Tuesday , December 7 2021
Breaking News
Home / ବିଶେଷ / ନାଟ୍ୟକାର ସ୍ୱର୍ଗତ ଭଞ୍ଜକିଶୋରଙ୍କୁ ସଂସ୍କୃତି ବିଭାଗ ଭୁଲିଗଲାଣି

ନାଟ୍ୟକାର ସ୍ୱର୍ଗତ ଭଞ୍ଜକିଶୋରଙ୍କୁ ସଂସ୍କୃତି ବିଭାଗ ଭୁଲିଗଲାଣି

                             ଜନ୍ମ ଓ ଶ୍ରାଦ୍ଧ ଜନ୍ମମାଟିରେ ପାଳନ ହେଉନି

ସାଲେପୁର, ୦୨/୦୭/୨୦୧୯ (ଓଡ଼ିଶା ସମାଚାର)- ଓଡ଼ିଆ ନାଟ୍ୟ ସାହିତ୍ୟର ପ୍ରତିଥିଯଶା ନାଟ୍ୟକାର ତଥା ବିଶିଷ୍ଟ ସାହିତ୍ୟିକ ଭଞ୍ଜକିଶୋର ପଟ୍ଟନାୟକଙ୍କର ସ୍ମୃତି ପ୍ରତି ଏପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କର ସଂସ୍କୃତି ବିଭାଗର ଦୃଷ୍ଟି ପଡୁ ନାହିଁ । ସ୍ଥାନୀୟ ସାଲେପୁର ବ୍ଲକର ଛାଣିପୁର ଗ୍ରାମରେ ୧୯୨୨ ନଭେମ୍ବର ମାସ ୧୩ ତାରିଖ ଦିନ ଏହି ବିଶିଷ୍ଟ ନାଟ୍ୟକାର ଜନ୍ମଲାଭ କରି ଗତ ୨୭ ନଭେମ୍ବର ୧୯୯୯ େ ର ଭଞ୍ଜକିଶୋର ସ୍ୱର୍ଗାରୋହଣ କରିଥିଲେ । ତାଙ୍କର ପିତା ଦୁର୍ଗାଚରଣ ପଟ୍ଟନାୟକ ଥିବାବେଳେ ଭଞ୍ଜକିଶୋର ସାଧୁଚରଣ ପଟ୍ଟନାୟକଙ୍କ ପାଖରେ ପିଲାଟି ଦିନରୁ ରହିଆସିଥିବାରୁ ସାଧୁଚରଣ ପଟ୍ଟନାୟକଙ୍କ ପୁତ୍ର ରୂପେ ସେ ପରିଚିତ ଥିଲେ । ଭଞ୍ଜକିଶୋର ପିଲାଟିଦିନରୁ ନିଜର ପ୍ରତିଭାର ପରିଚୟ ଦେଇଆସିଛନ୍ତି । ତାଙ୍କର ପିତା ସାଧୁଚରଣ ସେତେବେଳେ ବାରିପଦା କୋଷାଗାରର ଆକାଉଂଟାଂଟ ରୂପେ କାର୍ଯ୍ୟ କରୁଥିବାରୁ ବାରିପଦାଠାରେ ଭଞ୍ଜକିଶୋର ରହି ସେଠାରେ ପାଠ ପଢ଼ୁଥିଲେ । ପରବିର୍ତୀ ଅବସ୍ଥାରେ ଭଞ୍ଜକିଶୋର ଓଡ଼ିଶା ସରକାରଙ୍କର ଶିକ୍ଷାବିଭାଗ ଅଧିନରେ ଚାକିରୀ କରିଥିଲେ । ଏହି ସମୟରେ ଭଞ୍ଜକିଶୋର ତାଙ୍କର ସାହିତ୍ୟ ପ୍ରତିଭାର ପରିଚୟ ଦେଇଆସିଥିଲେ । ବିଶେଷ କରି ତାଙ୍କର ନାଟକ ରଚନା ମୌଳିକ କଥାବସ୍ତୁ ଉପରେ ଆଧାରିତ ଥିଲାବେଳେ ଓଡ଼ିଶାର ପାଣି, ପବନ, ଭୌଗଳିକ ତଥା ରାଜନୈତିକ କଥାବସ୍ତୁଗୁଡିକୁ ଜୀବନ୍ତ ରୂପେ ତାଙ୍କ ନାଟକରେ ଦେଖିବାକୁ ମିଳିଥିଲା । ମାଣିକଯୋଡ଼ି, ଜୟମାଲ୍ୟ, ବେନାମୀ, ଅଗ୍ନିପରୀକ୍ଷା, ତୋଫାନ, ଗରିବ, ଶିକାରୀ, ପ୍ରତାପରୁଦ୍ର, ରାଜନତିର୍କୀ, କାଶ୍ମୀର ବେଗମ୍, ଗୁଲ୍ନାୟକ ନାଟକ ସମେତ ସେ ଶତାଧିକ ନାଟକ ରଚନା କରିଥିବା ଜଣାଯାଇଛି । ଭଞ୍ଜକିଶୋର ଏକାଙ୍କିକା ଲେଖିବାରେ ସିଦ୍ଧହସ୍ତ ଥିଲେ । ବାଣହରଣ, ସଂସ୍କାର, ପ୍ରାୟଶ୍ଚିତ ଭେଟି, ଜନ୍ମାନ୍ତର, ବରକନ୍ୟା, ସାବିତ୍ରୀ, ଧରଣୀ, ସୁଲତାନ ରେଜିଆ ସମେତ ବହୁ ଏକାଙ୍କିକା ସେ ରଚନା କରିଥିଲେ । ୧୯୫୯ରେ ଅଗ୍ନିପରୀକ୍ଷା ନାଟକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବାବେଳେ ୧୯୭୭ରେ ଓଡ଼ିଶା ସଂଗୀତ ଏକାଡେମୀପକ୍ଷରୁ ମଧ୍ୟ ଭଞ୍ଜକିଶୋର ସମ୍ମାନିତ ହୋଇଛନ୍ତି । ଭଞ୍ଜକିଶୋର ନାଟ୍ୟ ଭାରତି ଉପାଧି ପାଇପାରିଥିଲେ । ତାଙ୍କୁ ମଧ୍ୟ କେନ୍ଦ୍ରସାହିତ୍ୟ ଏକାଡେମୀ ପକ୍ଷରୁ ପୁରସ୍କୃତ କରାଯାଇଥିବା କୁହାଯାଇଛି । ତାଙ୍କ ନାଟକ ଉପରେ ଗବେଷଣା କରିଥିବା ଅବସରପ୍ରାପ୍ତ ପ୍ରଫେସର ଅଶ୍ୱିନୀକୁମାର ପଟ୍ଟନାୟକ କହିଛନ୍ତି ଯେ ଭଞ୍ଜକିଶୋର ପଟ୍ଟନାୟକଙ୍କର ବହୁ ନାଟକ ଏବେ ବି ସୁଦ୍ଧା ଅପ୍ରକାଶିତ ହୋଇ ରହିଛି । ଭଞ୍ଜକିଶୋରଙ୍କ କନ୍ୟାଙ୍କ ପାଖରେ କେତେକ ପାଣ୍ଡୁଲିପି ଥିବା ଜଣାଯାଇଛି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଭଞ୍ଜକିଶୋର ଓଡ଼ିଶାର ଲୋକମାନଙ୍କ ମନକୁ ଛୁଇଁ ପାରିବାଭଳି ନାଟକ ଲେଖି ଲୋକମାନଙ୍କ ପାଖରେ ପରିଚିତ ହୋଇପାରିଥିଲେ । ତାଙ୍କ ନାଟକ କଟକ, ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ପରିବେଷଣ କରାଯାଇଥିବାବେଳେ ଲୋକମାନେ ନାଟକର ଶେଷ ପର୍ଯ୍ୟନ୍ତ ବସିରହୁଥିଲେ । ଜଣେ ସଚ୍ଚୋଟ ବ୍ୟକ୍ତିତ୍ୱ ଭାବରେ ଭଞ୍ଜକିଶୋର କାହା ପାଖରେ ହାତ ପତାଇ ନାହାଁନ୍ତି । ନିଜର ନାଟକକୁ ମଂଚସ୍ଥ କରିବା ପାଇଁ କାହା ପାଖରେ ମଧ୍ୟ ଗୁହାରି କରି ନାହାଁନ୍ତି । ତାଙ୍କର ନାଟକର ବିଷୟବସ୍ତୁ ପାଠ କଲେ ସାଧାରଣତଃ ସମାଜରେ ଘଟିଆସୁଥିବା ବିଭିନ୍ନ ସମସ୍ୟାକୁ ସେ ନିଖୁଣ ଭାବେ ନାଟକ ମାଧ୍ୟମରେ ଚିତ୍ରଣ କରିଥିବା ଦେଖିବାକୁ ମିଳେ । ଏଭଳି ଜଣେ ନାଟ୍ୟକାରଙ୍କର ଜନ୍ମମାଟି ଛାଣିପୁରରେ ତାଙ୍କ ସ୍ମୃତି ପାଇଁ କୌଣସି ଉଦ୍ୟମ କରାଯାଇ ନାହିଁ । ବିଶେଷ କରି ଭଞ୍ଜକିଶୋରଙ୍କ ମୃତ୍ୟୁର ୨୦ ବର୍ଷ ବିତିଗଲାପରେ ମଧ୍ୟ ରାଜ୍ୟ ସରକାରଙ୍କର ସଂସ୍କୃତି ବିଭାଗ ଓ ସଂଗୀତ ନାଟକ ଏକାଡେମୀପକ୍ଷରୁ ଭଞ୍ଜକିଶୋରଙ୍କ ଜୟନ୍ତୀ କିମ୍ବା ଶ୍ରାଦ୍ଧଉତ୍ସବ ପାଳନ ପାଇଁ ଉଦ୍ୟମ କରାଯାଇ ନାହିଁ । ଏଭଳି ଜଣେ ପ୍ରତିଥିଯଶା ନାଟ୍ୟକାର, ସାହିତ୍ୟିକଙ୍କ ସ୍ମୃତିକୁ ସାଇତି ରଖିବାପାଇଁ ସଂସ୍କୃତି ବିଭାଗ ପକ୍ଷରୁ ଉଦ୍ୟମ ହେବା ଉପରେ ସାଲେପୁର ସାରସ୍ୱତ ସମାରୋହ ସମିତିପକ୍ଷରୁ ଦାବି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *