିମ୍ନମାନର ହେଲେ କାର୍ଯ୍ୟାନୁଷ୍ଠାନ

କ୍ଲାସ୍ରୁମ୍ରେ ପଢ଼ା ଅନୁଧ୍ୟାନ କରିବେ ବିଇଓ – ପାଠପଢ଼ା ନିମ୍ନମାନର ହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୦୩/୦୭/୨୦୧୯ (ଓଡ଼ିଶା ସମାଚାର)- ଏଣିକି ସ୍କୁଲ ପରିଦର୍ଶନ ସହିତ ଶ୍ରେଣୀରେ ଶିକ୍ଷାଦାନର ଅନୁଧ୍ୟାନ କରିବେ ସମସ୍ତ ବିଇଓ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍କୁଲରେ ବିଭିନ୍ନ ବିଷୟର ପାଠପଢ଼ା ଶୈଳୀ ନଜର ଦେବା ସହ ବିଷୟଭିତିକ ଶିକ୍ଷକ, ଶିକ୍ଷୟିତ୍ରୀମାନେ କିପରି ପଢ଼ାଉଛନ୍ତି ତାହା ନିଜେ ବିଇଓମାନେ ଶ୍ରେଣୀରେ ଉପସ୍ଥିତ ରହି ତର୍ଜମା କରିବେ । ପ୍ରତ୍ୟେକ ବିଷୟର ଚାପ୍ଟର ୱାଇଜ୍ ବିଭିନ୍ନ ପ୍ରଶ୍ନ ମଧ୍ୟ ଶ୍ରେଣୀରେ ପିଲାଙ୍କୁ ପଚାରିବେ । ତେବେ ଶ୍ରେଣୀକକ୍ଷରେ ଦୁର୍ବଳ ଛାତ୍ରଛାତ୍ରୀଙ୍କ ଲାଗି ଶିକ୍ଷକଙ୍କ ଭୂମିକା କ’ଣ ରହିଛି ଏବଂ ଅତି ଦୁର୍ବଳ ପିଲାଙ୍କୁ ଶିକ୍ଷକମାନେ କିପରି ବୁଝାଉଛନ୍ତି ତାହା ଯାଂଚ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ରାଜ୍ୟର ସମସ୍ତ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେବା ସହ ମାଟ୍ରିକରେ ପାସ୍ହାର ବୃଦ୍ଧି ଏବଂ ପିଲାଙ୍କ ଭବିଷ୍ୟତକୁ ନଜର ଦେଇ ରାଜ୍ୟ ସରକାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍ ଫେଲ୍ ବ୍ୟବସ୍ଥା ଉଚ୍ଛେଦ ହୋଇଯାଇଥିବାରୁ ସବୁ ପିଲାଙ୍କୁ ବାର୍ଷିକ ପରୀକ୍ଷାରେ ପାସ୍ କରି ଉପର ଶ୍ରେଣୀକୁ ଯିବା ଲାଗି ଅନୁମତି ଦିଆଯାଉଥିଲା । ଫଳରେ ଫେଲ୍ର ଭୟ ପିଲାଙ୍କ ମନରେ ନଥିବାରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ମଧ୍ୟରେ ୪୦ପ୍ରତିଶତ ଛାତ୍ରଛାତ୍ରୀ ହାରାହାରି ୫୦% ମାର୍କ ରଖୁଥିବା ବେଳେ ୩୫%ପିଲା ୩୦%ରୁ କମ୍ ମାର୍କ ରଖୁଥିଲେ । ୧୫% ଛାତ୍ରଛାତ୍ରୀ ୧୭%ରୁ କମ୍ ମାର୍କ ରଖୁଥିବା ବେଳେ ୧୦% ଛାତ୍ରଛାତ୍ରୀ ଅତ୍ୟନ୍ତ ଦୁର୍ବଳ ଅର୍ଥାତ୍ ନିଜ ନାମ ମଧ୍ୟ ଠିକ୍ ଭାବେ ଲେଖିପାରିନଥାନ୍ତି । ସେହିପରି ମୋଟ ଉପରେ ୩୩% ଛାତ୍ରଛାତ୍ରୀ ଠିକ୍ ଭାବେ ଓଡ଼ିଆ ଅକ୍ଷର ଏବଂ ଇଂରାଜୀ ଅକ୍ଷର କହିନପାରିବା ସହ ଠିକ୍ ଭାବେ ଲେଖିପାରିନଥାନ୍ତି । ଶ୍ରେଣୀରେ ପାଠପଢ଼ା ଶୈଳୀରେ ସମସ୍ୟା ଲାଗି ଛାତ୍ରଛାତ୍ରୀ ଏପରି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଫଳରେ ଅଷ୍ଟମ ପାସ୍ କରିବା ପରେ ନବମରେ ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୭% ଛାତ୍ରଛାତ୍ରୀ ଏକାଧିକ ବିଷୟରେ ଫେଲ୍ ହେଉଥିବା ବେଳେ ୨୬% ଛାତ୍ରଛାତ୍ରୀ ଏକକ ବିଷୟରେ ଫେଲ୍ ହୋଇଥାନ୍ତି । ତେବେ ଶ୍ରେଣୀରେ ନିୟମିତ ପାଠପଢ଼ା