Tuesday , January 18 2022
Breaking News
Home / କୃଷି / ଚାଷରୁ ବିମୂଖ ହେଉଛନ୍ତି ଚାଷୀ 

ଚାଷରୁ ବିମୂଖ ହେଉଛନ୍ତି ଚାଷୀ 

ପାଟକୁରା ୦୨/୦୭/୨୦୧୯ (ଓଡ଼ିଶା ସମାଚାର)- ପାଟକୁରା ଅଂଚଳର ଚାଷୀମାନେ ଦିନକୁ ଦିନ ଚାଷ କାର୍ଯ୍ୟ ପ୍ରତି ବିମୂଖ ହେଉଥିବାର ଦେଖାଯାଉଛି । ମୂଖ୍ୟତଃ ଯୁବ ପିଢିମାନେ ଚାଷ କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରୁ ନ ଥିବାବେଳେ,ପାରମ୍ପରିକ ଚାଷୀମାନେ ସରକାରଙ୍କ ପକ୍ଷରୁ  ବିହନ, ସାର, କୀଟନାଶକ ଔଷଧପତ୍ର ଠିକ୍ ସମୟରେ ମିଳୁ ନ ଥିବା, ଉତ୍ପାଦିତ ହେଉଥିବା ଧାନ, ମୁଗ ଓ ଚିନାବାଦାମ ଆଦି ଫସଲକୁ ଉଚିତ୍ ଦାମ୍ରେ ବିକ୍ରୀ କରାଯିବା ନେଇ ସମସ୍ୟା ଦେଖାଯାଉଥିବାର ଅଭିଯୋଗ କରୁଛନ୍ତି । ଏହି ଅଂଚଳର ପ୍ରାୟ ୭୦ ଭାଗ ଲୋକ ମାନେ ଚାଷ ଉପରେ ନିର୍ଭର କରି ଚଳନ୍ତି । ମାତ୍ର ଚାଷରୁ ପୂର୍ବ ଭଳି ଆଉ ଅଧିକ ଲାଭ ହେଉ ନ ଥିବାରୁ ଚାଷୀ ଚାଷ କରିବାକୁ ମନ ବଳାଉ ନାହାଁନ୍ତି । ଏଥି ପାଇଁ ଚାଷୀ କୃଷି,ସମବାୟ ବିଭାଗ, ରସାୟନିକ ସାର ଓ କୀଟନାଶକ ଔଷଧ ବ୍ୟବସାୟୀମାନେ ଏକ ପ୍ରକାର ଦାୟୀ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ବାତ୍ୟା, ବନ୍ୟା ଓ ମରୁଡି ଭଳି ଦୈବୀ ଦୁର୍ବିପାକ ପ୍ରଭାବରେ କ୍ଷତିଗ୍ରସ୍ତ ହେଉଥିବା ଚାଷୀମାନଙ୍କୁ କୃଷି ବିଭାଗ କିମ୍ବା ସମ୍ପୃକ୍ତ ଥିବା ବୀମା କମ୍ପାନୀମାନଙ୍କ ପକ୍ଷରୁ ସହାୟତା ଠିକ୍ ଭାବରେ ମିଳି ପାରି ନାହିଁ । ଏହା ମଧ୍ୟ ଚାଷ କାର୍ଯ୍ୟରୁ ବିମୂଖ ହେବା ଅନ୍ୟ ଏକ କାରଣ ବୋଲି ଜଣାଯାଇଛି । ପ୍ରାକାଶ ଯେ, ଗରଦପୁର ବ୍ଲକ ଅଂଚଳରେ ମୋଟ ୯ହଜାର ୬ ଶହ ହେକ୍ଟର ଚାଷ ଜମି ରହିଛି । ଏହି ଚାଷ ଜମି ମଧ୍ୟରୁ ୭ ହଜାର ୫ ଶହରୁ ଉଦ୍ଧ୍ୱର୍ ହେକ୍ଟର ଜମିରେ ମୂଖ୍ୟତଃ ଧାନ ଚାଷ କରାଯାଉ ଥିବାବେଳେ,୨ହଜାର ହେକ୍ଟର ଜମିରେ ଅଣଧାନ ଫସଲ ଚାଷ କରାଯାଉଛି । କିନ୍ତୁ ଚଳିତ ବର୍ଷ ପାଇଁ କୃଷି ବିଭାଗୟ ପକ୍ଷରୁ ଗରଦପୁର ବ୍ଲକ ଅଞ୍ଚଳରେ ରହିଥିବା ମୋଟ ୯ଗୋଟି ସେବା ସମବାୟ ସମିତି ଗୁଡିକ ମାଧ୍ୟମରେ ଅଧିକ ଅମଳକ୍ଷମ ଧାନ ବିହନ ବିକ୍ରୟ ପାଇଁ ଯୋଗାଣ କରାଯାଉଛି । ଏହି ସବୁ କେନ୍ଦ୍ରମାନଙ୍କରେ ଚାଷୀମାନ଼ଙ୍କ ଚାହିଦା ଓ ଆବଶ୍ୟକତା ଅନୁସାରେ ଧାନ ବିହନ ଯୋଗାଣ କରାଯାଉ ନାହିଁ । ସରକାରଙ୍କ ପାଖରେ ଉପଲବ୍ଧ ହେଉଥିବା  ଥିବା ଧାନ ବିହନକୁ ସମ୍ପୃକ୍ତ ସେବା ସମବାୟ ସମିତିଗୁଡିକ ମାଧ୍ୟମରେ ବିକ୍ରୟ କରାଯାଉଛି । ଚାଷୀ ଚାହୁଁ ଥିବା ଧାନ ବିହନ ପାଇ ପାରୁ ନାହିଁ । ସେହିପରି ବିଲରେ ଧାନ ବୁଣିବା ପରେ ପଟାସ୍ ଓ ଗ୍ରୋମର ସାର ବ୍ୟବହାର କରାଯାଇଥାଏ । ଏହି ସାର ଏବେ ଲାଇସେନ୍ସପ୍ରାପ୍ତ ଦୋକାନଗୁଡିକରେ ମିଳୁ ନ ଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ମାର୍ଶାଘାଇ ଠାରେ ଥିବା ଜିଲା କୃଷି ଅଧିକାରୀ ଶରତ ଚନ୍ଦ୍ର ଦାସ କହିଛନ୍ତି ଯେ,ଏବେ ମୌସୁମୀ ବାୟୂ ସକ୍ରିୟ ଥିବାରୁ ବର୍ଷା ଆରମ୍ଭ ହୋଇଛି ,ଚାଷୀ ଧାନ ବୁଣିବା କାର୍ଯ୍ୟ ଶେଷ କରିଥିବାବେଳେ, ଏବେ ବିହନ ପାଇଁ ତଳି ଘେରା ପ୍ରସ୍ତୁତି କରିବା ଆରମ୍ଭ କରିଛନ୍ତି । ତେଣୁ ଚାଷର ଉନ୍ନତି କରଣ ପାଇଁ ବିଭିନ୍ନ ଯୋଜନା ସହ ଅଧିକ ଅମଳକ୍ଷମ ନୂତନ ବିହନ ବ୍ୟବହାର କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଚାଷ କାର୍ଯ୍ୟ ପାଇଁ ମୂଲ ମଜୁରୀ ଏକ ପ୍ରମୁଖ ସମସ୍ୟା ଭାବରେ ଦେଖାଯାଇଛି । ମୂଲିଆ ଉପରେ ନିର୍ଭର କରି ଚାଷ କରୁଥିବା ଚାଷୀମାନେ ଅନେକ ସମୟରେ କ୍ଷତିର ସମ୍ମୁଖୀନ ହେଉଛନ୍ତି ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି ।  ଅପରପକ୍ଷରେ ଗତ ମଇ ମାସ ପ୍ରଥମ ସପ୍ତାହରେ‘ଫନି’ ବାତ୍ୟାରେ ପାଟକୁରା ଅଂଚଳରେ ମୁଗ ଚାଷରେ ବ୍ୟାପକ ଭାବରେ କ୍ଷତି ଘଟାଇଛି । କୃଷି ବିଭାଗ ପକ୍ଷରୁ ଏହାର କ୍ଷୟକ୍ଷତି ଆକଳନ କରାଯାଇ ଗରଦପୁର ବ୍ଲକ ଅଂଚଳରେ ଶତକଡା ୩୩ଭାଗରୁ ଅଧିକ ମୁଗ ଫସଲ କ୍ଷତି ଘଟିଥିବାର ରିପୋର୍ଟ ପ୍ରଦାନ କରାଯାଇଛି । ମାତ୍ର କ୍ଷତି ଗ୍ରସ୍ତ ମୁଗ ଚାଷୀମାନଙ୍କୁ ଆର୍ଥିକ ସହାୟତା ମିଳି ପାରି ନାହିଁ । ସରକାର ଚାଷୀମାନଙ୍କ ଠାରୁ ମୁଗ କ୍ରୟ କରିବା ପାଇଁ ଗରଦପୁର ସେବା ସମବାୟ ସମିତିରେ ମୁଗ ମଣ୍ଡି ଖୋଲିଛନ୍ତି । ମାତ୍ର ଫନି ବାତ୍ୟା ପରେ ଅମଳ କରାଯାଇଥିବା ମୁଗକୁ ଚାଷୀମାନଙ୍କ ଠାରୁ ମଣ୍ଡିରେ ମୁଗ କ୍ରୟ କରାଯାଉ ନାହିଁ । ଏହି ମୁଗ ଖରାପ ଥିବା ଦର୍ଶାଇ ଏହା ଗ୍ରହଣ କରାଯାଉ ନାହିଁ । ଅପର ପକ୍ଷରେ ମୁଗ ଚାଷୀମାନଙ୍କୁ କ୍ଷତି ପୂରଣ ଟଙ୍କା ମଧ୍ୟ ପ୍ରଶାସନଙ୍କ ନିକଟରୁ ମିଳିପାରି ନାହିଁ । ଏପରିସ୍ଥଳେ ଚାଷୀ ଚାଷ କରିବାକୁ ନିରାଶ ହୋଇ ପଡିଛି । ନିଜର ଗୁଜୁରାଣ ମେଂଟାଇବାକୁ ଯତ୍ କିଂଚିତ୍ ଭାବରେ ଚାଷ କରିବାକୁ ପଡିବ ବୋଲି କେତେକ ବରିଷ୍ଟ ଚାଷୀମାନେ ମତ ପ୍ରକାଶ କରିଛନ୍ତି ।   ଓଡ଼ିଶା ସମାଚାର

About admin

Check Also

ଅଦିନିଆ ବର୍ଷା ରେ ବେହାଲ ଧାନ ମଣ୍ଡି, ଚାଷୀ ମୁଣ୍ଡରେ ଚଡକ

Leave a Reply

Your email address will not be published. Required fields are marked *