ହେଉଥିବା ବେଳେ ଏପରି ସମସ୍ୟା ଲାଗି କିଏ ଦାୟୀ ତାକୁ ନେଇ ପୂର୍ବରୁ ବହୁବାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ଦୁର୍ବଳ ପିଲାଙ୍କ ଲାଗି ଉଜ୍ଜ୍ୱଳ-ଉତ୍ଥାନ ଆଦି ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିଲେ ହେଁ ସମସ୍ୟାରେ ସୁଧାର ହେଉନାହିଁ । ପାଠପଢ଼ା ତର୍ଜମା ଲାଗି ପ୍ରଧାନଶିକ୍ଷକଙ୍କୁ ଦାୟିତ୍ୱ ପୂର୍ବରୁ ଦିଆଯାଇଥିଲା । ମାତ୍ର ସେମାନଙ୍କ ସ୍କୁଲର ଶିକ୍ଷକ ନିଜକୁ ସୁହାଇଲା ଭଳି ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରୁଥିଲେ । ଗତ ୫ବର୍ଷର ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ, ପ୍ରଥମରୁ ପଂଚମ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥାରେ ପୂର୍ବାପେକ୍ଷା ୮୨% ସୁଧାର ଘଟିଥିବା ବେଳେ ଷଷ୍ଠରୁୂ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥାରେ ସେପରି କିଛି ଆଖିଦୃଶିଆ ପରିବର୍ତନ ଘଟିନାହିଁ । ଏପରିକି ପୂର୍ବାପେକ୍ଷା ବର୍ତମାନ ଅଧିକ ଦାୟିତ୍ୱ ଶିକ୍ଷକମାନେ ନେଉଥିଲେ ହେଁ ପିଲାଙ୍କ ପାଠପଢ଼ା ଶୈଳୀରେ କୌଣସି ବିକାଶ ଘଟିନି । ଏହାବ୍ୟତୀତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଠିକ୍ ଭାବେ ସ୍କୁଲରେ ମଧ୍ୟ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହେଉଛି । ପୂର୍ବରୁ ସର୍ବଶିକ୍ଷା ଅଭିଯାନ ଅଧୀନରେ ପରିଚାଳିତ ବିଭିନ୍ନ ଯୋଜନାକୁ ତଦନ୍ତ କରାଯାଉନଥିଲା । ମାତ୍ର ଗତ କିଛି ମାସ ହେବ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ବିଭିନ୍ନ ସ୍କୁଲରେ ଯାଂଚ ପ୍ରକ୍ରିୟା ଜୋରଦାର ଯାଂଚ ହେଉଛି । ତେବେ ଏହି ଯାଂଚକୁ ଅଧିକ ତ୍ୱରାନ୍ୱିତ କରିବା ଲାଗି ବିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ବିଇଓମାନେ ଏଣିକି ନିୟମିତ ସ୍କୁଲ ପରିଦର୍ଶନରେ ଯିବା ସହ ଦୈନିକ ୨ଘଂଟା ସ୍କୁଲର ବିଭିନ୍ନ ଶ୍ରେଣୀରେ ପାଠପଢ଼ା ତଥା ଶିକ୍ଷକଙ୍କ ଶିକ୍ଷାଦାନ ଶୈଳୀକୁ ଅନୁଧ୍ୟାନ କରିବେ । ଶିକ୍ଷକଙ୍କ ପାଠପଢ଼ା ଯଦି ନିମ୍ନମାନର ଜଣାପଡ଼େ ତେବେ ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଋଷ ଦେଶର ଟ୍ୟାଙ୍କ୍

କେନ୍ଦ୍ରାପଡ଼ା, ୧୬/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆସିଛି ୧୯୭୧ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧରେ ବ୍ୟବହୃତ ହୋଇଥିବା ଋଷ ଦେଶର …

Leave a Reply

Your email address will not be published. Required fields are marked *